ଭାରତର ଶରଣ ପଶିଲା ଚୀନ୍, ଆମେରିକା ସହ ବାଣିଜ୍ୟ ଲଢ଼େଇ

ୱାସିଂଟନ: ଆମେରିକା ସହ ବାଣିଜ୍ୟ ଲଢ଼େଇରେ ଅସହାୟ ହୋଇପଡ଼ିଥିବା ଚୀନ୍ ଏବେ ଭାରତର ଶରଣ ପଶିଛି। ଭାରତରେ ଅବସ୍ଥାପିତ ଚୀନ୍‌ ରାଷ୍ଟ୍ରଦୂତ କାଉନ୍‌ସେଲର୍‌ ଜି ରଙ୍ଗ୍‌ କହିଛନ୍ତି ଯେ, ରକ୍ଷଣଶୀଳ ବ୍ୟବସାୟ ନୀତିର ପ୍ରଭାବରୁ ମୁକ୍ତ ରହିବାକୁ ହେଲେ ଭାରତ ଓ ଚୀନ୍‌କୁ ବ୍ୟବସାୟ ସମ୍ପର୍କ ଆହୁରି ଗଭୀର କରିବାକୁ ପଡ଼ିପ। ଏହି ଦୁଇ ଦେଶ ହେଉଛି ବିଶ୍ବର ସର୍ବବୃହତ ଉଦୀୟମାନ ଅର୍ଥନୀତି। ସଂସ୍କାର ଓ ଅର୍ଥନୈତିକ ଅଭିବୃଦ୍ଧିକୁ ଆଗକୁ ବଢ଼ାଇବାର ଏକ ଗୁରୁତ୍ବପୂର୍ଣ୍ଣ ସମୟ ଦେଇ ଉଭୟ ଭାରତ ଓ ଚୀନ୍ ଗତି କରୁଛନ୍ତି। ଉଭୟ ଦେଶ ପାଇଁ ଏକ ସ୍ଥିର ବାହ୍ୟ ପରିବେଶର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ସେ କହିଲେ ଜାତୀୟ ସୁରକ୍ଷା ଓ ଯୁକ୍ତିଯୁକ୍ତ ବାଣିଜ୍ୟ ନାମରେ ବ୍ୟବସାୟକୁ ନେଇ କିିଛି ଦେଶ ଯେଉଁ ଏକପାଖିଆ ରକ୍ଷଣଶୀଳ ନୀତି ଗ୍ରହଣ କରିଛନ୍ତି ତାହା କେବଳ ଚୀନ୍ ନୁହେଁ ବରଂ ଭାରତର ଆର୍ଥିକ ବିକାଶକୁ ପ୍ରଭାବିତ କରିବ। ଏହି ସ୍ଥିତିରୁ ନିଜକୁ ଦୂରେଇ ରଖିବାକୁ ହେଲେ ଭାରତ ଓ ଚୀନ୍‌କୁ ପରଷ୍ପର ଭିତରେ ସହଯୋଗିତା ବଢ଼ାଇବାକୁ ପଡ଼ିବ ବୋଲି ସେ କହିଛନ୍ତି। ଗତ ମାସରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚୀନ୍‌ର ୨୦୦ ବିଲିଅନ୍ ଡଲାର ସାମଗ୍ରୀ ଉପରେ ଟିକସ ମାତ୍ରା ବହୁତ ବଢ଼ାଇଦେଇଥିଲେ। ଏହାର ଜବାବରେ ଚୀନ୍ ପକ୍ଷରୁ ଆମେରିକାର ୬୦ ବିଲିଅନ୍ ଡଲାର ସାମଗ୍ରୀ ଉପରେ ଟିକସ ମାତ୍ରା ବଢ଼ାଇ ଦିଆଯାଇଥିଲା। କିନ୍ତୁ ଚୀନ୍‌ର ଏହି ପ୍ରତି ଆକ୍ରମଣକୁ ଆମେରିକା ଭ୍ରୁକ୍ଷେପ କରିନଥିଲା। ଓଲଟା ଜବାବ ଦେଇଥିଲା ଯେ ଯଦି ଚୀନ୍ ଏଭଳି ଦୁଃସାହସ ଦୋହରାଇ ତେବେ ଆଉ ୨୬୦ ବିଲିଅନ୍ ଡଲାର ସାମଗ୍ରୀ ଉପରେ ଟିକସ ମାତ୍ରା ବଢ଼ାଇ ଦିଆଯିବ।

ଶ୍ରୀ ରଙ୍ଗ୍‌ କହିଛନ୍ତି ଯେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କ ବହୁ ସ୍ତରୀୟ ବାଣିଜ୍ୟ ବ୍ୟବସ୍ଥା ଓ ମୁକ୍ତ ବାଣିଜ୍ୟକୁ ନେଇ ସମାନ ଚିନ୍ତାଧାରା ରହିଛି। ସେ ବିଷୟରେ ଏହି ଦୁଇ ନେତା ନିଜ ମତ ଡାଭୋସ୍‌ରେ ଅନୁଷ୍ଠିତ ହୋଇଥିବା ବିଶ୍ବ ଅର୍ଥନୈତିକ ଫୋରମ୍ ସମ୍ମିଳନୀରେ ସ୍ପଷ୍ଟ କରିସାରିଛନ୍ତି। ଉଲ୍ଲେଖଯୋଗ୍ୟ, ଆମେରିକା ସହିତ ବାଣିଜ୍ୟ ଲଢ଼େଇରେ ଚୀନ୍‌କୁ ଅନେକ ମୂଲ୍ୟ ଦେବାକୁ ପଡ଼ିଲାଣି। ଚୀନ୍‌ ଅଣନିଶ୍ବାସୀ ହୋଇଗଲାଣି। ସରକାରୀ ଋଣ ବୋଝ ବଢ଼ିଚାଲିଥିବା ବେଳେ ସେଠାକାର ବ୍ୟାଙ୍କଗୁଡ଼ିକ ପାଖରେ ବ୍ୟବସାୟ ପ୍ରତିଷ୍ଠାନକୁ ଋଣ ଦେବାକୁ ଆବଶ୍ୟକ ପରିମାଣର ନଗଦ ଅର୍ଥ ନାହିଁ। ଏହାକୁ ଦୃଷ୍ଟିରେ ରଖି ନିକଟରେ ସେଠାକାର କେନ୍ଦ୍ରୀୟ ବ୍ୟାଙ୍କ ଏକ ଆର୍‌ଆର୍‌ଆର୍‌ ହ୍ରାସ କରିଥିଲା ଯାହା ଫଳରେ ଅତିରିକ୍ତ ୧୦୯ ବିଲିଅନ୍‌ ଡଲାର ବଜାରରେ ଉପଲବ୍ଧ ହୋଇଛି। ସେହି ଅର୍ଥକୁ ନୂତନ ଋଣ ପ୍ରଦାନ ଓ ଭିତ୍ତିଭୂମି ପ୍ରକଳ୍ପରେ ପୁଞ୍ଜିନିବେଶ ବାବଦରେ ଖର୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧିତ ଖବର