ଏପ୍ରିଲରେ ବଢ଼ିବନି ଗାଡ଼ି ବୀମା ପ୍ରିମିୟମ

ବେଙ୍ଗାଲୁରୁ: ଆସନ୍ତା ଆର୍ଥିକ ବର୍ଷ ଅର୍ଥାତ୍ ୨୦୧୯-୨୦ ପାଇଁ ବାଇକ, କାର ଏବଂ ବାଣିଜ୍ୟିକ ଯାନର ତୃତୀୟ ପକ୍ଷ ବୀମା ପ୍ରିମିୟମ ରାଶି ବୃଦ୍ଧି କରାଯିବ ନାହିଁ। ବୀମା କ୍ଷେତ୍ରର ନିୟାମକ ଆଇଆରଡିଏଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି। ପ୍ରତିବର୍ଷ ଏପ୍ରିଲ ବେଳକୁ ବୀମା କମ୍ପାନି ଗୁଡ଼ିକ ଗାଡ଼ିର ପ୍ରିମିୟମ ବୃଦ୍ଧି କରିଥାନ୍ତି। ଗତ ଏକ ଦଶନ୍ଧି ହେଲା ତୃତୀୟ ପକ୍ଷ ବୀମା ପ୍ରିମିୟମ ରାଶି ବାର୍ଷିକ ୧୦ ରୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇ ଆସୁଛି। କିନ୍ତୁ ଗତବର୍ଷ ଅପ୍ରତ୍ୟାଶିତ ଭାବେ ବାଇକ୍, କାର୍ ଏବଂ ଟ୍ୟାକ୍ସିର ପ୍ରିମିୟମ ୧୦ରୁ ୨୦ ପ୍ରତିଶତ ହ୍ରାସ କରାଯାଇଥିଲା। ଏପ୍ରିଲରୁ ବୀମା ପ୍ରିମିୟମ ୨୦ରୁ ୩୦ ପ୍ରତିଶତ ବୃଦ୍ଧି ପାଇବ ବୋଲି ବିଶେଷଜ୍ଞମାନେ ଅନୁମାନ ଲଗାଇଥିବା ‌ବେଳେ ବୀମା ନିୟାମକ ସଂସ୍ଥାର ଏହି ଘୋଷଣା ଗାଡ଼ି ମାଲିକମାନଙ୍କୁ ଖୁସି କରିଛି।

ଉଲ୍ଲେଖଯୋଗ୍ୟ ଯେ, ବୀମା ନିୟାମକ କେବଳ ତୃତୀୟ ପକ୍ଷ ବୀମା ପ୍ରିମିୟମ ରାଶି ଧାର୍ଯ୍ୟ କରିଥାଏ। ଓନ୍ ଡ୍ୟାମେଜ୍ ଏବଂ ବ୍ୟକ୍ତିଗତ ଦୁର୍ଘଟଣା ଜନିତ ପ୍ରିମିୟମ ରାଶିକୁ ବୀମା କମ୍ପାନି ଗୁଡ଼ିକ ନିର୍ଧାରଣ କରିଥାନ୍ତି। ଗତ ଗୁରୁବାର ଆଇଆରଡିଏଆଇ ପକ୍ଷରୁ ବୀମା କମ୍ପାନି ଗୁଡ଼ିକୁ ପ୍ରିମିୟମ ବୃଦ୍ଧି ନକରିବା ଲାଗି ଜଣାଇ ଦିଆଯାଇଛି। ପୁନଃ ନୋଟିସ୍ ଦିଆ ନଯିବା ପର୍ଯ୍ୟନ୍ତ ଏପ୍ରିଲ ପହିଲାରୁ ସଂଶୋଧନ କରାଯାଉଥିବା ବୀମା ପ୍ରିମିୟମକୁ ଅପରିବର୍ତ୍ତିତ ରଖିବାକୁ କୁହାଯାଇଛି। ଅର୍ଥାତ୍ ବର୍ତ୍ତମାନ ଯେଉଁ ହାରରେ ତୃତୀୟ ପକ୍ଷ ବୀମା ପ୍ରିମିୟମ ଆଦାୟ କରାଯାଉଛି ସେହି ହାରରେ ଆଦାୟ କରାଯିବ। ଛୋଟ ମୋପେଡ, ଛୋଟ କ୍ଷମତା ବିଶିଷ୍ଟ ସ୍କୁଟର ଏବଂ ୭୫ ସିସିରୁ କମ୍ ଇଞ୍ଜିନ କ୍ଷମତା ବିଶିଷ୍ଟ ଦୁଇ ଚକିଆ ଯାନର ତୃତୀୟ ପକ୍ଷ ବୀମା ପ୍ରିମିୟମ ୪୨୭ ଟଙ୍କା ରହିବ। ୭୫ସିସିରୁ ୧୫୦ ସିସି ମଧ୍ୟରେ ଥିବା ସ୍କୁଟର ଓ ମୋଟର ବାଇକ୍‌ର ପ୍ରିମିୟମ ୭୨୦ ଟଙ୍କା ଏବଂ ଉଚ୍ଚ କ୍ଷମତା ସମ୍ପନ୍ନ ବାଇକ୍‌ର ବୀମା ପ୍ରିମିୟମ ୯୮୫ ଟଙ୍କା ରହିବ। କ୍ଷୁଦ୍ର କାର ମାଲିକଙ୍କ ପାଇଁ ବୀମା ପ୍ରିମିୟମ ୧୮୫୦ ଟଙ୍କା, ସେଦାନ କାର୍ (୧୦୦୦ରୁ ୧୫୦୦ ସିସି) ପାଇଁ ୨୮୬୩ ଟଙ୍କା ଏବଂ ଏସୟୁଭି (୧୫୦୦ ସିସିରୁ ଅଧିକ) ପାଇଁ ପ୍ରିମିୟମ ରାଶି ୭୮୯୦ ଟଙ୍କା ରହିବ। ସେହିଭଳି ଅଟୋ ରିକ୍ସା ଓ ଇ-ରିକ୍ସା ପାଇଁ ଏହି ପ୍ରିମିୟମ ରାଶି ଯଥାକ୍ରମେ ୨୫୯୫ ଟଙ୍କା ଏବଂ ୧୬୮୫ ଟଙ୍କା ରହିବ।

ସମ୍ବନ୍ଧିତ ଖବର