ବିମାନ ଉଡ଼ାଣ ନିୟମ ଉଲ୍ଲଘଂନର ସିବିଆଇ ଯାଞ୍ଚ ହେବ

ନୂଆଦିଲ୍ଲୀ: ଆନ୍ତର୍ଜାତିକ ଉଡ଼ାଣ ଅନୁମତି ହାସଲ କରିବା ପାଇଁ ବିମାନ କଂପାନିଗୁଡ଼ିକ ନିଜକୁ ସୁହାଇବା ଭଳି ନିୟମରେ କୌଣସି ପରିବର୍ତ୍ତନ କରିଛନ୍ତି ନା ନାହିଁ ତାହାର ଯାଞ୍ଚ ସିବିଆଇ କରିବ। ଆନ୍ତର୍ଜାତିକ ଉଡ଼ାଣ ଅନୁମତି ପ୍ରଦାନ କରିବା ବେଳେ ନିୟମ ଠିକ୍‌ ଭାବେ ପାଳନ ହୋଇଛି ନା ନାହିଁ ତାହା ସିବିଆଇ ଜାଣିବାକୁ ପ୍ରୟାସ କରିବ। ଉପା ଓ ଏନ୍‌ଡିଏ ସରକାରଙ୍କ ଅମଳରେ ଦିଆଯାଇଥିବା ଅନୁମତିଗୁଡ଼ିକର ଯାଞ୍ଚ କରାଯିବ। ଦେଶ ଭିତରେ ଅତି କମରେ ପାଞ୍ଚ ବର୍ଷ ଉଡ଼ାଣ କରିଥିବା ଓ ପାଖରେ ୨୦ଟି ବିମାନ ଥିବା କଂପାନିକୁ ବିଦେଶ ଉଡ଼ାଣ କରିବାର ଅନୁମତି ପ୍ରଦାନ କରାଯାଉଛି। ଏଥିପାଇଁ ୫/୨୦ ନାମକ ନିୟମ ରହିଛି। ଏନ୍‌ଡିଏ ସରକାର ଏହି ନିୟମକୁ କୋହଳ କରିଛନ୍ତି। ଉପା ସରକାରଙ୍କ ଅମଳରେ ମଧ୍ୟ ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଉଭୟ ସରକାରଙ୍କ ଅମଳରେ ନିୟମ କୋହଳ କରିବା ପାଇଁ କେଉଁ ପ୍ରକ୍ରିୟା ସବୁ ଗ୍ରହଣ କରାଯାଇଥିଲା ସେ ସମ୍ପର୍କିତ କାଗଜପତ୍ର ଦାଖଲ କରିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସମେତ ଅନ୍ୟ ମନ୍ତ୍ରଣାଳୟଗୁଡ଼ିକୁ କୁହାଯାଇଛି।

ଏୟାର ଏସିଆ ଇଣ୍ଡିଆ ଆନ୍ତର୍ଜାତିକ ଉଡ଼ାଣ ଅନୁମତି ହାସଲ କରିବା ପାଇଁ ନିୟମ ଉଲ୍ଲଘଂନ କରିଥିଲା ବୋଲି ଅଭିଯୋଗ ହୋଇଛି। ସେହି ମାମଲାର ତଦନ୍ତ ସିବିଆଇ କରୁଛି। ଏୟାରଏସିଆ କିଭଳି ଲାଇସେନ୍ସ ହାସଲ କରିଥିଲା ଓ ଏହାର ପୁଞ୍ଜିନିବେଶକୁ କିଭଳି ମଞ୍ଜୁରି ପ୍ରଦାନ କରାଯାଇଥିଲା ତାହାର ଯାଞ୍ଚ ମଧ୍ୟ ସିବିଆଇ କରୁଛି। ୫/୨୦ ନିୟମ କୋହଳ କରିବାକୁ ଉପା ସରକାରଙ୍କ ଅମଳରେ ୨୦୧୨ରେ ଉଦ୍ୟମ ଆରମ୍ଭ ହୋଇଥିଲା। ଏ ସମ୍ପର୍କିତ କ୍ୟାବିନେଟ୍‌ ନୋଟ୍‌ ମଧ୍ୟ ଜାରି କରାଯାଇଥିଲା। ମାତ୍ର କିଛି ଦିନ ପରେ ନିର୍ବାଚନ ଆଚରଣବିଦ୍ଧି ଲାଗୁ ହେବା ପରେ ଏହି ପ୍ରକ୍ରିୟା ବନ୍ଦ ହୋଇଯାଇଥିଲା। ଏନ୍‌ଡିଏ ସରକାର ୨୦୧୪ରେ ଶାସନ ଭାର ଗ୍ରହଣ କରିବା ପରେ ପୁଣି ଏହି ପ୍ରସ୍ତାବ ଉପରେ କାମ ଆରମ୍ଭ ହୋଇଥିଲା। ଏକ କ୍ୟାବିନେଟ୍‌ ପ୍ରସ୍ତୁତ କରାଯାଇଥିଲା ଓ ତାହା ସେହିବର୍ଷ ସେପ୍ଟେମ୍ବର ମାସରେ ଅଟକି ଯାଇଥିଲା। ଏନ୍‌ଡିଏ ସରକାର ନୂଆ ବିମାନ ଚଳାଚଳ ନୀତିରେ ୫/୨୦ ନିୟମକୁ ବଦଳାଇ ୦/୨୦ କରିଦେଇଥିଲେ। ଅର୍ଥାତ ଯେଉଁ କଂପାନି ପାଖରେ ୨୦ଟି ବିମାନ ଥିବ ତାହା ଦେଶ ଭିତରେ ବିମାନ ସେବା ପ୍ରଦାନ କରିନଥିଲେ ମଧ୍ୟ ଆନ୍ତର୍ଜାତିକ ଉଡ଼ାଣ କରିପାରିବ। ଏହି ସବୁ ନିଷ୍ପତ୍ତି କିଭଳି ନିଆଗଲା ତାହା ସିବିଆଇ ଜାଣିବାକୁ ପ୍ରୟାସ କରିବ।

ସମ୍ବନ୍ଧିତ ଖବର