ଡିଜିଟାଲ କାରବାରକୁ ମିଳିବ ପ୍ରୋତ୍ସାହନ : ଗ୍ରାହକ ପାଇବେ ରିହାତି, ବ୍ୟବସାୟୀ ପାଇବେ କ୍ୟାସ୍‌ବ୍ୟାକ୍‌

ନୂଆଦିଲ୍ଲୀ : ସରକାର ପୁଣି ଡିଜିଟାଲ କାରବାରକୁ ପ୍ରୋତ୍ସାହନ ଦେବା ଲାଗି ଯୋଜନା ଚଳାଇଛନ୍ତି। ଉଭୟ ଗ୍ରାହକ ଏବଂ ବ୍ୟବସାୟୀଙ୍କୁ ଏଥିରେ ପ୍ରୋତ୍ସାହନ ମିଳିବ। ବ୍ୟବସାୟୀମାନଙ୍କୁ ସରକାର କ୍ୟାସ୍‌ବ୍ୟାକ୍‌ ଦେବାକୁ ଯୋଜନା କରୁଥିବାବେଳେ ଗ୍ରାହକଙ୍କୁ ରିହାତି ଦେବା ବିଷୟ ବିଚାର କରୁଛନ୍ତି। ଅର୍ଥ ମନ୍ତ୍ରାଳୟ ଅଧୀନ ରାଜସ୍ୱ ବିଭାଗ ପକ୍ଷରୁ ଏହି ପ୍ରସ୍ତାବ ଉପରେ ବିଚାରବିମର୍ଶ ଚାଲିଛି। ମିଳିଥିବା ସୂଚନା ଅନୁଯାୟୀ, ଯେଉଁ ଗ୍ରାହକମାନେ ଡିଜିଟାଲ ମୋଡ୍‌ରେ ଅର୍ଥ ପଇଠ କରିବେ ସେମାନଙ୍କୁ ସର୍ବାଧିକ ଖୁଚୁରା ମୂଲ୍ୟ (ଏମ୍‌ଆର୍‌ପି) ଉପରେ ରିହାତି ପ୍ରଦାନ କରାଯିବ। ତେବେ ଏ ବାବଦରେ ଗ୍ରାହକଙ୍କୁ ସର୍ବାଧିକ ୧୦୦ ଟଙ୍କାର ରିହାତି ଦେବା ବିଷୟ ଚିନ୍ତା କରାଯାଉଛି। ଅନ୍ୟପକ୍ଷରେ ବ୍ୟବସାୟୀମାନେ ଡିଜିଟାଲ ମାଧ୍ୟମରେ କରିଥିବା କାରବାରର ମୂଲ୍ୟକୁ ବିଚାରକୁ ନିଆଯାଇ କ୍ୟାସବ୍ୟାକ୍‌ ପ୍ରଦାନ ଯୋଜନା ରହିଛି।

ଆସନ୍ତା ମାସ ୪ ତାରିଖରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଏସ୍‌ଟି ପରିଷଦ ବୈଠକରେ ଏହି ପ୍ରସ୍ତାବ ଆଗତ ହେବାର ସମ୍ଭାବନା ରହିଛି। ମିଳିଥିବା ସୂଚନା ମୁତାବକ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଠିତ ବୈଠକରେ ବ୍ୟବସାୟୀ ଓ ଗ୍ରାହକଙ୍କୁ ଡିଜିଟାଲ କାରବାରରେ ପ୍ରୋତ୍ସାହନ ଦେବା ପ୍ରସଙ୍ଗ ଆଲୋଚନା ହୋଇଥିଲା। ବୈଠକରେ ଡିଜିଟାଲ କାରବାର ସଂକ୍ରାନ୍ତ ପ୍ରୋତ୍ସାହନ ୩ଟି ଭିନ୍ନ ଭିନ୍ନ ଉପାୟରେ ପ୍ରଦାନ ନେଇ ଆଲୋଚନା ହୋଇଥିଲା। ବ୍ୟବସାୟୀଙ୍କୁ କ୍ୟାସ୍‌ବ୍ୟାକ୍‌ ବ୍ୟତୀତ ଟ୍ୟାକ୍ସ କ୍ରେଡିଟ୍‌ ପ୍ରଦାନ ସମ୍ପର୍କରେ ମଧ୍ୟ ଚର୍ଚା ହୋଇଥିଲା। କିନ୍ତୁ ରାଜସ୍ୱ ବିଭାଗ କ୍ୟାସ୍‌ବ୍ୟାକ୍‌ ପ୍ରଦାନ ପ୍ରସ୍ତାବରେ ସହମତ ହୋଇଛି। ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ସହଜ ହେବ ଏବଂ ଅସାଧୁ ବ୍ୟବସାୟୀମାନେ ଏହାର ଅପବ୍ୟବହାର କରିବା ଆଶଙ୍କା କମ୍‌।

ସମ୍ବନ୍ଧିତ ଖବର