କାମଚଳା ବଜେଟ୍‌ ୨୦୧୯: ଟା‌େର୍ଗଟ୍‌ରେ ଚାଷୀ, ଶ୍ରମିକ, କର୍ମଚାରୀ

ଦେଶର କୃଷକଙ୍କ ପାଇଁ ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ଏକ ବଡ଼ ଧରଣର ଘୋଷଣା କରିଛନ୍ତି। ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦୁଇଗୁଣ କରିବା ଲାଗି ଆରମ୍ଭ ହୋଇଥିବା ଏହି ଯୋଜନାର ନାମ ‘ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି’ ରଖାଯାଇଛି। ୨ ହେକ୍ଟର ପର୍ଯ୍ୟନ୍ତ ଜମି ଥିବା କୃଷକଙ୍କୁ ଏହି ଯୋଜନାରେ କେନ୍ଦ୍ର ସରକାର ସିଧାସଳଖ ବର୍ଷକୁ ୬ ହଜାର ଟଙ୍କା ପ୍ରଦାନ କରିବେ। ୩ଟି ସମାନ କିସ୍ତିରେ ଏହି ଅର୍ଥ ପ୍ରଦାନ କରାଯିବ। ଅର୍ଥାତ୍ କୃଷକମାନେ ଗୋଟିଏ କିସ୍ତିରେ ୨ ହଜାର ଟଙ୍କା ଲେଖାଏଁ ପାଇବେ। ଏହି ଅର୍ଥ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା ହେବ। ଉକ୍ତ ଯୋଜନାରେ ପାଖାପାଖି ୧୨ କୋଟି କ୍ଷୁଦ୍ର ଓ ନାମମାତ୍ର କୃଷକ ପରିବାର ଉପକୃତ ହେବେ। ୨୦୧୮ ଡିସେମ୍ବର ପହିଲାରୁ ଏହି ଯୋଜନା ପିଛିଲା ଭାବେ ଲାଗୁ ହେବ। ପ୍ରଥମ କିସ୍ତିର ଅର୍ଥ ୨୦୧୯ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ପ୍ରଦାନ କରାଯିବ। ଏ ବାବଦରେ ସରକାରଙ୍କୁ ବାର୍ଷିକ ୭୫ ହଜାର କୋଟି ଟଙ୍କାର ଆର୍ଥିକ ବୋଝ ବହନ କରିବାକୁ ପଡ଼ିବ। ଚଳିତ ଆର୍ଥିକ ବର୍ଷରେ ଡିସେମ୍ବରରୁ ଏହି ଯୋଜନା କାର୍ଯ୍ୟକାରୀ ହେଉଥିବାରୁ ଚଳିତ ଆର୍ଥିକ ବର୍ଷରେ ସରକାର ଏ ବାବଦରେ ୨୦ ହଜାର କୋଟି ଟଙ୍କା ବହନ କରିବେ। କିନ୍ତୁ ଭୂମିହୀନ ଚାଷୀ ଏହି ଯୋଜନା ଦ୍ବାରା ଲାଭବାନ ହୋଇପାରିବେ ନାହିଁ।

ଅଣ ସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନଙ୍କ ପାଇଁ ‘ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା’ ଘୋଷଣା କରାଯାଇଛି। ଏହି ଯୋଜନା ଦ୍ବାରା ଉଭୟ ସଂଗଠିତ ଓ ଅଣ ସଂଗଠିତ କ୍ଷେତ୍ରରେ କାମ କରୁଥିବା ଲୋକମାନେ ଲାଭବାନ ହେବେ। ସଂଗଠିତ କ୍ଷେତ୍ରରେ କାମ କରୁଥିବା ଯେଉଁ ଲୋକମାନଙ୍କ ମାସିକ ଆୟ ୧୫ ହଜାର ଟଙ୍କାରୁ କମ୍ ହୋଇଥିବ ସେମାନେ ଏହି ଯୋଜନାର ଲାଭ ପାଇବେ। ସେମାନଙ୍କୁ ୩୦୦୦ ଟଙ୍କାର ପେନ୍‌ସନ୍ ପ୍ରଦାନ କରାଯିବ। ସେହିପରି ଅଣ ସଂଗଠିତ କ୍ଷେତ୍ରରେ କାମ କରୁଥିବା‌ ଲୋକମାନଙ୍କୁ ମଧ୍ୟ ଏହି ସ୍କିମ୍‌ରେ ୩୦୦୦ ଟଙ୍କାର ପେନ୍‌ସନ୍ ପ୍ରଦାନ କରାଯିବ। ୨୯ ବର୍ଷ ବୟସରେ ଯେଉଁମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ସେମାନଙ୍କୁ ମାସିକ ୧୦୦ ଟଙ୍କାର ଯୋଗଦାନ ପ୍ରଦାନ କରିବାକୁ ପଡ଼ିବ। ୧୮ ବର୍ଷ ବୟସରେ ଏହି ଯୋଜନାରେ ସାମିଲ ‌ହେଲେ ମାସକୁ ମାତ୍ର ୫୫ ଟଙ୍କା ଦେବାକୁ ହେବ। ଏହି ସ୍କିମ୍ ଜରିଆରେ ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ୧୦ କୋଟି ଲୋକ ଲାଭବାନ ହେବେ। ବିଶେଷ କରି ଅନ୍ୟମାନଙ୍କ ଘରେ ରହି କାମ କରୁଥିବା ଲୋକ, ଡ୍ରାଇଭର୍‌, ପାଇପ୍‌ ମିସ୍ତ୍ରୀ ଏବଂ ଇଲେକ୍ଟ୍ରିସିଆନ୍ ଭାବେ କାମ କରୁଥିବା ଲୋକମାନେ ଲାଭବାନ ହେବେ। ଏହି ଯୋଜନା ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ୫୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ସରକାର କହିଛନ୍ତି ଯେ, ଆଗାମୀ ପାଞ୍ଚ ବର୍ଷ ଭିତରେ ଅଣ ସଂଗଠିତ କ୍ଷେତ୍ର ପାଇଁ ଏହା ସବୁଠୁ ବଡ଼ ପେନ୍‌ସନ୍ ଯୋଜନା ହେବ। ଭାରତରେ ୫୦ କୋଟି ଲୋକ ବିଭିନ୍ନ ପ୍ରକାର କାମ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ୯୦% ଲୋକ ଅଣସଂଗଠିତ କ୍ଷେତ୍ରରେ କାମ କରୁଛନ୍ତି। ସେମାନଙ୍କୁ ଦୃଷ୍ଟିରେ ରଖି ସରକାର ଏହି ଯୋଜନା ପ୍ରସ୍ତୁତ କରିଛନ୍ତି।

୫ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ ଟିକସ ଛାଡ଼
ବାର୍ଷିକ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ଲୋକମାନଙ୍କୁ ଟିକସ ଚିନ୍ତା କରିବାକୁ ପଡ଼ିବ ନାହିଁ। ୫ ଲକ୍ଷ ଟଙ୍କାର ବ୍ୟକ୍ତିଗତ ଆୟକୁ ସମ୍ପୂର୍ଣ୍ଣ ଟିକସମୁକ୍ତ କରାଯାଇଛି। ପୂର୍ବରୁ ଏହି ସୀମା ଅଢ଼େଇ ଲକ୍ଷ ଟଙ୍କା ଥିଲା ଯାହାକୁ ସରକାର ଚଳିତ କାମଚଳା ବଜେଟ୍‌ରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବଢ଼ାଇଛନ୍ତି। ଭବିଷ୍ୟ ନିଧି, ବିଶେଷ ସଞ୍ଚୟ ଖାତା ଏବଂ ବୀମା ଆଦିରେ ନିବେଶ କରୁଥିବା ଲୋକମାନଙ୍କୁ ସାଢ଼େ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଆୟ ଉପରେ କୌଣସି ଟିକସ ଗଣିବାକୁ ପଡ଼ିବ ନାହିଁ। ଏହା ବ୍ୟତୀତ ଦୁଇ ଲକ୍ଷ ଟଙ୍କାର ଗୃହ ଋଣର ସୁଧ, ଶିକ୍ଷା ଋଣ ସୁଧ, ରାଷ୍ଟ୍ରୀୟ ପେନ୍‌ସନ୍ ଯୋଜନାର ଯୋଗଦାନ, ମେଡିକାଲ୍ ବୀମା, ବରିଷ୍ଠ ନାଗରିକଙ୍କ ଚିକିତ୍ସାରେ ହେଉଥିବା ଖର୍ଚ ଉପରେ ମଧ୍ୟ ଟିକସ ରିହାତି ମିଳିବ। ଏହା ଦ୍ବାରା ଆତ୍ମନିର୍ଭରଶୀଳ ବ୍ୟକ୍ତି, ଲଘୁ ବ୍ୟବସାୟୀ, ବେତନଭୋଗୀ, ପେନସନ୍‌ଭୋଗୀ ଓ ବରିଷ୍ଠ ନାଗରିକଙ୍କ ସମେତ ୩ କୋଟି ଟିକସଦାତା ଲାଭବାନ ହେବେ। ସେମାନଙ୍କୁ ୧୮,୫୦୦ କୋଟି ଟଙ୍କାର ଲାଭ ମିଳିବ। ଗତ ବଜେଟ୍‌ରେ ସରକାର ୪୦ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍ସନ୍ ଆରମ୍ଭ କରିଥିଲେ। ଏହାକୁ ଏଥର ବଢ଼ାଇ ୫୦ ହଜାର ଟଙ୍କା କରାଯାଇଛି। ଏହି ନିଷ୍ପତ୍ତି ଦ୍ବାରା ୩ କୋଟିରୁ ଅଧିକ ବେତନଭୋଗୀ ଓ ପେନ୍‌ସନ୍‌ଭୋଗୀ ଲାଭବାନ ହେବେ। ସେମାନଙ୍କୁ ୪୭୦୦ କୋଟି ଟଙ୍କାର ଅତିରିକ୍ତ ଲାଭ ମିଳିବ। ସେହିପରି, ଖୁଚୁରା ଆୟ ଉପରେ ଟିଡିଏସ୍‌ ସୀମାକୁ ଲକ୍ଷେ ୮୦ ହଜାର ଟଙ୍କାରୁ ବଢ଼ାଇ ୨ ଲକ୍ଷ ୪୦ ହଜାର ଟଙ୍କା କରାଯାଇଛି। ଦ୍ବିତୀୟ ଘର ଉପରେ କୌଣସି ପୁଞ୍ଜି ଟିକସ (କ୍ୟାପିଟାଲ୍ ଟ୍ୟାକ୍ସ) ଦେବାକୁ ପଡ଼ିବ ନାହିଁ। ଡାକ ଘର ଖାତା ଉପରେ ମିଳୁଥିବା ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ସୁଧ ଉପରେ କୌଣସି ଟିକସ ଗଣିବାକୁ ପଡ଼ିବ ନାହିଁ। ପୂର୍ବରୁ ଏହି ସୁବିଧା କେବଳ ୧୦ ହଜାର ଟଙ୍କାର ସୁଧ ଉପରେ ମିଳୁଥିଲା। ସେହିପରି, ସରକାର ଗ୍ରାଚୁଇଟି ସୀମାକୁ ୧୦ ଲକ୍ଷ ଟଙ୍କାରୁ ବଢ଼ାଇ ୩୦ ଲକ୍ଷ ଟଙ୍କା କରିଦେଇଛନ୍ତି।

ସମ୍ବନ୍ଧିତ ଖବର