ଟିକସ ଛାଡ଼ିବନି କେନ୍ଦ୍ର

ଆୟକର, ଜିଏସ୍‌ଟି ବଢ଼ିଲେ କମିପାରିବ ଦର

ନୂଆଦିଲ୍ଲୀ: ସରକାର ପେଟ୍ରୋଲ ଏବଂ ଡିଜେଲ ଉପରୁ ଉତ୍ପାଦନ ଶୁଳ୍କ କମାଇବେ ନାହିଁ। ଅନ୍ତତଃପକ୍ଷେ ନିକଟ ଭବିଷ୍ୟତରେ ଏହା ହେବାର ନାହିଁ ବୋଲି କେନ୍ଦ୍ର ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ପ୍ରକାଶ ନକରି କହିଛନ୍ତି। ଉତ୍ପାଦନ ଶୁଳ୍କ ହ୍ରାସ କରାଗଲେ କେନ୍ଦ୍ର ସରକାରଙ୍କ ବିତ୍ତୀୟ ନିଅଣ୍ଟ ବଢ଼ିଯିବ। ସେହିଭଳି କେତେକ ରାଜ୍ୟ ସରକାର ମଧ୍ୟ ଭାଟ୍‌ ବା ମୂଲ୍ୟ ଯୁକ୍ତ ଟିକସ ହ୍ରାସ କରିବା ପରିସ୍ଥିତିରେ ନାହାନ୍ତି ବୋଲି ଏହି ଅଧିକାରୀ ଜଣକ କହିଛନ୍ତି।
ତାଙ୍କ କହିବାନୁଯାୟୀ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର କମିବା ସହିତ ଟଙ୍କା ମୂଲ୍ୟରେ ଆଗାମୀ ଦିନରେ ସୁଧାର ଆସିବ ବୋଲି ସରକାର ଆଶା ରଖିଛନ୍ତି। ଏହି ସୁଧାର ଆସିଲେ ପେଟ୍ରୋଲ ଏବଂ ଡିଜେଲ ଦର ଉପରେ ରହିଥିବା ଚାପ ହ୍ରାସ ପାଇବ। ତେଣୁ ଗ୍ରାହକମାନଙ୍କୁ ତେଲର ମୂଲ୍ୟ ବୃଦ୍ଧି ଜନିତ ବୋଝକୁ ସେ ପର୍ଯ୍ୟନ୍ତ ବହନ କରିବାକୁ ପଡ଼ିବ ବୋଲି ଅଧିକାରୀ ଜଣକ କହିଛନ୍ତି। ତେଲ ଉପରୁ ଉତ୍ପାଦନ ଶୁଳ୍କ ହ୍ରାସ କରିଲେ କେନ୍ଦ୍ର ସରକାରଙ୍କ ବିତ୍ତୀୟ ନିଅଣ୍ଟ ବଢ଼ିବ। ଏହାର ପ୍ରଭାବରେ ଟଙ୍କା ଦୁର୍ବଳ ହେବ। ଏଥିସହିତ ଟିକସ ରାଜସ୍ୱ କମ୍‌ ରହିବା କାରଣରୁ ସରକାରଙ୍କୁ ବିକାଶମୂଳକ ଯୋଜନାରେ ଖର୍ଚ କାଟ କରିବାକୁ ପଡ଼ିବ। ତେଲ ଲିଟର ପିଛା ଟିକସ ୧ ଟଙ୍କା ହ୍ରାସ କରାଗଲେ ସରକାରଙ୍କର ବାର୍ଷିକ ୩୦ ହଜାର କୋଟି ଟଙ୍କାର ରାଜସ୍ୱ ପ୍ରଭାବିତ ହେବ। ଦେଶରେ ଅଧିକରୁ ଅଧିକ ଲୋକ ଆୟକର ଏବଂ ଜିଏସ୍‌ଟି ପ୍ରଦାନ କରିବା ପରେ ଯାଇ ସରକାର ତେଲ ଟିକସକୁ କମାଇ ପାରିବେ। ସେ ପର୍ଯ୍ୟନ୍ତ ସରକାରଙ୍କୁ ତେଲ ରାଜସ୍ୱ ଉପରେ ନିର୍ଭର କରିବାକୁ ପଡ଼ିବ ବୋଲି ଅଧିକାରୀଜଣକ କହିଛନ୍ତି।
ଅଧିକାରୀଜଣକ ଆହୁରି କହିଛନ୍ତି, ଅଶୋଧିତ ତେଲ ଦର ଏକ ସରଳ ରେଖାରେ ଗତି କରୁନାହିଁ। କିଛି ମାସ ଏହା କମିଲେ ଆଉ କିଛି ମାସ ଏହା ବଢ଼ୁଛି। ତେଣୁ ତେଲକୁ ଜିଏସ୍‌ଟି ପରିସରକୁ ଆଣିଲେ ସମାଧାନର ବାଟ ବାହାରିବ ନାହିଁ। କେବଳ ଦେଶର ଟିକସ ଜିଡିପି ଅନୁପାତ ବଢ଼ିଲେ ହିଁ ତେଲ ମୂଲ୍ୟକୁ କମ୍‌ କରାଯାଇ ପାରିବ ବୋଲି ସେ କହିଛନ୍ତି।
ଅଗଷ୍ଟ ମଧ୍ୟଭାଗରୁ ଦେଶରେ ପ୍ରତିଦିନ ପ୍ରାୟ ତେଲ ଦର ବଢ଼ିବାରେ ଲାଗିଛି। ଇତିମଧ୍ୟରେ ପେଟ୍ରୋଲ ଦର ୩ ଟଙ୍କା ୬୫ ପଇସା ଏବଂ ଡିଜେଲ ଦର ୪ ଟଙ୍କା ୬ ପଇସା ମହଙ୍ଗା ହୋଇସାରିଲାଣି। ଗତବର୍ଷ ଜୁନ୍‌ରେ ସରକାର ଦୈନିକ ମୂଲ୍ୟ ସଂଶୋଧନ ବ୍ୟବସ୍ଥା ଲାଗୁ କରିବା ପରଠାରୁ କୌଣସି ମାସରେ ତେଲ ଦରରେ ଏଭଳି ବୃଦ୍ଧି ହୋଇ ନଥିଲା।

ସମ୍ବନ୍ଧିତ ଖବର