କର୍ମଚାରୀଙ୍କୁ ଜେଟ ଏୟାରୱେଜର ଚେତାବନୀ, ଖର୍ଚ୍ଚକାଟ ନକଲେ ୬୦ ଦିନରେ ତାଲା ପଡ଼ିବ

ମୁମ୍ବାଇ : ଆର୍ଥିକ ସଂକଟରେ ପଡିଥିବା ଘରୋଇ ବିମାନସେବା କମ୍ପାନି ଜେଟ ଏୟାରେଓ୍ଵଜ୍‌ ନିଜ କର୍ମଚାରୀଙ୍କ ଦରମା କାଟିବାକୁ ନିଷ୍ପତ୍ତି ନେବା ପରେ ତାହାକୁ ପାଇଲଟମାନେ ପ୍ରବଳ ବିରୋଧ କରୁଛନ୍ତି । କିନ୍ତୁ କମ୍ପାନି ତରଫରୁ ପାଇଲଟମାନଙ୍କୁ କୁହାଯାଇଛି ଯେ କମ୍ପାନି ପାଖରେ ଚଳିବାକୁ ଅର୍ଥ ନାହିଁ । ଯଦି ନିଆଯାଇଥିବା ଖର୍ଚ୍ଚ କାଟ ପଦକ୍ଷେପଗୁଡ଼ିକୁ କର୍ମଚାରୀମାନେ ସହଯୋଗ ନକରନ୍ତି ତେବେ ଆଗାମୀ ୬୦ ଦିନ ମଧ୍ୟରେ କମ୍ପାନିର ଫ୍ଲାଇଟ ଗୁଡ଼ିକୁ ବନ୍ଦ କରିବାକୁ ହେବ ।

ସୂଚନାଯୋଗ୍ୟ ଯେ ଜେଟ ନିଜ ମ୍ୟାନେଜରସ୍ତରୀୟ କର୍ମଚାରୀଙ୍କ ଦରମା ୫ ରୁ ୨୫ ପ୍ରତିଶତ କାଟ କରିବାକୁ ନିଷ୍ପତ୍ତି ନେଇଛି । ବର୍ଷକୁ ୧୨ ଲକ୍ଷ ଦରମା ପାଉଥିବା ମ୍ୟାନେଜରଙ୍କ ଦରମା ୫ ପ୍ରତିଶତ ଓ ୧ କୋଟିରୁ ଅଧିକ ଦରମା ପାଉଥିବା ଅଧିକାରୀଙ୍କ ୨୫ ପ୍ରତିଶତ କଟିବ । ତେବେ କେତେ ଦିନ ପାଇଁ ଏହି ଦରମା କାଟ ଲାଗୁ ହେବ ସେ ସଂପର୍କରେ କମ୍ପାନି ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । କିନ୍ତୁ ପାଇଲଟମାନେ ଏହି ଦରମାକାଟକୁ ବିରୋଧ କରିବା ଆରମ୍ଭ କରିଦେଇଛନ୍ତି । ଏହି ଦରମା କାଟ କରି କମ୍ପାନି ବର୍ଷକୁ ୫୦୦ କୋଟି ସଂଚୟ କରିବାକୁ ଲକ୍ଷ୍ୟ ରଖିଛି । ଗତ ୨୦୧୭-୧୮ ଆର୍ଥିକ ବର୍ଷରେ ୭୬ କୋଟି ଟଙ୍କାର କ୍ଷତି ସହିଥିଲା ।

ସମ୍ବନ୍ଧିତ ଖବର