ନୂଆଦିଲ୍ଲୀ: କାର୍, ବାଇକ୍, ସ୍କୁଟର ଓ ସାମଗ୍ରୀ ପରିବହନ କରୁଥିବା ଯାନଗୁଡ଼ିକର ତୃତୀୟ ପକ୍ଷ ବୀମା ପ୍ରିମିୟମ ବଢ଼ାଇବା ଉପରେ ଭାରତୀୟ ବୀମା ନିୟାମକ ଓ ବିକାଶ କର୍ତୃପକ୍ଷ (ଆଇଆରଡିଏଆଇ) ବିଚାର କରୁଛି। ଚଳିତ ଆର୍ଥିକ ବର୍ଷ (୨୦୧୯-୨୦)ରୁ ଏହି ପ୍ରିମିୟମ ବଢ଼ାଇବା ପାଇଁ ଆଇଆର୍ଡିଏଆଇ ପ୍ରସ୍ତାବ ଦେଇଛି। ୧୦୦୦ ସିସିରୁ କମ୍ ଇଞ୍ଜିନ କ୍ଷମତା ବିଶିଷ୍ଟ କାର୍ର ତୃତୀୟ ପକ୍ଷ ବୀମା ପ୍ରିମିୟମ ରାଶି ଏବେ ୧୮୫୦ ଟଙ୍କା ରହିଛି। ତାହାକୁ ୨୧୨୦ ଟଙ୍କା କରିବାକୁ ପ୍ରସ୍ତାବ ଦିଆଯାଇଛି। ସେହିପରି ୧୦୦୦-୧୫୦୦ ସିସି ଭିତରଥର କାର୍ ପାଇଁ ପ୍ରିମିୟମ ରାଶିକୁ ୨୮୬୩ ଟଙ୍କାରୁ ବଢ଼ାଇ ୩୩୦୦ ଟଙ୍କା କରାଯିବ। ଲକ୍ଜୁରି କାର୍ (୧୫୦୦ ସିସିରୁ ଅଧିକ) ପାଇଁ ପ୍ରିମିୟମରେ କୌଣସି ପ୍ରକାର ବୃଦ୍ଧି କରାଯିବ ନାହିଁ।
ସାଧାରଣତଃ, ତୃତୀୟ ପକ୍ଷ ବୀମା ପ୍ରିମିୟମ୍ରେ ଏପ୍ରିଲ୍ ମାସରେ ପରିବର୍ତ୍ତନ କରାଯାଇଥାଏ। ଚଳିତ ବର୍ଷ ସେଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ଏବେ ଆଇଆର୍ଡିଏଆଇ ପକ୍ଷରୁ ତୃତୀୟ ପକ୍ଷ ବୀମା ପ୍ରିମିୟମ୍କୁ ନେଇ ନୂତନ ଚିଠା ପ୍ରସ୍ତୁତ କରାଯାଇଛି। ଏହା ଉପରେ ଅଂଶୀଦାରମାନଙ୍କ ମତାମତ ଲୋଡ଼ାଯାଇଛି। ଆଇଆର୍ଡିଏଆଇର ପ୍ରସ୍ତାବ ଅନୁସାରେ, ୭୫ ସିସିରୁ କମ୍ କ୍ଷମତା ବିଶିଷ୍ଟ ଦୁଇ ଚକିଆର ତୃତୀୟ ପକ୍ଷ ବୀମା ପ୍ରିମିୟମ୍କୁ ୪୭୨ ଟଙ୍କାକୁ ବଢ଼ାଇ ୪୮୨ ଟଙ୍କା କରାଯିବ। ୭୫-୩୫୦ ସିସି ଭିତରେ ଥିବା ଦୁଇ ଚକିଆ ଗାଡ଼ିଗୁଡ଼ିକର ବୀମା ପ୍ରିମିୟମ ବଢ଼ାଇବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ୩୫୦ ସିସିରୁ ଅଧିକ ଇଞ୍ଜିନ କ୍ଷମତାର ଦୁଇଚକିଆ ବୀମା ପ୍ରିମିୟମରେ କୌଣସି ପରିବର୍ତ୍ତନ କରାଯିବ ନାହିଁ।
ନୂଆ କାର୍ ପାଇଁ ୩ ବର୍ଷ ଓ ନୂଆ ଦୁଇଚକିଆ ପାଇଁ ୫ ବର୍ଷର ଏକକାଳୀନ ବୀମା ପ୍ରିମିୟମ୍ ହାରରେ କୌଣସି ପରିବର୍ତ୍ତନ କରାଯିବ ନାହିଁ। ଘରୋଇ ବ୍ୟବହାର ପାଇଁ କିଣା ହେଉଥିବା ଇଲେକ୍ଟ୍ରିକ୍ କାର୍ ଓ ଦୁଇ ଚକିଆ ଯାନର ତୃତୀୟ ପକ୍ଷ ବୀମା ପ୍ରିମିୟମ ଉପରେ ୧୫% ରିହାତି ପ୍ରଦାନ କରିବାକୁ ଆଇଆର୍ଡିଏଆଇ ପ୍ରସ୍ତାବ ଦେଇଛି। ଇ-ରିକ୍ସାର ପ୍ରିମିୟମ ମଧ୍ୟ ବଢ଼ିବ ନାହିଁ। ସ୍କୁଲ୍ ବସ୍ କ୍ଷେତ୍ରରେ ପ୍ରିମିୟମ ବଢ଼ିବାର ସମ୍ଭାବନା ରହିଛି। ଟାକ୍ସି, ବସ୍, ଟ୍ରକ୍ ଓ ଟ୍ରାକ୍ଟର ବୀମା ପ୍ରିମିୟବ ବଢ଼ାଇବାର ପ୍ରସ୍ତାବ ରହିଛି। ଆଇଆର୍ଡିଏଆଇ ପକ୍ଷରୁ କୁହାଯାଇଛି ଯେ, ଇନ୍ସ୍ୟୁରାନ୍ସ ଇନ୍ଫର୍ମେସନ୍ ବ୍ୟୁରୋ ଅଫ୍ ଇଣ୍ଡିଆରୁ ମିଳିଥିବା ସୂଚନା ଆଧାରରେ ପ୍ରିମିୟମ୍ ରାଶିରେ ହେବାକୁ ଥିବା ବୃଦ୍ଧିର ହିସାବ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/Untitled-13-13.jpg)