ଜାତିସଂଘ ସୁରକ୍ଷା ପରିଷଦରେ ଚୀନ ‘ଭିଟୋ’ର ପ୍ରତିବାଦ: ୧୯ ମାର୍ଚ୍ଚରେ ଦେଶ ସାରା ଚୀନ୍ ତିଆରି ସାମଗ୍ରୀକୁ ପୋଡ଼ିବ କେଟ୍

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନକୁ ନେଇ ସାରା ଭାରତରେ ରହିଛି ତୀବ୍ର ଅସନ୍ତୋଷ । ପାକିସ୍ତାନରେ ରହି ଭାରତରେ ରକ୍ତର ହୋଲି ଖେଳୁଥିବା କୁଖ୍ୟାତ ଆତଙ୍କବାଦୀ ତଥା ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ମୁଖ୍ୟ ମସୁଦ ଅଝାରକୁ ଆଇନର ଫାସରେ ପକାଇବାକୁ ଜୋରଦାର ଉଦ୍ୟମ କରୁଛି ନୂଆଦିଲ୍ଲୀ । ଆଉ ଭାରତର ଏହି ଉଦ୍ୟମକୁ ବିଶ୍ୱର ଅନେକ ରାଷ୍ଟ୍ରଙ୍କ ସମର୍ଥନ ରହିଛି । ଜାତିସଂଘ ସୁରକ୍ଷା ପରିଷଦରେ ମାସୁଦକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ପ୍ରସ୍ତାବ ଉପରେ ଚୀନ୍ ତାର ପାକିସ୍ତାନ ପ୍ରୀତି ଦେଖାଇ ‘ଭିଟୋ’ ପ୍ରୟୋଗ ପରେ ପ୍ରକ୍ରିୟା ଉପରେ ବଡ ଝଟକା ଲାଗିଛି ।

ଚୀନର ଏଭଳି ବ୍ୟବହାରରେ ଦେଶସାରା ଆକ୍ରୋଶର ବହ୍ନି ଜଳୁଛି । ଏବେ ପାକିସ୍ତାନ ସମେତ ଚୀନକୁ ମଧ୍ୟ ଦେଶବାସୀ ଭାରତ ସୁରକ୍ଷାର ଶତ୍ରୁ ବୋଲି ଭାବିବା ସହ ଚୀନକୁ ଉଚିତ୍ ଜବାବ୍ ଦେବାକୁ ଚାହୁଁଛନ୍ତି । ଏହି କ୍ରୋଧକୁ ଜାହିର କରିବାକୁ ଯାଇ  ୭ କୋଟି ବ୍ୟବସାୟୀଙ୍କ ପ୍ରତିନିଧିତ୍ୱ କରୁଥିବା କନଫେଡରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (କେଟ୍) ଅନ୍ତର୍ଗତ ୪୦ ହଜାରରୁ ଅଧିକ ବ୍ୟବସାୟୀ ସଂଗଠନ ଚୀନ୍ ସାମଗ୍ରୀକୁ ବହିଷ୍କାର କରିବା ପାଇଁ ଆହ୍ୱାନ ଦେଇଛନ୍ତି ।

କେଟ୍ ହୋଲି ଅବସରରେ ଆଗାମୀ ୧୯ ମାର୍ଚ୍ଚରେ ଦେଶସାରା ଚୀନ୍ ସାମଗ୍ରୀକୁ ପୋଡ଼ିବା ପାଇଁ ଘୋଷଣା କରିଛି । ରାଜଧାନୀ ଦିଲ୍ଲୀରେ ଏହି ଚାଇନା ମାଲ୍  ପୋଡ଼ି ଅନୁଷ୍ଠିତ ହେବ । ଏଥି ସହ  ଦେଶ ସାରା ୧୫୦୦ ସ୍ଥାନରେ ଚୀନ୍ ସାମଗ୍ରୀକୁ  ଜଳାଯିବ । କେଟ୍ ତରଫରୁ ସରକାରଙ୍କୁ କୁହାଯାଇଛି ପ୍ରଥମ ପର୍ଯ୍ୟାୟରେ ଚୀନରୁ ଆସୁଥିବା ସାମଗ୍ରୀ ଉପରେ ୩୦୦ ରୁ ୫୦୦ ପ୍ରତିଶତ କଷ୍ଟମ୍ ଡ୍ୟୁଟି ଲଗାଯାଉ । କେଟ୍ ତରଫରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି କି ଯେ ଚୀନ୍ କଞ୍ଚାମାଲ୍ ଏବଂ ପ୍ରଡକ୍ଟ ଉପରେ ଧ୍ୟାନ ନ ଦେଇ ଭାରତର ଘରୋଇ ଉଦ୍ୟୋଗ ଉପରେ ସରକାର ସ୍ୱେଶାଲ୍ ପ୍ୟାକେଜ୍ ଦିଅନ୍ତୁ ।

ସମ୍ବନ୍ଧିତ ଖବର