ବ୍ୟବସାୟୀ ଉତ୍ସାହିତ, ଖାଉଟି ଚିନ୍ତିତ

ସହାୟକ ମୂଲ୍ୟ ବୃଦ୍ଧି ପରେ ସେନ୍‌ସେକ୍ସ ବଢ଼ିଲା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ଧାନ ସମେତ ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବୃଦ୍ଧି କରିଛନ୍ତି। ନିର୍ବାଚନକୁ ଆଉ ମାତ୍ର ୧ ବର୍ଷରୁ କମ୍‌ ସମୟ ଥିବାବେଳେ ସରକାର ବିଭିନ୍ନ ଫସଲର ସହାୟକ ମୂଲ୍ୟରେ କିଛିଟା ଆଖିଦୃଶିଆ ବୃଦ୍ଧି କରି ଚାଷୀ ଓ ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିନ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ନିଆଯାଇଥିବା ଏହି ସହାୟକ ମୂଲ୍ୟ ବୃଦ୍ଧି ପ୍ରସ୍ତାବକୁ ପୁଞ୍ଜି ବଜାର ନିବେଶକମାନେ ସ୍ୱାଗତ କରିଛନ୍ତି। ଏମ୍‌ଏସ୍‌ପି ମୂଲ୍ୟ ବୃଦ୍ଧି ଘୋଷଣା ପରେ ପୁଞ୍ଜି ବଜାର ନିବେଶକମାନେ ଉତ୍ସାହିତ ହୋଇ ପଡ଼ିଛନ୍ତି। ଫଳରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନ୍‌ସେକ୍ସରେ ୨୬୭ ପଏଣ୍ଟ ବୃଦ୍ଧି ଘଟି ଏହା ୩୫୬୪୫ ପଏଣ୍ଟରେ ବନ୍ଦ ହୋଇଛି। ସେହିଭଳି ନିଫ୍‌ଟି ମଧ୍ୟ ୭୦ ପଏଣ୍ଟ ବୃଦ୍ଧି ପାଇ ୧୦୭୬୯ ପଏଣ୍ଟରେ ବନ୍ଦ ହୋଇଛି।

ବ୍ୟବସାୟୀମାନେ ଉତ୍ସାହିତ ହେବାର କାରଣ ହେଲା ଫସଲର ସହାୟକ ମୂଲ୍ୟ ବୃଦ୍ଧି କରାଯାଇ ଥିବାରୁ ଗ୍ରାମାଞ୍ଚଳରେ କୃଷକଙ୍କ ଆୟ ବୃଦ୍ଧି ଘଟିବ। ଫଳରେ ସେମାନେ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ସମର୍ଥ ହେବେ। ଏଥିଯୋଗୁଁ କମ୍ପାନିଙ୍କ ବିକ୍ରିବଟା ବଢ଼ିବ। ବିଶେଷକରି ଟ୍ରାକ୍ଟର ଏବଂ ବାଇକ୍‌ କମ୍ପାନି ଗୁଡ଼ିକର ବିକ୍ରି ଗ୍ରାମାଞ୍ଚଳରେ ଅଧିକ ମାତ୍ରାରେ ହେବ। ଏହାର ପ୍ରଭାବ ଆଜି ଅଟୋମୋବାଇଲ କମ୍ପାନିର ନିବେଶକଙ୍କ ଉପରେ ପଡ଼ିଛି। ସେନ୍‌ସେକ୍ସରେ ଆଜି ଯେଉଁ ବୃଦ୍ଧି ଘଟିଛି ସେଥିରେ ଅଟୋ କମ୍ପାନି ଏବଂ ବ୍ୟାଙ୍କର ନିବେଶକମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଅନ୍ୟପକ୍ଷରେ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ସାଧାରଣ ଖାଉଟିଙ୍କ ପାଇଁ ଚିନ୍ତା ବଢ଼ାଇଛି। ସହାୟକ ମୂଲ୍ୟ ବୃଦ୍ଧି ପ୍ରଭାବରେ ଆଗାମୀ ଦିନରେ ବିଭିନ୍ନ ସାମଗ୍ରୀର ଦରଦାମ ବଢ଼ିବ। ଏହାଫଳରେ ଦେଶର ମୁଦ୍ରାସ୍ଫୀତି ମଧ୍ୟ ବୃଦ୍ଧି ଘଟିବ। ଗତ ଫେବ୍ରୁଆରି ୧ ତାରିଖରେ ବଜେଟ୍‌ରେ ସରକାର ଏମ୍‌ଏସ୍‌ପି ସଂକ୍ରାନ୍ତ ପ୍ରସ୍ତାବ ଘୋଷଣା କରିବା ବେଳଠାରୁ ହିଁ ରିଜର୍ଭ ବ୍ୟାଙ୍କ ଏହି ଆଶଙ୍କା ଜାରି କରି ଆସିଛି। ସହାୟକ ମୂଲ୍ୟ ବୃଦ୍ଧି ଘୋଷଣା ପରେ ଇଣ୍ଡିଆ ରେଟିଂ ପକ୍ଷରୁ ଏ ନେଇ ସତର୍କ କରାଇ ଦିଆଯାଇଛି। ଏଥିଯୋଗୁଁ ପାଇକାରୀ ମୁଦ୍ରାସ୍ଫୀତିରେ ୦.୩୮ ପ୍ରତିଶତ ଏବଂ ଖୁଚୁରା ମୁଦ୍ରାସ୍ଫୀତିରେ ୦.୭୦ ପ୍ରତିଶତ ବୃଦ୍ଧି ଘଟିବ ବୋଲି ଏହି ସଂସ୍ଥା ଆକଳନ କରିଛି। କେବଳ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନୁହେଁ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ମଧ୍ୟ ମୁଦ୍ରାସ୍ଫୀତି ଉପରେ ଚାପ ସୃଷ୍ଟି କରିବ। ଏତଦ୍‌ବ୍ୟତୀତ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ଗତ କିଛିଦିନ ତଳେ ସର୍ବକାଳୀନ ନିମ୍ନ ସ୍ତରକୁ ଖସି ଆସିଥିଲା। ଟଙ୍କା ଦୁର୍ବଳ ହେବା ଫଳରେ ଆମଦାନୀ କରାଯାଉଥିବା ସାମଗ୍ରୀ ମଧ୍ୟ ମହଙ୍ଗା ହେବ। ତେଣୁ ଫସଲର ସହାୟକ ମୂଲ୍ୟ, ଅଶୋଧିତ ତେଲ ଦର ବୃଦ୍ଧି ଏବଂ ଟଙ୍କା ଦୁର୍ବଳ ହେବା ପ୍ରଭାବରେ ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି ଘଟିବା ଆଶଙ୍କା ସୃଷ୍ଟି ହୋଇଛି। ଏସବୁକୁ ଆଗାମୀ ଦିନରେ ରିଜର୍ଭ ବ୍ୟାଙ୍କ ନିଶ୍ଚିତ ଭାବେ ବିଚାରକୁ ନେବ। ଦୀର୍ଘଦିନ ପରେ ଗତମାସରେ ରିଜର୍ଭ ବ୍ୟାଙ୍କ ଗତମାସରେ ରେପୋ ରେଟ୍‌ରେ ୦.୨୫ ପ୍ରତିଶତ ବୃଦ୍ଧି କରିଥିଲା। ଏବେ ପୁଣି ମୁଦ୍ରାସ୍ଫୀତି ବୃଦ୍ଧି ଆଶଙ୍କା ଦେଇଥିବାରୁ ଆସନ୍ତା ଅଗଷ୍ଟ କିମ୍ବା ଅକ୍ଟୋବରରେ ରିଜର୍ଭ ବ୍ୟାଙ୍କ ପୁଣି ରେପୋ ରେଟ୍‌ ବୃଦ୍ଧି କରିବା ସମ୍ଭାବନା ରହିଛି। ଫସଲର ସହାୟକ ମୂଲ୍ୟ ବୃଦ୍ଧି ଯୋଗୁଁ ସରକାରଙ୍କ ଉପରେ ପ୍ରାୟ ୧୫ ହଜାର କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବ। ସରକାର ଯଦି ଯଥେଷ୍ଟ ପରିମାଣର ରାଜସ୍ୱ ସଂଗ୍ରହ କରି ନପାରନ୍ତି ତାହେଲେ ଏମ୍‌ଏସ୍‌ପି ଏବଂ ତେଲ ଦର ବୃଦ୍ଧି ଏବଂ ଟଙ୍କା ଦୁର୍ବଳ ହେବାର ପ୍ରଭାବରେ ଦେଶର ମାକ୍ରୋ ଅର୍ଥନୀତିର ଗଣିତ ବିଗିଡିଯିବାର ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର