ସାକ୍ଷାତକାର:ଓଡ଼ିଶାରେ କାରବାର ୭୦୦ କୋଟି ଟପିବ

ଏସ୍‌ବିଆଇ ଲାଇଫ୍‌ର ସଭାପତି-ଜୋନ୍‌ ୩ ରବିନ୍ଦ୍ର କୁମାର ଭୁବନେଶ୍ୱର ଆସିଛନ୍ତି। କଂପାନିର କାରବାର ଓ ଭବିଷ୍ୟତ ଯୋଜନା ବିଷୟରେ ଯେ ଯାହା କହିଥିଲେ ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି। ତାଙ୍କ ସହିତ ଉପସ୍ଥିତ ଥିଲେ କଂପାନିର ଆଞ୍ଚଳିକ ନିର୍ଦେଶକ ସଞ୍ଜୟ ଭଟ୍ଟନାଗର
ଓଡ଼ିଶାରେ କଂପାନିର କାରବାର କିଭଳି ରହିଛି?
୨୦୧୬ ଡିସେମ୍ବର ସୁଦ୍ଧା ଓଡ଼ିଶାରେ ଆମ କାରବାର ପରିମାଣ ୪୫୦ କୋଟି ଟଙ୍କାରୁ ଅଧିକ ଥିଲା। ୨୦୧୭ ଡିସେମ୍ବର ସୁଦ୍ଧା ତାହା ୩୩% ବୃଦ୍ଧି ପାଇ ୬୦୦ କୋଟି ଟଙ୍କାରେ ପହଞ୍ଚିଛି। ଚଳିତ ବର୍ଷ ମାର୍ଚରେ ଶେଷ ହେଉଥିବା ୨୦୧୭-୧୮ ଆର୍ଥିକ ବର୍ଷରେ ଆମର କାରବାର ପରିମାଣ ରାଜ୍ୟରେ ୭୦୦ କୋଟି ଟଙ୍କା ଟପିଯିବ ବୋଲି ଆମର ବିଶ୍ୱାସ ରହିଛି।
କେଉଁ ବର୍ଗର ପଲିସି ସର୍ବାଧିକ ବିକ୍ରି ହେଉଛି?
ଏସ୍‌ବିଆଇ ଲାଇଫ୍‌ର ବିକ୍ରି ହେଉଥିବା ମୋଟ ପଲିସି ମଧ୍ୟରୁ ୬୦% ୟୁଲିପ୍‌ ହୋଇଥିବା ବେଳେ ୩୮% ପାରମ୍ପରିକ ପଲିସି ଏବଂ ୨% ହେଉଛି ପ୍ରୋଟେକ୍ସନ୍‌ (ସୁରକ୍ଷା) ପଲିସି। ଆମେ ପ୍ରୋଟେକ୍ସନ ପଲିସିର ଅବଦାନକୁ ୫-୧୦% ପର୍ଯ୍ୟନ୍ତ ବଢ଼ାଇବାକୁ ଲକ୍ଷ୍ୟ ରଖିଛୁ।
ଓଡ଼ିଶାରେ କଂପାନିର ପଲିସିଧାରକ ସଂଖ୍ୟା କେତେ?
ସାରା ଭାରତରେ ଆମର ଏକ କୋଟିରୁ ଅଧିକ ଗ୍ରାହକ ରହିଛନ୍ତି। ଓଡ଼ିଶାରେ ସେମାନଙ୍କ ସଂଖ୍ୟା ହେଉଛି ୨ ଲକ୍ଷ ୩୯ ହଜାରରୁ ଅଧିକ । ଗତବର୍ଷ ଆମେ ରାଜ୍ୟରେ ୫୯ ହଜାର ପଲିସି ବିକ୍ରି କରିଥିଲୁ। ଚଳିତ ବର୍ଷ ୭୫ ହଜାର ପଲିସି ବିକ୍ରି କରିବାକୁ ଲକ୍ଷ୍ୟ ରଖିଛୁ।
କଂପାନିର ମୋଟ କେତେ ସଂଖ୍ୟକ ପଲିସି ରହିଛି?
ଆମ ପାଖରେ ଏବେ ୪୦ ପ୍ରକାର ପଲିସି ଅଛି। ସେଥି ମଧ୍ୟରୁ ୩୧ଟି ବ୍ୟକ୍ତିଗତ ପଲିସି ହୋଇଥିବା ବେଳେ ୯ଟି ହେଉଛି ଗ୍ରୁପ୍‌ ପଲିସି।
କିଛି ନୂଆ ପଲିସି ଆଣିବାର ଯୋଜନା ଅଛି କି?
ନୂଆ ପଲିସି ଆଣିବା ବୀମା କଂପାନି ପାଇଁ ଏକ ନିରନ୍ତର ପ୍ରକ୍ରିୟା। ଆମେ ନିକଟରେ ଏସ୍‌ବିଆଇ ଲାଇଫ୍‌ ପୂର୍ଣ୍ଣ ସୁରକ୍ଷା ପଲିସି ଆଣିଥିଲୁ। ଏହା ୩୬ ପ୍ରକାର ଅସୁସ୍ଥତା ପାଇଁ ବୀମା ସୁରକ୍ଷା ପ୍ରଦାନ କରୁଛି। ଆଗାମୀ ଦିନରେ କଂପାନି ଅଧିକ ପ୍ରୋଟେକ୍ସନ ପଲିସି ଆଣିବା ଉପରେ ଜୋର ଦେବ। କଂପାନି ଖୁବ୍‌ଶୀଘ୍ର ଦୁଇଟି ନୂଆ ସ୍ୱାସ୍ଥ୍ୟ ପଲିସି ଆଣିବ।
ଓଡ଼ିଶା ପାଇଁ ଭବିଷ୍ୟତ ଯୋଜନା କଣ ଅଛି?
ଆମର ଏଠାରେ ୪୧ଟି କାର୍ଯ୍ୟାଳୟ, ୬୬୦୦ ଏଜେଣ୍ଟ୍‌ ଏବଂ ୫୬୧ କର୍ମଚାରୀ ରହିଛନ୍ତି। ଆମ ଆଉ ଦୁଇଟି ନୂଆ କାର୍ଯ୍ୟାଳୟ ଖୋଲିବାକୁ ଯୋଜନା ରଖିଛୁ। ଏଠାରେ ଅଧିକରୁ ଅଧିକ ପଲିସି ବିକ୍ରି କରିବା ଉପରେ ଆମର ଗୁରୁତ୍ୱ ରହିବ।

ସମ୍ବନ୍ଧିତ ଖବର