ଟାର୍ଗେଟ୍‌ରେ ଚାଷୀ ଓ ଗ୍ରାମାଞ୍ଚଳ

ନୂଆଦିଲ୍ଲୀ/ଭୁବନେଶ୍ୱର : ୨୦୧୮-୧୯ ଆର୍ଥିକ ବର୍ଷ ଲାଗି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଗୁରୁବାର ଲୋକସଭାରେ ୨୪ଲକ୍ଷ ୪୨ ହଜାର୨୧୩ କୋଟି ଟଙ୍କାର ବଜେଟ୍‌ ଉପସ୍ଥାପନ କରିଛନ୍ତି। ଗତବର୍ଷ ତୁଳନାରେ ଏହା ପାଖାପାଖି ୧୨% ଅଧିକ ବୋଲି ଆକଳନ କରାଯାଉଛି। ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଏହା ହେଉଛି ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌।

ବଜେଟ୍‌ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ଦେଶର ସାମଗ୍ରିକ ଅର୍ଥନୀତି ଓ ବିକାଶ ତଥା କଲ୍ୟାଣକାରୀ ଯୋଜନା ସଂପର୍କରେ ଯେଉଁ ଚିତ୍ର ଆଙ୍କିଛନ୍ତି, ସେଥିରୁ ନିର୍ବାଚନୀ ଗନ୍ଧ ବାହାରୁଛି। ତେବେ ମଧ୍ୟବିତ୍ତ ଓ ବେତନଭୋଗୀ କର୍ମଚାରୀଙ୍କୁ ଆଶ୍ୱସ୍ତ କଲାଭଳି ବଜେଟ୍‌ରେ ସେମିତି କିଛି ନାହିଁ। ଏମାନଙ୍କୁ ଏକରକମ ନିରାଶ ହେବାକୁ ପଡିଛି। ତା ସତ୍ତ୍ୱେ ନିରେଖି ଦେଖିଲେ, କେଉଁଠି ନା କେଉଁଠି ଧରାପଡିଯାଉଛି ଯେ ଆଗକୁ ଥିବା ୮ଟି ରାଜ୍ୟର ବିଧାନସଭା ଓ ଆଗୁଆ ଲୋକସଭା ନିର୍ବାଚନ ନେଇ କେନ୍ଦ୍ର ସରକାର ଉଦ୍‌ବିଗ୍ନ ହୋଇପଡିଛନ୍ତି। ଏଣୁ ବଜେଟ୍‌କୁ ଅଧିକ ଲୋଭନୀୟ କରିବା ଲାଗି କୌଣସି ସୁଯୋଗ ହାତଛଡା କରିବାକୁ ପଛାଇ ନାହାନ୍ତି।

ବଜେଟ୍‌ରେ ଗାଁ, ଗରିବ, ଯୁବକ, ଚାଷୀ ଏବଂ ବରିଷ୍ଠ ନାଗରିକ ଏହିଭଳି ୫ଟି ବର୍ଗକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି। ସେମାନଙ୍କ ଲାଗି ବଜେଟ୍‌ରେ ଅନେକ ଲୋଭନୀୟ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଅର୍ଥମନ୍ତ୍ରୀ ଜଣାଇଛନ୍ତିି, ବଜେଟ୍‌ଟି ଚାଷୀ ଓ ଗ୍ରାମ୍ୟ ଅର୍ଥନୀତିକୁ ସଶକ୍ତ କରିବା ପାଇଁ ଉଦ୍ଦିଷ୍ଟ। ବଜେଟ୍‌ରେ ଗରିବ ଲୋକଙ୍କ ସ୍ୱାସ୍ଥ୍ୟ, ବରିଷ୍ଠଙ୍କ ଯତ୍ନ, ଭିତ୍ତିଭୂମି ସୃଷ୍ଟି ତଥା ଚାଷୀ ଓ ଚାଷର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। ଏମ୍‌ଏସ୍‌ଏମ୍‌ଇ, ମୁଦ୍ରାଯୋଜନା, ଆତ୍ମନିଯୁକ୍ତିର ସ୍ୱପ୍ନ ଦେଖାଇ ଯୁବକମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ସୁଯୋଗ ସୃଷ୍ଟି କରିଛନ୍ତି।

ଗ୍ରାମାଞ୍ଚଳ ଭିତ୍ତିଭୂମି ନିର୍ମାଣ ଲାଗି ପାଖାପାଖି ୫୯% ଅର୍ଥାତ୍‌ ୧୪.୩୪ ଲକ୍ଷ କୋଟି ଟଙ୍କା ବ୍ୟୟ ପ୍ରସ୍ତାବ କରାଯାଇଛି। କେବଳ ଗ୍ରାମ୍ୟ ବିକାଶ ପାଇଁ ୧ଲକ୍ଷ ୩୮ ହଜାର କୋଟି, ସହରାଞ୍ଚଳ ବିକାଶ ପାଇଁ ୪୧ ହଜାର ୭୬୫ କୋଟି ଖର୍ଚ୍ଚ କରିବେ କେନ୍ଦ୍ର ସରକାର। ଦେଶରେ କେନ୍ଦ୍ର ସରକାର ବିରୋଧରେ ଚାଷୀ ଏକାଠି ହୋଇ ଆନ୍ଦୋଳନ ଜୋରଦାର କରିଥିବା ପରିପ୍ରେକ୍ଷୀରେ ଏହି ବର୍ଗର ସନ୍ତୁଷ୍ଟି ପାଇଁ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ପାଖାପାଖି ୬୩ ହଜାର ୮୩୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଯଦିଓ ତରିକା ସଂପର୍କରେ ଅର୍ଥମନ୍ତ୍ରୀ ଠାରିନାହାନ୍ତି, ନିର୍ବାଚନ ପ୍ରତିଶ୍ରୁତି ପାଳନ କରିବାକୁ ଯାଇ ଉତ୍ପାଦନ ଖର୍ଚ୍ଚର ଦେଢଗୁଣା ଏମ୍‌ଏସ୍‌ପି କରାଯିବ ବୋଲି ସୂଚାଇଛନ୍ତି। ତେବେ ଗୋଟିଏ ଧାଡିରେ କହିବାକୁ ଗଲେ, କୃଷି ଶିଳ୍ପ, ସ୍ୱାସ୍ଥ୍ୟ ଭିତ୍ତିଭୂମି ନିର୍ମାଣ କରିଥିବା ସଂସ୍ଥା, ସୁନା କଂପାନି, ପରିବହନ କ୍ଷେତ୍ରରେ କାର୍ଯ୍ୟ କରୁଥିବା କଂପାନିଙ୍କୁ ଏହି ବଜେଟ୍‌ ବେଶ୍‌ ସୁହାଇଛି।

୨୦୧୯ ସୁଦ୍ଧା ବାସହୀନ ଓ ମାଟିଘରେ ରହୁଥିବା ଲୋକଙ୍କ ପାଇଁ କୋଠା ଘର ନିର୍ମାଣ କରିବା ଲାଗି ସରକାର ସ୍ୱପ୍ନ ଦେଖାଇବାକୁ ଭୁଲିନାହାନ୍ତି। ମହିଳାଙ୍କୁ ଆକର୍ଷଣ ପାଇଁ ମାଗଣା ଗ୍ୟାସ, ଗରିବଙ୍କୁ ମାଗଣା ବିଜୁଳି ସଂଯୋଗ, ଚାଷୀଙ୍କ ପାଇଁ ବଜାର, ବିମାନ ସେବା ବୃଦ୍ଧି, ନୂଆ କର୍ମଚାରୀଙ୍କୁ ଇପିଏଫ୍‌ ସୁବିଧାର ବ୍ୟବସ୍ଥା ରହିଛି।

ଜିଏସ୍‌ଟି ମାଡ଼ ଗଭୀର ଭାବେ ବଜେଟ୍‌ରେ ଅନୁଭୂତ ହୋଇଛି। ଯଦିଓ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦେଖାଦେଇଥିବା ସମସ୍ୟାର ଉପସମ ଲାଗି ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି, ଅନ୍ୟପଟରେ କିନ୍ତୁ କେନ୍ଦ୍ର ସରକାର ଅତ୍ୟନ୍ତ ଚୁରତାର ସହିତ ଏ ଦିଗରେ ସେସ୍‌ ବୃଦ୍ଧି କରିବାକୁ ପଛାଇନାହାନ୍ତି। ବ୍ୟକ୍ତିଗତ ଆୟକର ବୋଝରେ କୌଣସି ରିହାତି ତ ମିଳିଲା ନାହିଁ, ଓଲଟି ଆୟକର ଉପରେ ସେସ୍‌ ବୋଝ ଏକ ପ୍ରତିଶତ ବଢ଼ାଇ ଦେଇଛନ୍ତି। ପୂର୍ବରୁ ତିନି ପ୍ରତିଶତ ସେସ୍‌ ଦିଆଯାଉଥିବା ବେଳେ ଏବେ ୪ ପ୍ରତିଶତ ଦେବାକୁ ପଡ଼ିବ। ଏହା ମଧ୍ୟବିତ୍ତ ଓ ଧନୀକ ଗୋଷ୍ଠୀ ଉପରେ ନିଶ୍ଚିତ ପ୍ରଭାବ ପକାଇବ। ଆୟକର କ୍ଷେତ୍ରରେ ୪୦ ହଜାର ଟଙ୍କାର ଡିଡକ୍‌ସନ୍‌ କର୍ମଚାରୀମାନଙ୍କ ପାଇଁ କଟା ଘା’ରେ ଚୂନ ମାରିବା ଭଳି ପରିସ୍ଥିତି ସୃଷ୍ଟି କରିଛି।

ଦେଶର ଅର୍ଥନୀତି ଚିତ୍ର ଆଙ୍କିବାକୁ ଯାଇ ଅର୍ଥମନ୍ତ୍ରୀ ଦର୍ଶାଇଛନ୍ତି, ୨୦୧୭-୧୮ରେ ବିତ୍ତୀୟ ନିଅଣ୍ଟ ଜିଡିପିର ୩.୫%(୫.୯୫ ଲକ୍ଷ କୋଟି ଟଙ୍କା)ରେ ରହିବା ନେଇ ଆକଳନ କରାଯାଇଥିଲା। ୨୦୧୮-୧୯ରେ ଏହାକୁ ଜିଡିପିର ୩.୩ ପ୍ରତିଶତରେ ରଖିବାକୁ ଲକ୍ଷ୍ୟ ରଖାଯାଇଛି। ୨୦୧୮ ଜାନୁଆରି ୧୫ ସୁଦ୍ଧା ଯାହା ସୂଚନା ମିଳୁଛି, ପ୍ରତ୍ୟକ୍ଷ କରରେ ୧୨.୬ ପ୍ରତିଶତ ଏବଂ ପରୋକ୍ଷ କରରେ ୧୮.୭ ପ୍ରତିଶତ ଅଭିବୃଦ୍ଧି ଘଟିଛି। ଅର୍ଥମନ୍ତ୍ରୀ ଜଣାଇଛନ୍ତି, ରାଜ୍ୟଗୁଡ଼ିକୁ ନିଟ୍‌ ଜିଏସ୍‌ଟି ବାବଦରେ ୨୧.୪୭ ଲକ୍ଷ କୋଟି ଟଙ୍କା ହସ୍ତାନ୍ତର ଲକ୍ଷ୍ୟ ରଖାଯାଇଥିଲା ମାତ୍ର ୨୧.୫୭ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର