ମାନ୍ଦାବସ୍ଥାକୁ କେନ୍ଦ୍ରମନ୍ତ୍ରୀ ରବିଶଙ୍କରଙ୍କ ଅସ୍ବୀକାର, ଏନ୍‌ଏସ୍‌ଏସ୍‌ଓର ବେକାରି ରିପୋର୍ଟକୁ ଭୁଲ୍ ବୋଲି କହିଲେ

ମୁମ୍ବାଇ: ଦେଶର ଅର୍ଥନୀତି ମାନ୍ଦାବସ୍ଥା କବଳରେ ପଡ଼ିଥିଲେ ମଧ୍ୟ ଏହାକୁ ସ୍ବୀକାର କରିବାକୁ ପ୍ରସ୍ତୁତ ନାହାନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ। ଏପରିକି ସେ ବଲିଉଡ ସିନେମାରେ ଏବେ ହେଉଥିବା ରୋଜଗାରକୁ ଦର୍ଶାଇ ଅର୍ଥନୀତିରେ ମାନ୍ଦାବସ୍ଥା ନଥିବା ବିଷୟ ଯୁକ୍ତି ବାଢ଼ିଛନ୍ତି। ଚଳିତମାସ ୨ ତାରିଖରେ (ଜାତୀୟ ଛୁଟି ଦିନ) ‌ରିଲିଜ୍ ହୋଇଥିବା ୩ଟି ବଲିଉଡ୍‌ ସିନେମା ୧୨୦ କୋଟିର ବ୍ୟବସାୟ କରିଥିବାରୁ ଅର୍ଥନୀତିରେ ମାନ୍ଦାବସ୍ଥା ଆସିଲା କୁଆଡ଼ୁ ବୋଲି ଓଲଟା ପ୍ରଶ୍ନ କରିଛନ୍ତି। ତେଣୁ ଅର୍ଥନୀତିର ସ୍ଥିତି ଭଲ ରହିଛି ବୋଲି ସେ କହିଛନ୍ତି। ଏପରିକି ୨୦୧୭ରେ ଦେଶରେ ବେକାରି ହାର ୪୫ ବର୍ଷ ମଧ୍ୟରେ ସର୍ବନିମ୍ନ ବୋଲି ଏନଏସ୍‌ଏସ୍‌ଓର ଯେଉଁ ରିପୋର୍ଟ ଆସିଥିଲା ତାହାକୁ ସେ ଭୁଲ ବୋଲି କହିବାକୁ ପଛାଇନାହାନ୍ତି। ସେ କହିଛନ୍ତି, କିଛି ଲୋକ ସରକାରଙ୍କ ବିରୋଧରେ ଏକଜୁଟ ହୋଇ ଲୋକଙ୍କୁ ବେକାରି ସ୍ଥିତି ସମ୍ପର୍କରେ ଭୂଆଁ ବୁଲାଉଛନ୍ତି। ମୁମ୍ବାଇରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଲାଗି ଆସିଥିବା ରବିଶଙ୍କର ପ୍ରସାଦ ସାମ୍ବାଦିକମାନଙ୍କୁ ଏହା କହିଛନ୍ତି। କଂଗ୍ରେସ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କ ଏପରି ବିବୃତିକୁ ସମାଲୋଚନା କରାଯାଇଛି।

ସମ୍ବନ୍ଧିତ ଖବର