ଆସିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ବୁଲେଟ୍‌

ଦିନଥିଲା ଭାରତରେ ମାତ୍ର ୩ଟି ଗାଡ଼ିର ଲୋକପ୍ରିୟତା ରହିଥିଲା। ସେଗୁଡ଼ିକ ହେଲା ୟେଜ୍‌ଦି, ବୁଲେଟ୍‌ ଏବଂ ରାଜ୍‌ଦୁତ୍‌। କିନ୍ତୁ ସମୟ ବଦଳିବା ସହିତ ରାସ୍ତାରେ ଆଉ ୟେଜ୍‌ଦି ଏବଂ ରାଜ୍‌ଦୁତ୍‌କୁ ଦେଖିବାକୁ ମିଳୁନାହିଁ। କିନ୍ତୁ ବୁଲେଟ୍‌ର ଲୋକପ୍ରିୟତା ଏବେ ବି ଅତୁଟ ରହିଛି। କେବଳ ଅତୁଟ ରହିନାହିଁ, ଏହାକୁ ଅଧିକରୁ ଅଧିକ ଲୋକ ରାସ୍ତାରେ ଚଳାଇବା ଦେଖାଯାଉଛି। ବୁଲେଟ୍‌ ମାୟାରେ ପଡ଼ିଥିବା ଅନେକ ଲୋକ ସୋ‘ରୁମ୍‌ରୁ ଗାଡ଼ି କିଣିବା ପରେ ସ୍ୱତନ୍ତ୍ର ମେକାନିକ୍‌ ମାନଙ୍କ ମାଧ୍ୟମରେ ତାହାକୁ ନୂତନ ଭାବେ ସଜାଉଛନ୍ତି ମଧ୍ୟ। ଏପରିକି ବୁଲେଟ୍‌ ଚଢ଼ୁଥିବା ଲୋକମାନେ ଅନେକ ସ୍ଥାନରେ ବୁଲେଟ୍‌ କ୍ଲବ୍‌ମାନ ଗଠନ କରିଥିବା ଦେଖାଯାଉଛି। ଏବେ ବୁଲେଟ୍‌ ପ୍ରେମୀମାନଙ୍କ ପାଇଁ ଆସିଛି ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ବୁଲେଟ୍‌। ଏହାକୁ ନେଇ ଏହି ଉପସ୍ଥାପନା:
ନୂଆଦିଲ୍ଲୀ, ୨୯/୫: ଇତିହାସକୁ ଦେଖିଲେ ଜଣାଯାଏ ବୁଲେଟ୍‌ର ଉତ୍ପାଦନ ପ୍ରଥମେ ବିି୍ରଟେନ୍‌ରୁ ହିଁ ଆରମ୍ଭ ହୋଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହି ଗାଡ଼ିର ବହୁଳ ବ୍ୟବହାର ସେନାବାହିନୀରେ ଆରମ୍ଭ ହୋଇଥିଲା। ବ୍ରିଟିସ୍‌ ସେନା ଏବଂ ପରେ ଭାରତୀୟ ସେନାବାହିନୀରେ ଏହି ଗାଡ଼ିକୁ ଯବାନମାନେ ଚଳାଉଥିଲେ। ସାମରିକ ବାହିନୀରେ ଏହି ଗାଡ଼ିର ବହୁଳ ବ୍ୟବହାରକୁ ଦେଖି ରୟାଲ ଏନ୍‌ଫିଲ୍‌ଡ ଏବେ ଏହାର ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ କ୍ଲାସିକ୍‌ ୫୦୦ ପେଗାସସ୍‌ ନାମରେ ଏକ ସ୍ୱତନ୍ତ୍ର ସଂସ୍କରଣ ବୁଲେଟ୍‌ ଆଣିଛି।
ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ରିଟିସ ସେନାବାହିନୀରେ କାର୍ଯ୍ୟରତ ପାରାଟ୍ରୁପର୍‌ ଏବଂ ବ୍ୟବହୃତ ମୂଳ ଫ୍ଲାଇଂ ଫ୍ଲି ମୋଟରସାଇକଲକୁ ଶ୍ରଦ୍ଧା ଏବଂ ସମ୍ମାନ ଜଣାଇବା ପାଇଁ କମ୍ପାନି ଏହି ସ୍ୱତନ୍ତ୍ର ସଂସ୍କରଣ ବୁଲେଟ୍‌ ଆଣିଛି। କମ୍ପାନି ସମଗ୍ର ବିଶ୍ୱପାଇଁ ମାତ୍ର ୧୦୦୦ଟି ବୁଲେଟ ପ୍ରସ୍ତୁତ କରିଥିବାବେଳେ ଏଥିରୁ ଭାରତ ଭାଗରେ ପଡ଼ିଛି ୨୫୦ଟି। ବୁଧବାର ଭାରତରେ ଏହି ଗାଡ଼ିର ବଜାର ପ୍ରବେଶ ଆନୁଷ୍ଠାନିକ ଭାବେ ହେବ। ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଶତ୍ରୁପକ୍ଷକୁ ଠାବ କରିବା ଏବଂ ସୈନ୍ୟଙ୍କୁ ପ୍ରେରଣ କରିବା ଲାଗି ବ୍ୟବହାର କରାଯାଉଥିବା ବୁଲେଟ୍‌ର ରୂପ କ୍ଲାସିସ୍‌ ୫୦୦ ପେଗାସସ୍‌କୁ ପ୍ରଦାନ କରାଯାଇଛି।
ଏହି ଗାଡ଼ିର ତେଲ ଟାଙ୍କିରେ ପେଗାସସ୍‌ର ପ୍ରତୀକ ବା ଚିହ୍ନକୁ ବ୍ୟବହାର କରାଯାଇଛି। ପେଗାସସ୍‌ ହେଉଛି ବ୍ରିଟିସ୍‌ ସେନାର ପାରାଚ୍ୟୁଟ୍‌ ରେଜିମେଣ୍ଟ୍‌ର ଚିହ୍ନ। ଏଥିସହିତ ତେଲ ଟାଙ୍କିରେ ଗାଡ଼ିର ସ୍ୱତନ୍ତ୍ର ସଂଖ୍ୟା ମଧ୍ୟ ଲେଖାଯାଇଛି। ସେନା ଗାଡ଼ି ଷ୍ଟାଇଲ୍‌ରେ ଏଥିରେ କାନ୍‌ଭାସ୍‌ ବା କପଡ଼ା ବାକ୍ସ ଲାଗିଛି। ଏହି ଗାଡ଼ି ଦୁଇଟି ରଙ୍ଗ ଯଥା ସର୍ଭିସ ବ୍ରାଉନ୍‌ ଏବଂ ଓଲିଭ ଡ୍ରାବ୍‌ ଗ୍ରିନ୍‌ରେ ଉପଲବ୍ଧ ହେବ। କିନ୍ତୁ ସାମରିକ ସବୁଜ ରଙ୍ଗ ଗାଡ଼ିକୁ ବ୍ୟବହାର ପାଇଁ ଭାରତ ସରକାର ଅନୁମତି ଦେଉ ନଥିବାରୁ ଭାରତରେ କେବଳ ସର୍ଭିସ ବ୍ରାଉନ୍‌ ସେଡ୍‌ ରଙ୍ଗର ଗାଡ଼ି ଉପଲବ୍ଧ ହେବ। ଭାରତରେ ଏହି ଗାଡ଼ିର ଏକ୍ସ ସୋ’ରୁମ୍‌ ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ରହିବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର