କେନ୍ଦ୍ର ସରକାରଙ୍କ ଲାଇସେନ୍ସ ନ ଥିବା ୮୦ଟି ଔଷଧର ବିକ୍ରି ଉପରେ ନିଷେଧାଦେଶ ଜାରି

ନୂଆଦିଲ୍ଲୀ: ପୁଣି ୮୦ଟି ଔଷଧର ବିକ୍ରି ଉପରେ କଟକଣା ଲଗାଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଏହି ଔଷଧଗୁଡ଼ିକ ଫିକ୍ସ-ଡୋଜ-କମ୍ବିନେସନ ଶ୍ରେଣୀର। ପେନକିଲର, ଆଣ୍ଟିବାଇଓଟିକ୍ସ ଏବଂ ଫଙ୍ଗାଲ ଓ ବ୍ୟାକ୍ଟ୍ରିଆଲ ଇନଫେକ୍ସନ ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ଔଷଧ ରହିଛି । ଏଥିପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି  ଏବଂ ଏହି ନିର୍ଦ୍ଦେଶନାମା ଜାନୁଆରି ୧୧ରୁ କାର୍ଯ୍ୟକାରୀ ହୋଇଛି ବୋଲି ଜଣେ ଅଧିକାରୀ କହିଛନ୍ତି ।

ଦୀର୍ଘ ୧୫ ବର୍ଷ ଧରି ଏହି ଔଷଧ ବଜାରରେ ବିକ୍ରି ହେଉଥିଲା । ତେବେ ଏହାର ବିକ୍ରି ପାଇଁ କେନ୍ଦ୍ର ସରକାର କୌଣସି ଅନୁମତି ଦେଇନଥିବା ବେଳେ କେବଳ ରାଜ୍ୟ ସରକାରଙ୍କ ଅନୁମତି କ୍ରମେ ଏହି ମେଡିସିନ ବିକ୍ରି କରୁଛନ୍ତି କମ୍ପାନି । ରାଜ୍ୟ ସରକାର ଏଥିପାଇଁ ଲାଇସେନ୍ସ ପ୍ରଦାନ କରିଥିବା ବେଳେ କେନ୍ଦ୍ର ସରକାର ଏହାର ବିକ୍ରି ପାଇଁ ଅନୁମତି ଦେଇନାହାନ୍ତି । କିନ୍ତୁ ଏବେ ଏହି ଔଷଧ ଉପରେ କେନ୍ଦ୍ର ସରକାର ନିଷେଧାଦେଶ ଲଗାଇଛନ୍ତି ।

ଏହି କଟକଣାକୁ ହିସାବକୁ ନେଲେ ଏବେ ଦେଶରେ ୪୦୫ଟି ଔଷଧ ଉପରେ ନିଷେଧାଦେଶ ଲାଗିଛି । ୨୦୧୮ସେପ୍ଟେମ୍ବର ମାସରେ ୩୨୫ଟି ଔଷଧ ଉପରେ କଟକଣା ଲଗାଇଥିଲେ ସରକାର । ଡ୍ରଗ୍ସ ଟେକ୍ନିକାଲ ଆଡଭାଇଜରି ବୋର୍ଡର ସୁପାରିସ ଆଧାରରେ ସ୍ୱାସ୍ଥ୍ୟ ବିଭାଗ ଏହି କଟକଣା ଜାରି କରିଛି । ସରକାରଙ୍କ ଏହି କଟକଣା ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବିଭିନ୍ନ ଫାର୍ମା କମ୍ପାନୀ । ତେବେ ଏହି ମାମଲା ଏବେ ବିଚାରାଧିନ ରହିଛି ।

ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ(ସିଡିଏସସିଓ)ର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ନୂଆ ଔଷଧ ବଜାରକୁ ଛାଡିବା ପୂର୍ବରୁ ସିଡିଏସସିଓର ଅନୁମତି ନେବାକୁ ପଡିଥାଏ । ତେବେ ଅନୁମତି ଦେବା ପୂର୍ବରୁ ସିଡିଏସସିଓ ଉକ୍ତ ଔଷଧର ଗୁଣମାନ ଓ ଶରୀରରେ ଏହାର ପ୍ରଭାବ କ’ଣ ପଡିବ ତାହାକୁ ଯାଞ୍ଚ କରିଥାନ୍ତି । ତେବେ ବିକ୍ରି ନ ହେବାକୁ ଥିବା ଏହି ୮୦ ଔଷଧ ପାଇଁ କମ୍ପାନିଗୁଡିକ କୌଣସି ଅନୁମତି ନେଇନାହାନ୍ତି । କେବଳ ରାଜ୍ୟ ଠାରୁ ଲାଇସେନ୍ସ ହାତେଇବା ସହ ଔଷଧ ବିକ୍ରି କରୁଥିଲେ ।

ସମ୍ବନ୍ଧିତ ଖବର