ଗାଡ଼ି ବଜାରରେ ଶୀଘ୍ର ଉତ୍ସାହ ଫେରିବ

ପାତ୍ରପଡ଼ାରେ ଫୋର୍ଡ ଖୋଲିଲା ନୂଆ ସୋ’ରୁମ୍

ଭୁବନେଶ୍ବର: ଗାଡ଼ି ପଞ୍ଜୀକରଣ ଫି’ରେ ବୃଦ୍ଧି, ବୀମା ପ୍ରିମିୟମ ବୃଦ୍ଧି, ଋଣ ଅଭାବ ଏବଂ ଚାହିଦା କମିଥିବାରୁ ଗାଡ଼ି ବଜାର ଏବେ ସଙ୍କଟମୟ ସମୟ ଦେଇ ଗତି କରୁଛି। ଏହି ସମସ୍ୟା ଖୁବ୍‌ଶୀଘ୍ର ଦୂର ହେବାକୁ ଯାଉଛି। ଆଗାମୀ ପୂଜା ଋତୁ ସୁଦ୍ଧା ଗାଡ଼ି ବଜାରରେ ଉତ୍ସାହ ଫେରି ଆସିବ ବୋଲି ପ୍ରମୁଖ ଗାଡ଼ି ନିର୍ମାତା ଫୋର୍ଡ ଇଣ୍ଡିଆର ଉପସଭାପତି (ବିକ୍ରି) ଏସ୍‌ ଲକ୍ଷ୍ମୀ ରାମ କୁମାର କହିଛନ୍ତି। ସାରା ଦେଶରେ ଗୋଟିଏ ପରେ ଗୋଟିଏ ସୋ’ରୁମ୍ ବନ୍ଦ ହେଉଥିବା ଭଳି ସମୟରେ ଫୋର୍ଡ ପକ୍ଷରୁ ପାତ୍ରପଡ଼ା ଠାରେ ଏକ ନୂତନ ସୋ’ରୁମ୍ ସ୍ଥାପନ କରାଯାଇଛି। ଏ ସମ୍ପର୍କରେ ଶ୍ରୀ କୁମାର କହିଲେ, ଆମେ ଭାରତ ବଜାରକୁ ନେଇ ବହୁତ ଉତ୍ସାହିତ। ଭାରତ ପାଇଁ ଆମର ସ୍ବତନ୍ତ୍ର ଯୋଜନା ରହିଛି। ଗ୍ରାହକଙ୍କ ଚାହିଦା ପୂରଣ କରିବା ଲାଗି ଆମେ ଗୁଜରାଟର ସାନନ୍ଦରେ ଥିବା କାରଖାନାରେ ବିପୁଳ ପରିମାଣର ନିବେଶ କରିଛୁ। ଆସନ୍ତା ବର୍ଷ ଦେଶରେ ଲାଗୁ ହେବାକୁ ଥିବା ବିଏସ୍‌-୬ ନିୟମ ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛୁ। ସେଥିପାଇଁ ଆମ ପାଖରେ ପ୍ରଯୁକ୍ତିର ଶକ୍ତି ରହିଛି।

ଫୋର୍ଡ ଏହାର ଗାଡ଼ିଗୁଡ଼ିକରେ ନିରାପତ୍ତା, ପ୍ରଯୁକ୍ତି ଏବଂ ଶକ୍ତି ସହିତ ମାଇଲେଜ୍‌କୁ ଗୁରୁତ୍ବ ଦେଉଛି। ଆମର ସବୁ ମଡେଲ୍‌ରେ ଏହି ସବୁ ବ୍ୟବସ୍ଥା ନିଶ୍ଚିତ ରହିବ ବୋଲି ସେ କହିଛନ୍ତି। ୟୁଟିଲିଟି ଯାନ ଏବଂ ଏସ୍‌ୟୁଭି ବର୍ଗ ଉପରେ କଂପାନି ଅଧିକ ଧ୍ୟାନ ଦେଉଛି। ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ସହ ମିଶି ଭାରତୀୟ ବଜାର ନିମନ୍ତେ ଫୋର୍ଡ ବଡ଼ ଧରଣର ଯୋଜନା ପ୍ରସ୍ତୁତ କରିଛି। ଦୁଇ କଂପାନି ମିଶି ଏସ୍‌ୟୁଭି, ଇଲେକ୍ଟ୍ରିକ୍ ଯାନ ଓ କନେକ୍ଟେଡ୍‌ କାର୍‌ ଉପରେ କାମ କରିବେ ବୋଲି ସେ କହିଛନ୍ତି। ଆଜି ପାତ୍ରପଡ଼ା ଠାରେ କଂପାନିର ନୂଆ ଡିଲର୍‌ସିପ୍ ‘ତୃପ୍ତି ଫୋର୍ଡ ସେଲସ୍‌ ଆଣ୍ଡ୍‌ ସର୍ଭିସ୍‌’କୁ ସେ ଉଦ୍‌ଘାଟନ କରିଛନ୍ତି। ୨୭ ହଜାର ବର୍ଗଫୁଟରେ ଏହି ସୋ’ରୁମ୍‌କୁ ସ୍ଥାପନ କରାଯାଇଛି। ଏହି ଅବସରରେ କଂପାନିର ଡିଲର୍‌ ପ୍ରିନ୍‌ସିପାଲ୍ ବଦ୍ରି ନାରାୟଣ ସାମନ୍ତରାୟ ଓ ନିର୍ଦେଶକ ରୁଦ୍ର ନାରାୟଣ ସାମନ୍ତରାୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର