କ୍ୟାନନ୍‌ ଆଣିବ ସିସି କ୍ୟାମେରା, ମେଡିକାଲ୍‌ ସରଞ୍ଜାମ

କ୍ୟାମେରା ଓ ପ୍ରିଣ୍ଟର୍‌ ବଜାରର ଏକ ଜଣାଶୁଣା ବ୍ରାଣ୍ଡ୍‌ ହେଉଛି କ୍ୟାନନ୍‌। ଡିଏସ୍‌ଏଲ୍‌ଆର୍‌ କ୍ୟାମେରା ଓ ବିଭିନ୍ନ ପ୍ରକାର ପ୍ରିଣ୍ଟର୍‌ ଉପଲବ୍ଧ କରାଇ ଏହି କଂପାନି ଘରେ ଘରେ ପରିଚିତ ହୋଇପାରିଛି। କ୍ୟାନନ୍‌ ଇଣ୍ଡିଆର ସଭାପତି ଓ ସିଇଓ କାଜୁଟାଡା କୋବାୟାସି ଓଡ଼ିଶା ଗସ୍ତରେ ଆସିଛନ୍ତି। ରାଜ୍ୟରେ କଂପାନିର କାରବାର କିଭଳି ଚାଲିଛି ତାହାର ସେ ସମୀକ୍ଷା କରୁଛନ୍ତି। ସେ କଂପାନିର କାରବାର, ନୂଆ ବ୍ୟବସାୟ, ରଣନୀତି, ନୂଆ ଯୋଜନା, ଗ୍ରାହକଙ୍କ ସହ ସମ୍ପର୍କ ସ୍ଥାପନ କରିବା ପାଇଁ ବିଭିନ୍ନ ପଦକ୍ଷେପ ଓ ନୂଆ ଉତ୍ପାଦ ବିଷୟରେ ଯାହା ଆଲୋଚନା କରିିଥିଲେ ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି

ପ୍ରଶ୍ନ: କ୍ୟାମେରା ଓ ପ୍ରିଣ୍ଟର୍‌ ପାଇଁ କ୍ୟାନନ୍‌ ଜଣାଶୁଣା। ଅନ୍ୟ କେଉଁ ବର୍ଗ ଉପରେ କଂପାନିର ନଜର ରହିଛି?
ଆମେ ଚାରିଟି ନୂଆ କ୍ଷେତ୍ରରେ କାରବାର ବଢ଼ାଇବା ଉପରେ ବିଚାର କରୁଛୁ। ତାହା ହେଉଛି ସର୍ଭେଇଲାନ୍‌ସ କ୍ୟାମେରା, ମେଡିକାଲ୍‌ ଉପକରଣ, ସେମିକଣ୍ଡକ୍ଟର ଓ କମର୍ସିଆଲ୍‌ ପ୍ରିଣ୍ଟ୍‌। ୩ ବର୍ଷ ତଳେ ସ୍ୱିଡେନ୍‌ର ଆକ୍ସିସ୍‌ ନାମକ ସଂସ୍ଥାକୁ କ୍ୟାନନ୍‌ ଖରିଦ କରିଥିଲା। ଏହା ସର୍ଭେଇଲାନ୍‌ସ କ୍ୟାମେରା ବର୍ଗରେ ଆମର ସ୍ଥିତି ସୁଦୃଢ଼ କରିବ। ସର୍ଭେଇଲାନ୍‌ସ କ୍ୟାମେରାରେ ଆମେ କୁତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍‌ସ)ର ପ୍ରୟୋଗ କରୁଛୁ। ସେହିପରି ତୋଷିବାଠାରୁ ତାହାର ମେଡିକାଲ୍‌ ଉପକରଣ ନିର୍ମାଣ କରୁଥିବା ସଂସ୍ଥାକୁ ଆମେ କିଣିଥିଲୁ। ଏହା ଜରିଆରେ ସିଟି ସ୍କାନ୍‌ ମେସିନ୍‌, ଏମ୍‌ଆର୍‌ଆଇ, ଏକ୍ସ-ରେ ଓ ଚକ୍ଷୁ ଚିକିିତ୍ସ ମେସିନ୍‌ ଆଦି ବପ୍ରସ୍ତୁତ କରି ବିକ୍ରି ଆରମ୍ଭ କରିଛୁ। ନେଦରଲ୍ୟାଣ୍ଡ୍‌ର ଏକ କଂପାନିକୁ ମଧ୍ୟ ଆମେ କିଣିଥିଲୁ ଯାହା ଜରିଆରେ ବଡ଼ ଆକାର ପ୍ରିଣ୍ଟର୍‌ ନିର୍ମାଣ କରିବୁ। ସେହି ପ୍ରିଣ୍ଟର୍‌ ଜରିଆରେ ବଡ଼ ବଡ଼ ପ୍ୟାକେଟ୍‌ ଓ ବିଲ୍‌ବୋର୍ଡ ଆଦିରେ ପ୍ରିଣ୍ଟ୍‌ କରିହେବ। ଭାରତରେ ଆମେ ସେମିକଣ୍ଡକ୍ଟର ବଜାରକୁ ନେଇ ଆମେ ବହୁତ ଉତ୍ସାହିତ ଅଛୁ।

ପ୍ରଶ୍ନ: କ୍ୟାନ୍‌ନ୍‌ର ଆର୍ଥିକ ପ୍ରଦର୍ଶନ କିଭଳି ରହିଛି?
ଭାରତରେ ଆମେ ୨୦୧୭ରେ ୨୬୦୦ କୋଟି ଟଙ୍କାର କାରବାର କରିଥିଲୁ। ଆମର ବଜାର ଅଂଶ ୧୧% ରହିଛି। ଚଳିତ ବର୍ଷ ମଧ୍ୟ ଆମେ ଦୁଇ ଅଙ୍କ ବିଶିଷ୍ଟ ବଜାର ଅଂଶ ହାସଲ କରିବାକୁ ଚାହୁଁଛୁ। ଜାତୀୟ ଅଭିବୃଦ୍ଧି ତୁଳନାରେ ପୂର୍ବ ଭାରତର ଅଭିବୃଦ୍ଧି ଅଧିକ ରହିଛି। ଏଠାରେ ୧୪% ହାରରେ ଆମର କାରବାର ବଢ଼ୁଛି। ଆମର ମୋଟ କାରବାରକୁ ପୂର୍ବ ଭାରତର ଯୋଗଦାନ ୧୪% ରହିଛି। ସେହିପରି ପୂର୍ବ ଭାରତ କାରବାରକୁ ଓଡ଼ିଶାର ଯୋଗଦାନ ୧୨%ରୁ ଅଧିକ ରହିଛି।

ପ୍ରଶ୍ନ: ଗ୍ରାହକଙ୍କ ସହ ସମ୍ପର୍କ ସ୍ଥାପନ କରିବାକୁ କଂପାନି କ’ଣ କରୁଛି?
ଆମେ ମହିଳାମାନଙ୍କ ମଧ୍ୟରେ ଫଟୋଗ୍ରାଫିକୁ ନେଇ ଆଗ୍ରହ ସୃଷ୍ଟି କରିବାକୁ ଚାହୁଁଛୁ। ସେଥିପାଇଁ ବିଭିନ୍ନ ସ୍ଥାନରେ ଫଟୋଗ୍ରାଫି କର୍ମଶାଳା ଆୟୋଜନ କରୁଛୁ। ଆମେ ଏହା ଜରିଆରେ ମହିଳା ଗ୍ରାହକମାନଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛୁ। ମହିଳାଙ୍କଠାରେ ଫଟୋଗ୍ରାଫି ସଂସ୍କୃତି ସୃଷ୍ଟି କରିବା ଉପରେ ଆମେ ଗୁରୁତ୍ୱ ଦେଉଛୁ।

ପ୍ରଶ୍ନ: ବିତରଣ ନେଟ୍‌ଓ୍ଵର୍କକୁ ନେଇ କଂପାନିର କ’ଣ ଯୋଜନା ରହିଛି?
ଦେଶରେ ଜିଏସ୍‌ଟି ଲାଗୁ ହେବା ପରେ କାରବାର କରିବା ସହଜ ହୋଇଛି। ଆମର ଏବେ ଦେଶରେ ୧୨ଟି ଗୋଦାମ ରହିଛି। ଆଗାମୀ ଦିନରେ ଆମେ ଗୋଦାମ ସଂଖ୍ୟା ବଢ଼ାଇବୁ। ସେହିପରି ସାରା ଦେଶରେ ଆମର ୨୬୦ଟି ‘କ୍ୟାନନ୍‌ ଇମେଜ୍‌ ସ୍କୋୟାର’ ବ୍ରାଣ୍ଡ୍‌ ଷ୍ଟୋର୍‌ ରହିଛି। ୨୦୧୮ ଶେଷ ସୁଦ୍ଧା ଏହି ସଂଖ୍ୟା ୨୮୦ରେ ପହଞ୍ଚିବ। ଓଡ଼ିଶାରେ ଆମର ଚାରିଟି ବ୍ରାଣ୍ଡ୍‌ ଷ୍ଟୋର୍‌ ରହିଛି।

ସମ୍ବନ୍ଧିତ ଖବର