ସିଏ ଛାତ୍ରଛାତ୍ରୀ ସମ୍ମିଳନୀ ଆରମ୍ଭ: ସିଏମାନେ ଉତ୍କର୍ଷର ଉପାସକ ହେବା ଦରକାର

ଭୁବନେଶ୍ବର: ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ (ସିଏ) ପରୀକ୍ଷା ପାସ୍‌ କରିବା ଅତ୍ୟନ୍ତ କଷ୍ଟକର। ଏଥିରେ ପାସ୍ କରିବାକୁ ଏକ ବଡ଼ ସଫଳତା ଭାବେ ବିଚାର କରାଯାଏ। କେବଳ ପାଠପଢ଼ାରେ ଉତ୍କର୍ଷ ଦେଖାଇଲେ ଚଳିବ ନାହିଁ, କର୍ମ କ୍ଷେତ୍ରରେ ମଧ୍ୟ ସିଏମାନଙ୍କୁ ଉତ୍କର୍ଷର ଉପାସକ ହେବାକୁ ପଡ଼ିବ ବୋଲି ସମ୍ବାଦର ସମ୍ପାଦକ ତଥା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି। ଆଜି ନୟାପଲ୍ଲୀର ଆଇସିଏଆଇ ଭବନରେ ଆଇସିଏଆଇ-ଇଆଇଆର୍‌ସିର ଭୁବନେଶ୍ବର ଏବଂ କଟକ ଶାଖା ତରଫରୁ ମିଳିତ ଭାବେ ଆୟୋଜିତ ପଞ୍ଚମ ସିଏ ଛାତ୍ରଛାତ୍ରୀ ସମ୍ମିଳନୀକୁ ମୁଖ୍ୟ ଅତିଥି ଭାବେ ଉଦ୍‌ଘାଟନ କରି ସେ ଏହା କହିଛନ୍ତି। ସେ କହିଲେ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ମାନଙ୍କୁ ସବୁବେଳେ ମୂଲ୍ୟବୋଧ ଭିତ୍ତିକ ଉତ୍କର୍ଷ ହାସଲ କରିବା ପାଇଁ ଉଦ୍ୟମ କରିବାକୁ ହେବ। କର୍ମକ୍ଷେତ୍ରରେ ଅନେକ ଆହ୍ବାନର ସାମ୍ନା କରିବାକୁ ହୁଏ। କୌଣସି ପରିସ୍ଥିତିରେ ନିଜର ମୂଲ୍ୟବୋଧ ଭୁଲି ନଯାଇ ଦେଶ ଓ ସମସ୍ତଙ୍କ ପାଇଁ ଯାହା ଭଲ ସେହି ନିଷ୍ପତ୍ତି ନେବା ପାଇଁ ସିଏମାନଙ୍କୁ ଉଦ୍ୟମ କରିବାକୁ ପଡ଼ିବ। ନିର୍ଭୟ ହୋଇ ନିଷ୍ପତ୍ତି ନେବାକୁ ହେବ। ଅନେକ ସମୟରେ ଏଭଳି ପରିସ୍ଥିତି ସୃଷ୍ଟି ହୁଏ ଯେଉଁଠାରେ କ’ଣ ଭୁଲ ଏବଂ କ’ଣ ଠିକ୍, ସେହି ନିଷ୍ପତ୍ତି ନେବା କଷ୍ଟକର ହୋଇପଡ଼େ। ସିଏମାନଙ୍କ ସାମ୍ନାରେ ଏଭଳି ସମସ୍ୟା ସବୁବେଳେ ସୃଷ୍ଟି ହେବ। ଯେଉଁଟି ସମସ୍ତଙ୍କ ପାଇଁ ଭଲ ତାହା ହିଁ ଭଲ ବୋଲି ଗ୍ରହଣ କରି ସେମାନଙ୍କୁ ଆଗକୁ ବଢ଼ିବାକୁ ପଡ଼ିବ। ନିଜେ କାମ କରୁଥିବା କଂପାନି ସହିତ ସମାଜ ପ୍ରତି ସେମାନଙ୍କୁ ଉତ୍ତରଦାୟୀ ହେବାକୁ ପଡ଼ିବ। ନିୟମ ମାନି ଆଗକୁ ବଢ଼ିଲେ ବେଶି ଅସୁବିଧା ହେବନି। ଦୁନିଆର ଅନ୍ୟ ସବୁ ପ୍ରାଣୀ ନିୟମ ମାନି ଚଳୁଥିବା ବେଳେ ମଣିଷ ହିଁ ନିୟମ ଭଙ୍ଗ କରେ। ନିୟମ ନମାନିଲେ ମଣିଷ ମୂଲ୍ୟବୋଧ ଠାରୁ ଦୂରେଇ ଯାଏ। ତେଣୁ ସର୍ବଦା ନିୟମ ପାଳନ କରି କାମ କରିବାକୁ ସେ ସିଏ ଛାତ୍ରଛାତ୍ରୀମାନଙ୍କୁ କହିଛନ୍ତି।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନାଲ୍‌କୋର ନିର୍ଦେଶକ (ଅର୍ଥ) ଶ୍ରୀଧର ପାତ୍ର କହିଛନ୍ତି ଯେ, କୌଣସି କ୍ଷେତ୍ରରେ ପ୍ରବେଶ କରିବା ବେଳେ ସାର୍ଟିଫିକେଟ୍ ଗେଟ୍‌ପାସ୍ ଭଳି କାମ କରେ। ସିଏ ଏଭଳି ଜଣେ ବ୍ୟକ୍ତି ଯିଏ ସବୁ ପ୍ରକାର କାମ କରିପାରିବ। ସେ ସବୁ ପ୍ରକାରର ଆହ୍ବାନକୁ ସାମ୍ନା କରି ତାହାର ସମାଧାନ ପନ୍ଥା ବାହାର କରିପାରିବ। ସଫଳତା ହାସଲ କରିବା ପାଇଁ ସଂଘର୍ଷ ଜାରି ରଖିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ଆହ୍ବାନ ଦେଇଛନ୍ତି। ଏହି ଦୁଇଦିନିଆ ସମ୍ମିଳନୀର ପ୍ରତିଟି ଅଧିବେଶନରେ ଉପସ୍ଥିତ ରହି ଭରପୂର ଫାଇଦା ଉଠାଇବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ଆହ୍ବାନ ଦେଇଛନ୍ତି। ଏହି ଦୁଇ ଦିନିଆ ସମ୍ମିଳନୀରେ ଅଡିଟିଂ ଷ୍ଟାଣ୍ଡାର୍ଡ, ଜିଏସ୍‌ଟି, ଆକାଉଣ୍ଟିଂ ଷ୍ଟାଣ୍ଡାର୍ଡ, ଆୟକର, କଂପାନି ନିୟମ ଓ ସୂଚନା ପ୍ରଯୁକ୍ତିକୁ ନେଇ ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ। ଏହି ଅବସରରେ ସମ୍ମିଳନୀ ନିର୍ଦେଶକ ରଣଜିତ କୁମାର ଅଗ୍ରୱାଲ୍, ଆଇସିଏଆଇ-ଇଆଇଆର୍‌ସିର ଅଧ୍ୟକ୍ଷା ସୋନୁ ଜୈନ, ଆଇସିଏଆଇ-ଇଆଇଆର୍‌ସିର ଇଆଇସିଏଏସ୍‌ଏର ଅଧ୍ୟକ୍ଷ ସୁମିତ ବିନାନି, ଆଇସିଏଆଇ ଭୁବନେଶ୍ବରର ଅଧ୍ୟକ୍ଷ ଚିରଞ୍ଜୀବୀ ଜେନା, ଆଇସିଏଆଇ କଟକର ଅଧ୍ୟକ୍ଷ ସତ୍ୟାନନ୍ଦ ରାଉତରାୟ, ଇଆଇସିଏଏସ୍‌ଏ ଭୁବନେଶ୍ବରର ଅଧ୍ୟକ୍ଷ ଜାହ୍ମବୀ ଦେଓ, ଇଆଇସିଏଏସ୍‌ଏ କଟକର ଅଧ୍ୟକ୍ଷ କ୍ଷୀରୋଦ କୁମାର ଆଚାର୍ଯ୍ୟ ଏବଂ ଆଇସିଏଆଇ ଭୁବନେଶ୍ବରର ସମ୍ପାଦକ ସିଦ୍ଧାର୍ଥ ରଞ୍ଜନ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର