ସିଏଜି ରିପୋର୍ଟ: ୯୫% ରିଅଲ ଇଷ୍ଟେଟ୍‌ କଂପାନିର ପାନ୍ ନାହିଁ

ବିନା ଅନୁମତିରେ ୧୧୫୭ କୋଟି ଖର୍ଚ କରିଛି ଅର୍ଥ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ରେଜିଷ୍ଟ୍ରାର୍‌ ଅଫ୍‌ କଂପାନିଜ୍ (ଆର୍‌ଓସି) ଅଧୀନରେ ପଞ୍ଜୀକୃତ ହୋଇଥିବା ୯୫% ରିଅଲ ଇଷ୍ଟେଟ୍‌ କଂପାନିର ପର୍ମାନେଣ୍ଟ୍‌ ଆକାଉଣ୍ଟ୍‌ ନମ୍ବର (ପାନ୍‌) ନାହିଁ। ସେମାନେ ଟିକସ ପରିସର ବାହାରେ ରହିଛନ୍ତି। ସିଏଜିଙ୍କ ତରଫରୁ ୧୨ଟି ରାଜ୍ୟର ରିଅଲ ଇଷ୍ଟେଟ୍‌ କଂପାନିକୁ ନେଇ କରାଯାଇଥିବା ଅଡିଟ୍‌ରୁ ଏହି ତଥ୍ୟ ସାମ୍ନାକୁ ଆସିଛି।
ସିଏଜି ତାଙ୍କ ରିପୋର୍ଟରେ କହିଛନ୍ତି ଯେ, ଏହି ୯୫% ରିଅଲ ଇଷ୍ଟେଟ୍‌ କଂପାନି ବି‌ଷୟରେ ଆର୍‌ଓସିଙ୍କ ପାଖରେ କୌଣସି ତଥ୍ୟ ନାହିଁ। ଅଡିଟ୍‌ ପାଇଁ ୫୪,୫୭୮ଟି ରିଅଲ ଇଷ୍ଟେଟ୍‌ ସଂସ୍ଥାକୁ ବିଚାରକୁ ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ୫୧,୬୭୦ଟି ସଂସ୍ଥା ପାନ୍ ନମ୍ବର ନଥିଲା। ତେଣୁ ଏହି କଂପାନିଗୁଡ଼ିକ ଆୟକର ଦେଉଛନ୍ତି ନା ନାହିଁ ତାହା ସ୍ପଷ୍ଟ ହୋଇପାରିନାହିଁ। ପାନ୍ ନଥିବା ସଂସ୍ଥାଗୁଡ଼ିକ ଆୟକର ଦେଉଛନ୍ତି ନା ନାହିଁ ତାହା ଜାଣିବା ପାଇଁ ସିଏଜିଙ୍କ ତରଫରୁ ଆୟକର ବିଭାଗକୁ ପତ୍ର ଲେଖାଯାଇଥିଲା। କିନ୍ତୁ ତାହାର କୌଣସି ଉତ୍ତର ମିଳିନଥିଲା। ପାନ୍ ଥିବା କିଛି କଂପାନି ମଧ୍ୟ ଆୟକର ରିଟର୍ଣ୍ଣ ଦାଖଲ କରୁନଥିବା ଜଣାପଡ଼ିଛି।
ସିଏଜିଙ୍କ ତରଫରୁ ସୁପାରିସ କରାଯାଇଛି ଯେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି), ଅର୍ଥ ମନ୍ତ୍ରଣାଳୟ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟରେ ଏଭଳି ଏକ ବ୍ୟବସ୍ଥା ରହିବା ଦରକାର ଯଦ୍ବାରା ରେଜିଷ୍ଟ୍ରାର୍‌ ଅଫ୍ କଂପାନିଜ୍‌ରେ ପଞ୍ଜୀକୃତ ହେବା ପାଇଁ କୌଣସି ସଂସ୍ଥା ଆବେଦନ କଲେ, ଆପେ ଆପେ ସେହି ସଂସ୍ଥାର ପାନ୍ ଆବେଦନ ଆୟକର ବିଭାଗ ନିକଟକୁ ଚାଲିଯିବ।

ନୂଆଦିଲ୍ଲୀ: ସଂସଦଠାରୁ ଆଗୁଆ ଅନୁମତି ନଦେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ କାମ ପାଇଁ ୧୧୫୭ କୋଟି ଟଙ୍କା ଖର୍ଚ କରାଯାଇଛି। ୨୦୧୭-୧୮ରେ ମନ୍ତ୍ରଣାଳୟ ଏହି ଖର୍ଚ କରିଥିବା ସିଏଜି ଅଡିଟ୍‌ରେ ଧରାପଡ଼ିଛି। ସିଏଜି ରିପୋର୍ଟରେ କୁହାଯାଇଛି ଯେ, ନୂତନ ସେବା କିମ୍ବା ବ୍ୟବସ୍ଥା ପାଇଁ ଅର୍ଥ ମନ୍ତ୍ରଣାଳୟରେ କୌଣସି ନିର୍ଦିଷ୍ଟ ବ୍ୟବସ୍ଥା ନାହିଁ, ଯେଉଥିପାଇଁ ଅତିରିକ୍ତ ଖର୍ଚ ହେଉଛି। ଏହି ମନ୍ତ୍ରଣାଳୟ ଅଧୀନରେ ଥିବା କର୍ପୋରେଟ୍ ବ୍ୟାପାର ବିଭାଗ ମଧ୍ୟ ଅତିରିକ୍ତ ଖର୍ଚ ପାଇଁ ସଂସଦୀୟ ମଞ୍ଜୁରି ହାସଲ କରିବାରେ ବିଫଳ ହୋଇଛି। ପ୍ରଚଳିତ ଦିଶାନିର୍ଦେଶ ଅନୁସାରେ ଅନୁଦାନ, ସବ୍‌ସିଡି, ନୂଆ ସେବା ଆଦି ପାଇଁ ଅତିରିକ୍ତ ଖର୍ଚ କରିବା ବେଳେ ସଂସଦର ପ୍ରାକ୍ ଅନୁମତି ଦରକାର ହୋଇଥାଏ।

ସମ୍ବନ୍ଧିତ ଖବର