ଜିଏସଟି ହ୍ରାସ ସତ୍ତ୍ୱେ ମହଙ୍ଗା ହେବ କାର, ଏଲଇଡି ଟିଭି

ନୂଆଦିଲ୍ଲୀ : ଜିଏସଟି ପରିଷଦ ନିକଟରେ କେତେକ ସାମଗ୍ରୀ ଉପରୁ ଜିଏସଟି ହାର ହ୍ରାସ କରିଛି । ଏହା ଫଳରେ ଏସବୁ ସାମଗ୍ରୀ ଶସ୍ତା ହେବ । ଏଗୁଡ଼ିକ ମଧ୍ୟରେ ରହିଛି ରେଫ୍ରିଜରେଟର, ଓ୍ଵାସିଂମେସିନ, ଏଲଇଡି ଟିଭି, କାର, ଏସୟୁଭି, ଡ୍ରାଇ ମେସିନ, ଆଇରନ, ମିକ୍ସର ଗ୍ରାଇଣ୍ଡର ଇତ୍ୟାଦି । ଦର ଖସିବା ନେଇ ଲୋକମାନେ ବି ଖୁସି ହୋଇଯାଇଥିଲେ । କିନ୍ତୁ ଏହି ଖୁସି ବେଶିଦିନ ପାଇଁ ରହିବାଭଳି ଲାଗୁ ନାହିଁ । କାରଣ ଡଲାର ତୁଳନାରେ ଟଙ୍କା ମୂଲ୍ୟ ନିୟମିତ ଭାବେ ହ୍ରାସ ପାଇଚାଲିଛି । ଗତ ଜୁଲାଇ ୧୯ରେ ଡଲାର ତୁଳନାରେ ଟଙ୍କା ସର୍ବାକାଳୀନ ନିମ୍ନସ୍ତର ୬୯.୧ କୁ ଖସିଯାଇଥିଲା । ସମଗ୍ର ଏସିଆରେ ଭାରତୀୟ ମୁଦ୍ରା ସର୍ବାଧିକ ଦୂର୍ବଳ ରହିଛି । ଆଗାମୀ କିଛି ଦିନ ପାଇଁ ଟଙ୍କା ଏପରି ଦୁର୍ବଳ ସ୍ତରରେ ରହିବ ବୋଲି ଅନୁମାନ କରାଯାଉଛି । ଏହା ଫଳରେ ଆମଦାନୀ ଦିନକୁ ଦିନ ମହଙ୍ଗା ହୋଇପଡୁଛି । ଏହି କାରଣରୁ ବିଦେଶରୁ ଆମଦାନୀ ହେଉଥିବା ସାମଗ୍ରୀଗୁଡ଼ିକର ଦର ବଢିବା ସମ୍ଭାବନା ରହିଛି । ବିଶେଷ କରି କାର, ଏସୟୁଭି, ଏଲଇଡି ଟିଭି ଆଦି ଉପକରଣ ଗୁଡ଼ିକର କେତେକ ଯନ୍ତ୍ରାଂଶ ଆମଦାନୀ ହୋଇଥାଏ । ଏଣୁ ଏସବୁ ସାମଗ୍ରୀ ମହଙ୍ଗା ହେବ ।

ସମ୍ବନ୍ଧିତ ଖବର