ନୂଆଦିଲ୍ଲୀ: ପାକିସ୍ତାନରେ ବାସ କରୁଥିବା ଆତଙ୍କବାଦୀ ସଂଗଠନ ଜେଇଏମ ମୁଖ୍ୟ ମସୁଦ ଆଝାରକୁ ଆତଙ୍କବାଦୀ ଘୋଷଣାକୁ ଚୀନ କୂଟନୈତିକ ସ୍ତରରେ ବିରୋଧ କରୁଛି। ଚୀନର ଏଭଳି ଚାଲ୍ ବିରୋଧରେ ଭାରତର ବ୍ୟବସାୟୀମାନେ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ପକ୍ଷରୁ ଆଜି ଏ ନେଇ ଦେଶର ୧୫୦୦ଟି ସ୍ଥାନରେ ଚୀନ ସାମଗ୍ରୀକୁ ବର୍ଜନ ଓ ପୋଡ଼ିବା ପାଇଁ ଡାକରା ଦିଆଯାଇଥିଲା। ତେବେ ଏହା ସେତେଟା ସଫଳ ହୋଇପାରି ନାହିଁ। ହୋଲି ପର୍ବ ପାଇଁ ବ୍ୟବସାୟୀମାନେ ଏବେ ସେମାନଙ୍କ ଦୋକାନରେ ଚୀନ ସାମଗ୍ରୀ ବିକ୍ରି କରିବାରେ ବ୍ୟସ୍ତ ଅଛନ୍ତି।
ଦିଲ୍ଲୀ ସଦର ବଜାରର ଜଣେ ବ୍ୟବସାୟୀ କୁହନ୍ତି, ଏଠାରେ ୯୦ ପ୍ରତିଶତ ଚୀନ ସାମଗ୍ରୀ ବିକ୍ରି ହୋଇଥାଏ। ଯଦି ଏଗୁଡ଼ିକୁ ବର୍ଜନ କରାଯାଏ ତାହେଲେ ଆମେ ବ୍ୟବସାୟ କିଭଳି କରିବୁ ବୋଲି ସେ କହିଛନ୍ତି। ବ୍ୟବସାୟୀ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲେ ମଧ୍ୟ ସ୍ଥାନୀୟ ବ୍ୟବସାୟୀମାନେ ଚୀନ ସାମଗ୍ରୀର ବିକ୍ରିକୁ ବନ୍ଦ କରିବାକୁ ମନା କରିଦେଇଛନ୍ତି। ସେମାନେ କହିଛନ୍ତି ଯେ, ସରକାର ଚୀନରୁ ସାମଗ୍ରୀ ଆମଦାନି ବନ୍ଦ କରନ୍ତୁ। ଆମେ ଚୀନ ସାମଗ୍ରୀ ବିକ୍ରି କରୁଛି। ପୂର୍ବରୁ ଏସବୁ ସାମଗ୍ରୀକୁ କ୍ରୟ କରାଯାଇ ମହଜୁଦ ରଖାଯାଇଛି। ବିକ୍ରି କରିବା ଛଡ଼ା ଆମ ନିକଟରେ କିଛି ବିକଳ୍ପ ନାହିଁ। ଚାହିଦା ଅନୁସାରେ ଆମେ ସେସବୁ ସାମଗ୍ରୀକୁ ବିକ୍ରି କରିବୁ ବୋଲି ଏକ ଦୋକାନର କର୍ମଚାରୀ କହିଛନ୍ତି।
ଏହାବ୍ୟତୀତ ଅନେକ ବ୍ୟବସାୟୀ ଭାରତରେ ଚୀନ ସାମଗ୍ରୀର ଆମଦାନି ବନ୍ଦ ସହ ସହମତ ନାହାନ୍ତି। ଜଣେ ବ୍ୟବସାୟୀ କହିଛନ୍ତି, ଚୀନ୍ ଖେଳଣା ସମେତ ଅନ୍ୟାନ୍ୟ ସାମଗ୍ରୀର ବିକ୍ରି ଆମ ବ୍ୟବସାୟରେ ଏକ ବଡ଼ ଭାଗ ରହିଛି। ତେଣୁ ସେଗୁଡ଼ିକର ବିକ୍ରି ବନ୍ଦ କରି ଦିଆଗଲେ ଆମର ବ୍ୟବସାୟ ନିଶ୍ଚିତଭାବେ ପ୍ରଭାବିତ ହେବ।ଅନ୍ୟଜଣେ ବ୍ୟବସାୟୀଙ୍କ କହିବାନୁଯାୟୀ, ସମସ୍ତେ ଚୀନ ସାମଗ୍ରୀ ବିକ୍ରି କରୁଛନ୍ତି। ଏହାର ବିକ୍ରିକୁ ଆମେ କିଭଳି ବନ୍ଦ କରିପାରିବା? ଚୀନରୁ ଆସୁଥିବା ସାମଗ୍ରୀର ମୂଲ୍ୟ କମ୍ ରହୁଥିବାରୁ ଅନେକ ଗ୍ରାହକ ଏହାକୁ କିଣିବାକୁ ପସନ୍ଦ କରୁଛନ୍ତି ବୋଲି ଅନ୍ୟ ଜଣେ ବ୍ୟବସାୟୀ ମତ ଦେଇଛନ୍ତି।
ବ୍ୟବସାୟୀ ସଂଘର ପ୍ରତିନିଧିମାନେ ଆଜି ଚୀନ ନିର୍ମିତ ସାମଗ୍ରୀକୁ ପୋଡ଼ିଛନ୍ତି। ସିଏଆଇଟିର ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି, ଭାରତର ଜାତୀୟ ସୁରକ୍ଷା ବିରୋଧରେ ଯିଏ ଠିଆ ହେବ ଆମେ ତାହାର ସାମଗ୍ରୀକୁ ବର୍ଜନ କରିବୁ। ଚୀନ ସାମଗ୍ରୀ ଆମଦାନି ଉପରେ କଟକଣା ଜାରି କରିବା ଲାଗି ମଧ୍ୟ ସଂଘ ଦାବି କରିଛି। ଆମଦାନି ହ୍ରାସ କରିବା ପାଇଁ ଚୀନ ସାମଗ୍ରୀ ଉପରେ ସରକାର ତୁରନ୍ତ ୩୦୦%ରୁ ୫୦୦ ପ୍ରତିଶତ ସୀମା ଶୁଳ୍କ ଲାଗୁ କରିବା ଉଚିତ। ଗତବର୍ଷ ଚୀନରୁ ଭାରତକୁ ୫୩,୮୭୮.୦୬ ନିୟୁତ ଡଲାରର ସାମଗ୍ରୀ ଚୀନରୁ ଆମଦାନି ହୋଇଥିଲା।
ଚୀନ ସାମଗ୍ରୀ ପୋଡ଼ିଲେ ବ୍ୟବସାୟୀ
O ୧୫୦୦ ସ୍ଥାନରେ ବର୍ଜନ ଡାକରା O ୫୦୦% ସୀମା ଶୁଳ୍କ ଲଗାଅ
/sambad/media/post_attachments/wp-content/uploads/2019/03/burning-chinies-goods.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)