ସିବିଆଇ ତଦନ୍ତ ଦାବି କଲେ ବ୍ୟବସାୟୀ

ଜିଏସ୍‌ଟି ପୋର୍ଟାଲ୍‌ ସମସ୍ୟା

ବେଙ୍ଗାଲୁରୁ: ଜିଏସ୍‌ଟି ନେଟଓ୍ଵର୍କରେ ବାରମ୍ବାର ଦେଖାଦେଉଥିବା ସମସ୍ୟାର ସମାଧାନ ହୋଇପାରୁନଥିବାରୁ ବ୍ୟବସାୟୀମାନେ ଅସନ୍ତୋଷ ଜାହିର କରିଛନ୍ତି। ଜିଏସ୍‌ଟି ଲାଗୁ ଦେବା ଦିନଠାରୁ ଏହି ପୋର୍ଟାଲ୍‌ ଠିକ୍‌ ଭାବେ କାମ କରିବା କଥା। ମାତ୍ର ଚାରି ମାସ ପରେ ମଧ୍ୟ ତାହା ପରୀକ୍ଷାମୂଳକ ଭାବେ କାମ କରୁଥିବା ଭଳି ମନେ ହେଉଛି ବୋଲି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ପକ୍ଷରୁ କୁହାଯାଇଛି। ଜିଏସ୍‌ଟି ନେଟଓ୍ଵର୍କ ବିକଶିତ କରିଥିବା ଇନ୍‌ଫୋସିସ୍‌ ଏବଂ ଅନ୍ୟ ସଂସ୍ଥାଗୁଡ଼ିକର କାମ କାହିଁକି ସନ୍ତୋଷଜନକ ହୋଇନାହିଁ ତାହାର ସିବିଆଇ ତଦନ୍ତ କରିବା ପାଇଁ ମହାସଂଘ ପକ୍ଷରୁ ଦାବି କରାଯାଇଛି।

ମହାସଂଘ ପକ୍ଷରୁ କୁହାଯାଇଛି ଯେ ଜିଏସ୍‌ଟି ନେଟଓ୍ଵର୍କ ଠିକ୍‌ ଭାବେ କାମ କରୁନଥିବାରୁ ସାରା ଦେଶର ବ୍ୟବସାୟୀମାନେ ମାନସିକ ନିର୍ଯ୍ୟାତନା ସହୁଛନ୍ତି। ଜିଏସ୍‌ଟି ପୋର୍ଟାଲ୍‌ର ସମସ୍ୟା ଦେଶ ପ୍ରତି ବିଶ୍ୱାସଘାତ ବୋଲି ମହାସଂଘ କହିଛି। ଏହି ପୋର୍ଟାଲ୍‌ରେ ରହିଥିବା ବୈଷୟିକ ଏବଂ ଅନ୍ୟ ସବୁ ସମସ୍ୟାର ତୃତୀୟ ପକ୍ଷ ଅଡିଟ୍‌ କରିବାକୁ ମଧ୍ୟ ମହାସଂଘ ଦାବି କରିଛି। ପୋର୍ଟାଲ୍‌ ଉପରେ ଶ୍ୱେତପତ୍ର ଜାରି କରିବାକୁ ମହାସଂଘ ସରକାରଙ୍କ ନିକଟରେ ଦାବି କରିଛି।

ଇନ୍‌ଫୋସିସ୍‌ ଉପରେ ଦୋଷ ଲଦିବାକୁ ଉଦ୍ୟମ

ଜିଏସ୍‌ଟିକୁୁ ନେଇ ବିଭିନ୍ନ ମହଲରେ ସମାଲୋଚନାର ଶିକାର ହେଉଥିବା କେନ୍ଦ୍ର ସରକାର ଜିଏସ୍‌ଟି ନେଟଓ୍ଵର୍କ ବିକଶିତ କରିଥିବା ସୂଚନା ପ୍ରଯୁକ୍ତି କଂପାନି ଇନ୍‌ଫୋସିସ୍‌ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଜିଏସ୍‌ଟି ନେଟ୍‌ଓ୍ଵର୍କ (ଜିଏସ୍‌ଟିଏନ୍‌)ରେ ବାରମ୍ବାର ସମସ୍ୟା ଦେଖାଦେଉଥିବାରୁ ସରକାରଙ୍କୁ ଅନେକ ଥର ଜିଏସ୍‌ଟି ରିଟର୍ଣ୍ଣ ଫାଇଲ୍‌ କରିବା ସମୟ ସୀମା ବଢ଼ାଇବାକୁ ପଡ଼ିଲାଣି। ଜିଏସ୍‌ଟି ନେଟଓ୍ଵର୍କ ବିକଶିତ କରିବା ପାଇଁ ୨୦୧୫ରେ ଇନ୍‌ଫୋସିସ୍‌ ୧୩୮୦ କୋଟି ଟଙ୍କାର ଡିଲ୍‌ ହାସଲ କରିଥିଲା। କିନ୍ତୁ ଏହା ବିକଶିତ କରିଥିବା ନେଟଓ୍ଵର୍କର କାମ ସନ୍ତୋଷଜନକ ହୋଇପାରିନାହିଁ। କଂପାନିର ନେଟଓ୍ଵର୍କ ସନ୍ତୋଷଜନକ ନୁହେଁ ବୋଲି ଯାହା କୁହାଯାଉଛି ତାହା ଠିକ୍‌ ନୁହେଁ ବୋଲି ଇନ୍‌ଫୋସିସ୍‌ ପକ୍ଷରୁ କୁହାଯାଇଛି।

କଂପାନି କ’ଣ କହୁଛି?

ଆମର ଶ୍ରେଷ୍ଠ ଇଞ୍ଜିନିୟରମାନେ ଜିଏସ୍‌ଟି ନେଟଓ୍ଵର୍କ ଉପରେ କାମ କରୁଛନ୍ତି। ସେମାନେ ସମସ୍ତ ଅଂଶୀଦାରଙ୍କ ସମସ୍ୟା ସମାଧାନ କରିବା ପାଇଁ କଠିନ ପରିଶ୍ରମ କରୁଛନ୍ତି। ନେଟଓ୍ଵର୍କରେ ଦେଖାଉଥିବା ସମସ୍ୟାକୁ ଯଥାଶୀଘ୍ର ସମାଧାନ କରିବାକୁ ପ୍ରୟାସ କରାଯାଉଛି। ତେବେ ଆମର ନେଟଓ୍ଵର୍କ ସନ୍ତୋଷଜନକ ନୁହେଁ ବୋଲି ଯାହା କୁହାଯାଉଛି ତାହା ଠିକ୍‌ ନୁହେଁ ବୋଲି କଂପାନି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର