୨୦ରୁ ଛପା ହେବ ବଜେଟ୍‌, ଅର୍ଥମନ୍ତ୍ରୀ ବାଣ୍ଟିବେ ହାଲୱା

ବାହ୍ୟ ଲୋକଙ୍କ ସହିତ, କର୍ମଚାରୀଙ୍କ ସମ୍ପନ୍ନ ଛିନ୍ନ ହେବ

ନୂଆଦିଲ୍ଲୀ: ଆସନ୍ତା ୨୦ ତାରିଖ‌ରୁ ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ୍‌ ଦସ୍ତାବିଜ୍ ଛପାକାର୍ଯ୍ୟ ଆରମ୍ଭ ହେବ। ଏହି ଦିନ ପ୍ରଥମେ ହାଲୱା ଉତ୍ସବ ହେବ। ଏଥିରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମେତ ଅନ୍ୟମାନେ ଯୋଗଦେବେ। ହାଲୱା ପ୍ରସ୍ତୁତି ପରେ ତାହାକୁ ନର୍ଥ ବ୍ଲକରେ ଅର୍ଥ ମନ୍ତ୍ରାଳୟର ଅଧିକାରୀ ଏବଂ କର୍ମଚାରୀଙ୍କ ମଧ୍ୟରେ ବଣ୍ଟାଯିବ। ଏହି ପାରମ୍ପରିକ ଉତ୍ସବ ପରେ ବଜେଟ୍ ଛପା କାର୍ଯ୍ୟ ଆରମ୍ଭ ହେବ। ବଜେଟ୍ ଆସନ୍ତା ଫେବ୍ରୁଆରି ୧ ତାରିଖରେ ଉପସ୍ଥାପନ ହେବ। ତେଣୁ ପ୍ରାୟ ୧୦ ଦିନ ଧରି ବଜେଟ୍ ଛପା ସହ ଜଡ଼ିତ ଅଧିକାରୀ ଓ କର୍ମଚାରୀମାନେ ନର୍ଥ ବ୍ଲକ୍‌ର ବେସମେଣ୍ଟକୁ ଯିବେ। ସଂସଦରେ ଅର୍ଥମନ୍ତ୍ରୀ ବଜେଟ୍ ଉପସ୍ଥାପନ କରିବା ପରେ ହିଁ ଯାଇ ଏମାନେ ସେଠାରୁ ବାହାରକୁ ଆସିବେ। ବାର୍ଷିକ ବଜେଟ ପ୍ରସ୍ତାବରେ ରଖାଯାଇଥିବା ବିଷୟ ଗୁଡ଼ିକ ଯେଭଳି ବାହାର ଲୋକଙ୍କ ନିକଟରେ ନପହଞ୍ଚିବ ସେଥିପାଇଁ ଏହି ସତର୍କତା ଅବଲମ୍ବନ କରାଯାଇଥାଏ। ଏତଦବ୍ୟତୀତ ବଜେଟ୍ ପ୍ରସ୍ତୁତି କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନଙ୍କୁ ଧନ୍ୟବାଦ ଦେବା ପାଇଁ ଏହି ପାରମ୍ପରିକ ଉତ୍ସବ ଆୟୋଜନ କରାଯାଇଥାଏ।

ସମ୍ବନ୍ଧିତ ଖବର