୫ ଲକ୍ଷ ଟଙ୍କିଆ ସ୍ୱାସ୍ଥ୍ୟ ବୀମା ସ୍କିମ୍ରେ କ୍ୟାବିନେଟ୍ ମୋହର
ନୂଆଦିଲ୍ଲୀ: ମୋଦିକେୟାର ନାମରେ ଲୋକମାନଙ୍କ ମଧ୍ୟରେ ପରିଚିତ ହୋଇଥିବା ଦେଶର ବୃହତ ସ୍ୱାସ୍ଥ୍ୟ ବୀମା ସ୍କିମ୍ ‘ଆୟୁଷ୍ମାନ ଭାରତ’କୁ କ୍ୟାବିନେଟ୍ ମଞ୍ଜୁରି ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ମଞ୍ଜୁରି ପ୍ରଦାନ କରାଯାଇଛି। ଏହି ସ୍କିମ୍ ଜରିଆରେ ଦେଶର ୫୦ କୋଟି ଲୋକଙ୍କୁ ୫ ଲକ୍ଷ ଟଙ୍କାର ବୀମା ପ୍ରଦାନ କରାଯିବ। ଚଳିତ ବର୍ଷ ବଜେଟ୍ରେ ଏ ସଂକ୍ରାନ୍ତରେ ଅର୍ଥ ମନ୍ତ୍ରୀ ଅରୁଣ ଜେଟ୍ଲି ଘୋଷଣା କରିଥିଲେ। ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ସ୍କିମ୍ ଭାବେ ଏହା ଘୋଷଣା କରାଯାଇଥିଲେ ମଧ୍ୟ ଗଣମାଧ୍ୟମ ଏହାର ନାମ ମୋଦିକେୟାର ଦେଇଥିଲା। ଲୋକମାନଙ୍କଠାରେ ପୂର୍ବରୁ ଥିବା ସବୁ ପ୍ରକାର ରୋଗ ପାଇଁ ଏହି ସ୍କିମ୍ କାମ ଦେବ। ଦେଶର ଉଭୟ ଘରୋଇ ଓ ସରକାରୀ ହସ୍ପିଟାଲ୍ରେ କ୍ୟାସ୍ଲେସ୍ ସୁବିଧା ମିଳିବ। ସବୁ ରାଜ୍ୟରେ ଏହା ପୋର୍ଟେବଲ୍ ହୋଇପାରିବ।