ବିପଦରେ ପୁଞ୍ଜିବାଦ: ରାଜନ୍

ଲଣ୍ଡନ: ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ତଥା ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ପୂର୍ବତନ ମୁଖ୍ୟ ଅର୍ଥନୀତିଜ୍ଞ ରଘୁରାମ୍ ରାଜନ୍ ପୁଞ୍ଜିବାଦର ଭବିଷ୍ୟତକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ପୁଞ୍ଜିବାଦ ଏବେ ଗୁରୁତର ବିପଦରେ ପଡ଼ିଛି। କାରଣ ଅନେକ ଲୋକ ଏହି ବ୍ୟବସ୍ଥାରୁ ସୁବିଧାସୁଯୋଗ ପାଉନାହାନ୍ତି। ବି‌ଶେଷକରି ୨୦୦୮ର ଅର୍ଥନୈତିକ ମାନ୍ଦାବସ୍ଥା ପରେ ଏଭଳି ହୋଇଛି। ଯେତେବେଳେ ଏହା ହୁଏ ସେତେବେଳେ ବିଦ୍ରୋହ ଆରମ୍ଭ ହୋଇଯାଏ ବୋଲି ସେ ମତ ଦେଇଛନ୍ତି। ଚିକାଗୋ ବିଶ୍ବବିଦ୍ୟାଳୟରେ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ରାଜନ୍ ବିବିସିର ଏକ ରେଡିଓ କାର୍ଯ୍ୟକ୍ରମରେ ସାକ୍ଷାତକାର ଦେଇ କହିଛନ୍ତି ଅର୍ଥନୀତିକୁ ବିଚାରକୁ ନେବାବେଳେ ବିଭିନ୍ନ ଦେଶର ସରକାର ସାମାଜିକ ଅସମତାକୁ ହେୟଜ୍ଞାନ କରିପାରିବେ ନାହିଁ। ପୁଞ୍ଜିବାଦ ସମାନ ସୁବିଧାସୁଯୋଗ ଯୋଗାଉ ନଥିବାରୁ ଏହା ଭୁଶୁଡ଼ି ପଡ଼ୁଛି ବୋଲି ସେ କହିଛନ୍ତି। ପୁଞ୍ଜିବାଦ ଦୁର୍ବଳ ହେବାର କାରଣ ହେଲା ଲୋକଙ୍କୁ ସମାନ ସୁବିଧା ‌ସୁଯୋଗ ନମିଳିବା। ସମ୍ବଳରେ ସନ୍ତୁଳନ ଆସିବା ଜରୁରୀ ବୋଲି ସେ ମତ ଦେଇଛନ୍ତି। ୨୦୦୮ ପୂର୍ବରୁ ଏକ ମାମୁଲି ଶିକ୍ଷା ଲାଭ କରି ଜଣେ ମଧ୍ୟମ ଧରଣର ଚାକିରି ପାଇ ଯାଉଥିଲା। କିନ୍ତୁ ୨୦୦୮ ପରେ ଜଣକୁ ସଫଳତା ହାସଲ କରିବାକୁ ହେଲେ ଉଚ୍ଚମାନର ଶିକ୍ଷା ହାସଲ କରିବା ଜରୁରୀ ହୋଇ ପଡ଼ିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର