କେନ୍ଦ୍ର କ୍ୟାବିନେଟ୍‌ ନିଷ୍ପତ୍ତି: ବ୍ୟାଙ୍କକୁ ୨.୧୧ ଲକ୍ଷ କୋଟି

ମନ୍ଥର ହୋଇଯାଇଥିବା ଅର୍ଥନୀତିର ଗତି ବଢ଼ାଇବା ଏବଂ ଲୋକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ଆଜି ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସଡ଼କ ଭିତ୍ତିଭୂମିକୁ ସୁଦୃଢ଼ କରିବା ନିମନ୍ତେ ୭ ଲକ୍ଷ କୋଟି ଟଙ୍କାର ଯୋଜନା ଘୋଷଣା କରାଯାଇଥିବା ବେଳେ ଏନ୍‌ପିଏ ପ୍ରଭାବରେ ଦୁର୍ବଳ ହୋଇଥିବା ବ୍ୟାଙ୍କଗୁଡ଼ିକୁ ୨.୧୧ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯିବ। ପାଖାପାଖି ୧୦ ଲକ୍ଷ କୋଟି ଟଙ୍କା ଖର୍ଚ କରି ଅର୍ଥନୀତିକୁ ପୁଣି ଦ୍ରୁତ ଅଭିବୃଦ୍ଧି ପଥକୁ ଫେରାଇ ଆଣିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି
ନୂଆଦିଲ୍ଲୀ, ୨୪/୧୦: ଆସନ୍ତା ୨ ବର୍ଷ ମଧ୍ୟରେ ବ୍ୟାଙ୍କ ଗୁଡ଼ିକୁ ୨ ଲକ୍ଷ ୧୧ ହଜାର କୋଟି ଟଙ୍କାର ପୁଞ୍ଜି ପ୍ରଦାନ ଲାଗି କେନ୍ଦ୍ର କ୍ୟାବିନେଟ୍‌ ଆଜି ନିଷ୍ପତ୍ତି ନେଇଛି । ବ୍ୟାଙ୍କ ଗୁଡ଼ିକର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ସହିତ ଅର୍ଥନୀତିକୁ ଗତିଶୀଳ କରିବା ଲାଗି ସରକାର ଏହି ନିଷ୍ପତ୍ତି ନେଇଛନ୍ତି।
କ୍ୟାବିନେଟ୍‌ ବୈଠକ ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ସୂଚନା ଦେଇ ସରକାରଙ୍କ ଏହି ନିଷ୍ପତ୍ତିକୁ ଏକ ସାହସିକ ପଦକ୍ଷେପ ବୋଲି କହିଛନ୍ତି। ସେ କହିଛନ୍ତି, ୨୦୦୮ରୁ ୨୦୧୩ ମଧ୍ୟରେ ସରକାରୀ ବ୍ୟାଙ୍କ ଗୁଡ଼ିକ ମନଇଚ୍ଛା ଋଣ ପ୍ରଦାନ କରିଥିଲେ। ଏଥିଯୋଗୁଁ ସେମାନଙ୍କ ଅନାଦାୟ ଋଣ ବା ଏନ୍‌ପିଏ ବଢ଼ି ଯାଇଛି। ସରକାର ବ୍ୟାଙ୍କ ଗୁଡ଼ିକୁ ପ୍ରଦାନ କରିବାକୁ ଥିବା ୨ ଲକ୍ଷ ୧୧ ହଜାର କୋଟି ଟଙ୍କାର ପୁଞ୍ଜିକୁ ୩ଟି ଉପାୟରେ ସଂଗ୍ରହ କରିବେ। ସେଗୁଡ଼ିକ ହେଲା ବଣ୍ଡ୍‌ ଜାରି, ବଜେଟ ସହାୟତା ଓ ବଜାରକୁ ଅର୍ଥ ଉଠାଣ। ଏଥିପାଇଁ ସରକାର ଆଗୁଆ ୧.୩୫ ଲକ୍ଷ କୋଟି ଟଙ୍କାର ରିକ୍ୟାପିଟାଇଜେସନ୍‌ ବଣ୍ଡ୍‌ ଜାରି କରିବେ। ଏତଦ୍‌ବ୍ୟତୀତ ସରକାର ବଜେଟ୍‌ ଏବଂ ବଜାରରୁ ସଂଗ୍ରହ କରି ଅବଶିଷ୍ଟ ୭୬ ହଜାର କୋଟି ଟଙ୍କା ବ୍ୟାଙ୍କ ଗୁଡ଼ିକୁ ଯୋଗାଇଦେବେ। ତେବେ ଜାରି ହେବାକୁ ଥିବା ରିକ୍ୟାପିଟାଇଲେଜନ୍‌ ବଣ୍ଡ୍‌ର ନିୟମାବଳୀ ଆଗାମୀ ଦିନରେ ସ୍ଥିର ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ସରକାର ବିତ୍ତୀୟ ନିଅଣ୍ଟକୁ ବୃଦ୍ଧି ନକରିବା ଲାଗି ରିକ୍ୟାପିଟାଲାଇଜେସନ୍‌ ବଣ୍ଡ୍‌ ଜାରି କରିବେ ବୋଲି କହିଛନ୍ତି। ତେବେ ବ୍ୟାଙ୍କ ଗୁଡ଼ିକୁ ପୁଞ୍ଜି ଯୋଗାଣର ପ୍ରଭାବ ବିତ୍ତୀୟ ନିଅଣ୍ଟ ଉପରେ କେତେମାତ୍ରାରେ ପଡ଼ିବ ତାହା ଜାରି ହେବାକୁ ଥିବା ବଣ୍ଡ୍‌ର ପ୍ରକାର ଉପରେ ନିର୍ଭର କରୁଛି। ଆସନ୍ତା ଦୁଇ ବର୍ଷ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଏହି ବଣ୍ଡ୍‌ ଜାରି ହେବ। ବ୍ୟାଙ୍କ ଗୁଡ଼ିକୁ ପୁଞ୍ଜି ଯୋଗାଇ ଦେବାକୁ ଅର୍ଥମନ୍ତ୍ରୀ ଜେଟ୍‌ଲି ଏକ ସାହସିକ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି। ସେହିଭଳି ଆଗାମୀ ଦିନରେ ଆହୁରି ସଂସ୍କାରଧର୍ମୀ ପଦକ୍ଷେପ ନିଆଯିବ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି। କିନ୍ତୁ ଏ ସଂପର୍କରେ କୌଣସି ବିସ୍ତତ ସୂଚନା ସେ ଦେଇନାହାନ୍ତି।

ସମ୍ବନ୍ଧିତ ଖବର