କାନାରା ବ୍ୟାଙ୍କରୁ ଠକିନେଲେ ୬୮ କୋଟି, ପୂର୍ବତନ ସିଏମଡିଙ୍କ ବିରୋଧରେ ଅଭିଯୋଗ କଲା ସିବିଆଇ

ନୂଆଦିଲ୍ଲୀ: ଦେଶରେ ବଡ଼ ବଡ଼ ବ୍ୟାଙ୍କ ଦୁର୍ନୀତିରେ ବ୍ୟାଙ୍କ ଅଧିକାରୀଙ୍କ ସଂପୃକ୍ତି ରହୁଛି । ନୀରବ ମୋଦି ଠକେଇ ମାମଲାରେ ପଂଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି)ର ବରିଷ୍ଠ ଅଧିକାରୀଙ୍କ ସଂପୃକ୍ତି କଥା ଜନମାନସରୁ ନ ଲିଭୁଣୁ ଆଉ ଏକ ବ୍ୟାଙ୍କ ଦୁର୍ନୀତି କଥା ସାମନାକୁ ଆସିଛି । ଏହି ଦୁର୍ନୀତିଟି ହେଉଛି କାନାରା ବ୍ୟାଙ୍କରେ ହୋଇଥିବା ୬୮ କୋଟି ଟଙ୍କାର ଏକ ଋଣ ଠକେଇ । ଏହି ଠକେଇ ମାମଲାରେ ତଦନ୍ତ ଏବେ ସିବିଆଇ କରୁଛି ।

ଏହି ମାମଲାରେ ସିବିଆଇ ପକ୍ଷରୁ ସୋମବାରଦିନ କାନାରା ବ୍ୟାଙ୍କର ପୂର୍ବତନ ସିଏମଡିଙ୍କ ଆରକେ. ଦୁବେଙ୍କ ସମେତ ମୋଟ ୫ ଜଣ କାନାରା ବ୍ୟାଙ୍କ କର୍ମଚାରୀଙ୍କ ବିରୋଧରେ ଅଭିଯୋଗପତ୍ର ଦାଏର କରିଛି । ଏହା ସହିତ ଦିଲ୍ଲୀ ଭିତ୍ତିକ ଏକ ଜୁଏଲାରୀ କମ୍ପାନିର ଦୁଇଜଣ ନିର୍ଦ୍ଦେଶକଙ୍କୁ ଗିରଫ କରିଛି । ଏସବୁ ବ୍ୟାଙ୍କ କର୍ମଚାରୀଙ୍କୁ ହାତ କରି ଜୁଏଲାରୀ କମ୍ପାନିଟି ବ୍ୟାଙ୍କରୁ ୬୮ କୋଟି ଟଙ୍କା ଠକିନେଇଛି । କମ୍ପାନି ବିଭିନ୍ନ ଜାଲ କାଗଜପତ୍ର ଦେଖାଇ ଏହି ଋଣ ଠକିନେଇଛି । ଦେଶରେ ବିଭିନ୍ନ ବ୍ୟାଙ୍କ ଦୁର୍ନୀତିରେ ବ୍ୟାଙ୍କ ଅଧିକାରୀମାନଙ୍କ ସଂପୃକ୍ତି ସରକାର ଓ ରିଜର୍ଭ ବ୍ୟାଙ୍କର ଚିନ୍ତା ବଢିଯାଇଛି । ଏପରିକି ଲଣ୍ଡନର ଏକ କୋର୍ଟ ମଧ୍ୟ ଭାରତୀୟ ବ୍ୟାଙ୍କ ଠକେଇ ପାଇଁ ବ୍ୟାଙ୍କ କର୍ମଚାରୀଙ୍କୁ ଦାୟୀ କରିଛନ୍ତି ।

ସମ୍ବନ୍ଧିତ ଖବର