କାର୍‌ କମ୍ପାନି ସିଇଓ ଗିରଫ

ଆର୍ଥିକ ଅନିୟମିତତା

ଟୋକିଓ: ଜାପାନର ଏକ ପ୍ରମୁଖ କାର୍‌ କମ୍ପାନିର ଅଧ୍ୟକ୍ଷ କାର୍ଲୋସ ଘୋସନ୍‌ ଗିରଫ ହୋଇଛନ୍ତି। ଆର୍ଥିକ ଅନିୟମିତତା କାରଣରୁ ତାଙ୍କୁ ଗିରଫ କରାଯାଇଛି ବୋଲି ଜାପାନର ସରକାରୀ ଖବର ପ୍ରସାରଣକାରୀ ସଂସ୍ଥା ଏନ୍‌ଏଚ୍‌କେ ଓ ଅନ୍ୟ ଗଣମାଧ୍ୟମରେ ପ୍ରକାଶ ପାଇଛି। କମ୍ପାନି ପକ୍ଷରୁ କୁହାଯାଇଛି, ଅଧ୍ୟକ୍ଷଙ୍କ ବିରୋଧରେ ତଦନ୍ତ ଚାଲିଥିଲା ଓ ତାଙ୍କୁ ବିଦା କରାଯିବା ନେଇ ପଦକ୍ଷେପ ନିଆଯିବ। ତେବେ ଏହି ସମ୍ବାଦ ଅଟୋ ଶିଳ୍ପକୁ ସ୍ତବ୍ଧ କରିଦେଇଛି। କାର୍ଲୋସ ଅଟୋ ଶିଳ୍ପର ଜଣେ ଚର୍ଚ୍ଚିତ ବ୍ୟକ୍ତି । ଅନେକ କମ୍ପାନିଙ୍କୁ ସେ ଲାଭଦାୟକ ସଂସ୍ଥାରେ ପରିଣତ କରିଛନ୍ତି। ଏଥିସହିତ ଅନେକ କମ୍ପାନି ସହିତ ସହବନ୍ଧନ ସ୍ଥାପନ କରିବାରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଫାଇନାନ୍ସିଆଲ ଇନଷ୍ଟ୍ରୁମେଣ୍ଟସ ଆଣ୍ଡ ଏକ୍ସଚେଞ୍ଜ ଆଇନକୁ ଉଲ୍ଲଂଘନ କରିଥିବା ସନ୍ଦେହରେ ଟୋକିଓ ଜିଲ୍ଲା ପୁଲିସ କାର୍ଯ୍ୟାଳୟ ତାଙ୍କୁ ଗିରଫ କରିଛି ବୋଲି ଏନଏଚକେ କହିଛି। ତେବେ ଘୋସନ୍‌ଙ୍କ ସମ୍ପର୍କରେ ଟୋକିଓ ପୁଲିସ କାର୍ଯ୍ୟାଳୟ ପକ୍ଷରୁ କୌଣସି ମତାମତ ଦିଆଯାଇ ନାହିଁ। ଘୋସନ୍‌ଙ୍କ ସମେତ ନିର୍ଦ୍ଦେଶକ ଗ୍ରେଗ୍ କେଲିଙ୍କ ବିରୋଧରେ ମଧ୍ୟ କମ୍ପାନି ତଦନ୍ତ ଚଳାଇଥିଲା। ତେଣୁ ଘୋ‌ସନଙ୍କ ସହିତ କେଲିଙ୍କୁ ମଧ୍ୟ କମ୍ପାନିକୁ ବାହାର କରିବା ନେଇ ପଦକ୍ଷେପ ନିଆଯିବ। ଘୋସନ ତାଙ୍କ ଆୟକୁ କମ୍ କରି ଦର୍ଶାଇଥିବା ଅଭିଯୋଗ ହୋଇଛି। ୨୦୧୧ ମସିହାଠାରୁ ୫ ବର୍ଷ ମଧ୍ୟରେ ଘୋସନ୍‌ ତାଙ୍କ ଆୟ ପ୍ରାୟ ୫ ବିଲିଅନ ୟେନ ବା ୪୪ ନିୟୁତ ଡଲାର କମ୍ ଦର୍ଶାଇଥିବା କୁହାଯାଉଛି।
ଅନ୍ୟପକ୍ଷରେ ଘୋସନ୍ ଗିରଫ ହେବା ପରେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ। ସେ କହିଛନ୍ତି ତାଙ୍କର ଦେଶର କାର କମ୍ପାନି ସହିତ ଜାପାନ କମ୍ପାନିର ସହଯୋଗିତାର ଭବିଷ୍ୟତ ସମ୍ପର୍କରେ ସରକାର ଅତ୍ୟନ୍ତ ସତର୍କ ରହିବେ। ମାକ୍ରନ ଏବେ ବେଲଜିୟମ ଗସ୍ତରେ ଅଛନ୍ତି। ବେଲଜିୟମ ପ୍ରଧାନମନ୍ତ୍ରୀ ଚାର୍ଲସ ମାଇକେଲଙ୍କ ସହିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେବା ଅବସରରେ ଫ୍ରାନ୍ସ ରାଷ୍ଟ୍ରପତି କହିଛନ୍ତି, ଏ ବିଷୟରେ ଏବେଠୁ ମତ ଦେବା ଆଗୁଆ ହୋଇଯିବ। ତେବେ ତାଙ୍କ ଦେଶ କାର କମ୍ପାନିର ଏକ ଅଂଶଧନଧାରୀ ଭାବେ ଫ୍ରାନ୍ସ ସରକାର ଦୁଇ କମ୍ପାନି ମଧ୍ୟରେ ଥିବା ସହଯୋଗିତାର ସ୍ଥିରତା ନେଇ ସତର୍କ ‌ରହିବେ। ତାଙ୍କ ଦେଶ କାର କମ୍ପାନିର କର୍ମଚାରୀମାନଙ୍କୁ ସରକାର ସମସ୍ତ ପ୍ରକାର ସମର୍ଥନ ଯୋଗାଇବେ ବୋଲି ମାକ୍ରନ କହିଛନ୍ତି।

ସମ୍ବନ୍ଧିତ ଖବର