ବ୍ୟବସାୟୀ ଓ ଗ୍ରାହକଙ୍କୁ ଏକାଠି କରିବ ବାଣିଜ୍ୟ ମେଳା: ପ୍ରକାଶ ଶାହ

ଫେବ୍ରୁଆରି ୨ରୁ ଭୁବନେଶ୍ୱରରେ ମେଗା ଟ୍ରେଡ୍‌ ଫେୟାର ଆରମ୍ଭ

ଦେଶରେ ପ୍ରଦର୍ଶନୀ ଓ ବାଣିଜ୍ୟ ମେଳା ଆୟୋଜନ କରିବାରେ କୋଲକାତାର ଜି. ଏସ୍‌. ମାର୍କେଟିଂ ଆସୋସିଏଟ୍‌ସ ଏକ ପରିଚିତ ନାମ। ଗ୍ରେଟର ନଏଡାଠାରୁ ଆରମ୍ଭ କରି କୋଲକାତା, ଭୁବନେଶ୍ୱର, ରାଞ୍ଚି, ବିଶାଖାପାଟଣା ଆଦି ସ୍ଥାନରେ ଉନ୍ନତମାନର ପ୍ରଦର୍ଶନୀ ଆୟୋଜନ କରି ଆସୁଥିବା ଏହି ସଂସ୍ଥା ପକ୍ଷରୁ ଚଳିତବର୍ଷ ଆସନ୍ତା ଫେବ୍ରୁଆରି ୨ରୁ ୧୨ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜନ ହେବାକୁ ଯାଉଛି ଇଣ୍ଡିଆ ଇଣ୍ଟରନ୍ୟାସନାଲ ମେଗା ଟ୍ରେଡ୍‌ ଫେୟାର ଓ ହୋମ୍‌ ଆଣ୍ଡ ଡେକୋର୍‌ ପ୍ରଦର୍ଶନୀ। ୨୦୦୪ରୁ ଭୁବନେଶ୍ୱରଠାରେ ବାଣିଜ୍ୟ ମେଳା ଓ ପ୍ରଦର୍ଶନୀ ଆୟୋଜନ କରି ଆସୁଥିବା ଏହି ସଂସ୍ଥାର ଅଧ୍ୟକ୍ଷ ପ୍ରକାଶ ଶାହ ‘ସମ୍ବାଦ’କୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତକାରରେ ଯାହା କୁହନ୍ତି…

8 ଜି. ଏସ. ମାର୍କେଟିଂ ଆସୋସିଏଟ୍‌ସ କେବେଠାରୁ ଏହି ବ୍ୟବସାୟରେ ପ୍ରବେଶ କରିଛି?
୧୯୯୪ରୁ ଜି. ଏସ. ମାର୍କେଟିଂ ଆସୋସିଏଟ୍‌ସ ଆରମ୍ଭ ହୋଇଥିଲା। ମୁଖ୍ୟତଃ ଉନ୍ନତମାନର ପ୍ରଦର୍ଶନୀ ଓ ବାଣିଜ୍ୟ ମେଳା ଆୟୋଜନ ପାଇଁ ଭିତ୍ତିଭୂମି ଯୋଗାଇଦେବା ଏହି କମ୍ପାନିର ଉଦ୍ଦେଶ୍ୟ। ଇତିମଧ୍ୟମରେ କମ୍ପାନି ୨୦୨ ପ୍ରଦର୍ଶନୀ ଓ ବାଣିଜ୍ୟ ମେଳା ସଫଳତାର ସହିତ ଦେଶର ବିଭିନ୍ନ ସହରରେ ଆୟୋଜନ କରିସାରିଲାଣି।
8ଭୁବନେଶ୍ୱରରେ ହେବାକୁ ଥିବା ପ୍ରଦର୍ଶନୀ ସମ୍ପର୍କରେ କ’ଣ କହିବେ?
ଆସନ୍ତା ଫେବ୍ରୁଆରି ୨ରୁ ଭୁବନେଶ୍ୱରର ଜନତା ମଇଦାନରେ ଇଣ୍ଡିଆ ଇଣ୍ଟରନ୍ୟାସନାଲ ମେଗା ଟ୍ରେଡ୍‌ ଫେୟାର (ଭାରତ ଅନ୍ତର୍ଜାତୀୟ ମେଗା ବାଣିଜ୍ୟ ମେଳା) ସହିତ ହୋମ୍‌ ଆଣ୍ଡ ଡେକୋର୍‌ ପ୍ରଦର୍ଶନୀ ଆରମ୍ଭ ହେବ। ୨ ତାରିଖ ରାଜ୍ୟପାଳ ଏସ. ସି. ଜମିର ଏହାକୁ ଉଦ୍ଘାଟନ କରିବେ। ୧୨ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। ଏହି ପ୍ରଦର୍ଶନୀ ପାଇଁ ବେଙ୍ଗଲ ଚାମ୍ବର ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିିଜ୍‌, ଉତ୍କଳ ଚାମ୍ବର ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିିଜ୍‌ ଏବଂ ରେଡା ସହଯୋଗୀ ଭାବେ କାର୍ଯ୍ୟ କରିବେ। ଗୋଟିଏ ସ୍ଥାନରେ ଦୁଇଟି ପ୍ରଦର୍ଶନୀ ଏକ ସଙ୍ଗରେ ହେଉଥିବାରୁ ଏହି ପ୍ରଦର୍ଶନୀର ସ୍ଳୋଗାନ ‘ଟୁ ଏକ୍‌ଜିବିସନ, ଓ୍ଵାନ ଡେଷ୍ଟିନେସନ’ ରଖାଯାଇଛି।
8ଏଠାରେ ଚଳିତବର୍ଷ କେତୋଟି ଏବଂ କେଉଁସବୁ କ୍ଷେତ୍ରର ଷ୍ଟଲ ରହିବ?
ହୋମ୍‌ ଆଣ୍ଡ ଡେକୋରରେ ୨୫୦ ଷ୍ଟଲ ରହିବ। ଇଣ୍ଡିଆ ଇଂଟରନ୍ୟାସନାଲ ମେଗା ଟ୍ରେଡ ଫେୟାରରେ ୪୦୦ ଷ୍ଟଲ ରହିବ। ତେଣୁ ମୋଟ ୬୫୦ଟି ଷ୍ଟଲ ଖୋଲାଯିବ। ୧୪ଟି ଦେଶ ଏବଂ ୧୮ଟି ରାଜ୍ୟର ବ୍ୟବସାୟୀ ଏଥିରେ ଯୋଗଦେବେ। ହୋମ୍‌ ଆଣ୍ଡ ଡେକୋର୍‌ରେ ରିଅଲ ଇଷେଟ, ଗୃହ ଋଣ ପ୍ରଦାନ କାରୀ ସଂସ୍ଥା, ବ୍ୟାଙ୍କ ଏବଂ ରିଅଲ ଇଷ୍ଟେଟ ସହିତ ଜଡ଼ିତ ଅନ୍ୟାନ୍ୟ କମ୍ପାନି ଯଥା ମାର୍ବଲ, ଟାଇଲ, ସିମେଂଟ, ପାଇପ୍‌,ପମ୍ପ ଆଦି କମ୍ପାନିର ଷ୍ଟଲମାନ ରହିବ। ମେଗା ଟ୍ରେଡ ଫେୟାରରେ ଫର୍ଣ୍ଣିଚର, ଇଂଟେରିଅର, ଇଲେକ୍‌ଟ୍ରୋନିକ୍ସ, ଲାଇଫଷ୍ଟାଇଲ, ପ୍ରକ୍ରିୟାକୃତ ଖାଦ୍ୟ, ରେଡିମେଡ ଗାର୍ମେଂଟ ଆଦି କମ୍ପାନିର ଷ୍ଟଲ ରହିବ।
8କେତେ ଦର୍ଶକ ଆସିବା ଆଶା ରଖିଛନ୍ତି ?
ଗତବର୍ଷ ଆମେ ୫୨୫ଟି ଷ୍ଟଲ ଖୋଲିଥିଲୁ। ପ୍ରାୟ ୪ ଲକ୍ଷ ଦର୍ଶକ ଏଠାକୁ ଆସିଥିଲେ। ଚଳିତବର୍ଷ ଅଧିକ ଷ୍ଟଲ ଖୋଲଯାଉଥିବାରୁ ଏବଂ ବିମୁଦ୍ରାକରଣର ପ୍ରଭାବ କମି ଯାଇଥିବାରୁ ୪ ଲକ୍ଷରୁ ଅଧିକ ଦର୍ଶକ ଆସିବେ ବୋଲି ଆଶା ରହିଛି।
8 କେଉଁସବୁ ଦେଶର ସାମଗ୍ରୀ ଉପଲବ୍ଧ ହେବ?
ବିଗତବର୍ଷ ଗୁଡ଼ିକ ଭଳି ଚଳିତବର୍ଷ ପ୍ରଦର୍ଶନୀରେ ପାକିସ୍ତାନର ଓନିକ୍ସ ମାର୍ବଲ, ବାଂଲାଦେଶର ରେଡମେଡ ପୋଷାକ, ତୁର୍କୀର କ୍ରିିଷ୍ଟାଲ ଲାଇଟିଂ, ଇଜିପ୍ଟର ହସ୍ତଶିଳ୍ପ, ଆଫଗାନିସ୍ତାନର ଡ୍ରାଏ ଫ୍ରୁଡ୍‌, ଶ୍ରୀଲଙ୍କାରୁ ପର୍ବତାରୋହୀମାନେ ପିନ୍ଧୁଥିବା ସାମଗ୍ରୀ, ଥାଇଲାଣ୍ଡରୁ ଇମିଟେସନ ଗହଣା, ମହିଳାମାନେ ବ୍ୟବହାର କରୁଥିବା ପ୍ରସାଧାନ ଓ ଅନ୍ୟାନ୍ୟ ସାମଗ୍ରୀ ଆଦି ଉପଲବ୍ଧ ହେବ। ଏଥିସହିତ ଚଳିତବର୍ଷ ନେଦରଲାଣ୍ଡରୁ ଉନ୍ନତମାନର କମ୍ବଳ ପ୍ରଥମ ଥର ପାଇଁ ଆସିବ। ଏତଦ୍‌ବ୍ୟତୀତ ସିିିବିଡିଟି, ଏମ୍‌ଏସ୍‌ଏମ୍‌ଇ ବିଭାଗ , ଏନ୍‌ଏସ୍‌ଆଇସି, କେଭିଆଇସି, ଜାତୀୟ ଝୋଟ ବୋର୍ଡ, ଜାତୀୟ କତା ବୋର୍ଡ, ଆଦି ପ୍ରଦର୍ଶନୀରେ ଭାବନେବେ।
8ରାଜ୍ୟ ସରକାରଙ୍କଠାରୁ କ’ଣ ଆଶା ରଖିଛନ୍ତି?
ଓଡ଼ିଶାରେ ଏହି ପ୍ରଦର୍ଶନୀ ହେଉଥିବାରୁ ଓଡ଼ିଶାର ପ୍ରଚାର ପ୍ରସାର ହେବ। ଉଭୟ ବ୍ୟବସାୟୀ ଓ ଗ୍ରାହକଙ୍କୁ ଏହି ବାଣିଜ୍ୟ ମେଳା ଏକତ୍ରିତ କରିବାର କ୍ଷମତା ରଖିଛି। ଏଠାରେ ଉଭୟ ବି-ଟୁ-ବି ଏବଂ ବି-ଟୁ-ସି ବା ବ୍ୟବସାୟୀ ଓ ବ୍ୟବସାୟୀ ଏବଂ ବ୍ୟବସାୟୀ ଓ ଗ୍ରାହକଙ୍କ ମଧ୍ୟରେ ସିଧାସଳଖ ସମ୍ପର୍କ ସ୍ଥାପନ ହେବ। ଏଥିଯୋଗୁଁ ଆମଦାନୀ ଓ ରପ୍ତାନି ସୁଯୋଗ ସୃଷ୍ଟି ହେବ। ତେଣୁ ରାଜ୍ୟ ସରକାର ଏହି ପ୍ରଦର୍ଶନୀକୁ ଅଧିକରୁ ଅଧିକ ସହଯୋଗ କରିବେ ବୋଲି ଆଶା ରହିଛି।
8ଓଡ଼ିଶାର ଜନସାଧାରଣଙ୍କୁ କ’ଣ ବାର୍ତା ଦେବେ?
ଓଡ଼ିଶାରେ ଜି. ଏସ. ମାର୍କେଟିଂ ଆସୋସିଏଟ୍‌ସ ପକ୍ଷରୁ ଯେଉଁ ଉନ୍ନତଧରଣର ପ୍ରଦର୍ଶନୀ ଆୟୋଜନ କରାଯାଉଛି ତାହାକୁ ଜନସାଧାରଣ ଏବଂ ବ୍ୟବସାୟୀମାନେ ବୁଲି ଦେଖିବା ଉଚିତ। ଏହାଦ୍ୱାରା ସେମାନେ ଅନ୍ତର୍ଜାତୀୟମାନର ପ୍ରଦର୍ଶନୀର ଅନୁଭୁତି ପାଇବେ ବୋଲି କମ୍ପାନି ଆଶାବାଦୀ ରହିଛି।

ସମ୍ବନ୍ଧିତ ଖବର