କମିବ ଔଷଧ ଦର! ଔଷଧର ମୂଲ୍ୟ ନିର୍ଦ୍ଧାରଣ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବେ ସରକାର

ନୂଆଦିଲ୍ଲୀ: ସରକାର ଖୁବ୍‌ଶୀଘ୍ର ଦେଶରେ ଔଷଧର ମୂଲ୍ୟ ନିର୍ଦ୍ଧାରଣ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବେ। ଚଳିତମାସ ଶେଷ ସୁଦ୍ଧା ଏହି ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି। ଏଥିରେ ଫାର୍ମା ପ୍ରଡକ୍ଟ ପାଇଁ ମୂଲ୍ୟର ଏକ ନୂଆ ସୂଚୀ ପ୍ରସ୍ତୁତ ହେବ। ଦେଶରେ ବିକ୍ରି ହେଉଥିବା ସବୁ ଔଷଧ ପାଇଁ ଏହି ମୂଲ୍ୟ ସୂଚୀକୁ ମାନଦଣ୍ଡ ଭାବେ ବିଚାର କରାଯିବ। ଏପରିକି ଯେଉଁ ଔଷଧଗୁଡ଼ିକ ଏବେ ବି ଔଷଧ ମୂଲ୍ୟ ନିୟନ୍ତ୍ରଣ ଆଦେଶ ବାହାରେ ଅଛି ତାହାକୁ ଏହାର ପରିସରକୁ ଅଣାଯିବ।

ଏବେ ସରକାର ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ସବୁ ଔଷଧର ମୂଲ୍ୟ ନିୟନ୍ତ୍ରଣ କରୁଥିଲେ ମଧ୍ୟ ତାହା ସେତେଟା ଫଳପ୍ରଦ ହେଉନାହିଁ। ତେବେ ସରକାର ପ୍ରାୟ ୮୫୦ଟି ଅତ୍ୟାବଶ୍ୟକ ଔଷଧର ସର୍ବୋଚ୍ଚ ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି। ଔଷଧ ନିୟାମକ ସଂସ୍ଥା ଏନପିପିଏ ପାଇକାରୀ ମୂଲ୍ୟସୂଚୀ ଆଧାରରେ ପ୍ରତିବର୍ଷ ଏହି ଔଷଧର ମୂଲ୍ୟ ନିର୍ଦ୍ଧାରଣ କରିଥାଏ। ଅନ୍ୟ ସମସ୍ତ ଔଷଧ ପାଇଁ କମ୍ପାନି ଗୁଡ଼ିକୁ ମୂଲ୍ୟ ବୃଦ୍ଧିର ଅନୁମତି ପ୍ରଦାନ କରାଯାଇଛି। ତେବେ ଏହି ମୂଲ୍ୟ ବୃଦ୍ଧି ବର୍ଷକୁ ୧୦ ପ୍ରତିଶତରୁ ଅଧିକ ହେବନାହିଁ ବୋଲି ବ୍ୟବସ୍ଥା ରହିଛି। ତେବେ ପ୍ରସ୍ତାବିତ ବ୍ୟବସ୍ଥାରେ କେନ୍ଦ୍ର ସରକାର ସବୁ ଔଷଧକୁ ନୂଆ ଔଷଧ ସୂଚୀ ସହିତ ଯୋଡ଼ିବାକୁ ଯୋଜନା କରିଛନ୍ତି। ନିତି ଆୟୋଗର ପ୍ରସ୍ତାବ ଅନୁଯାୟୀ ସରକାର ଏହା କରିବାକୁ ଯାଉଛନ୍ତି। ଔଷଧ ନିର୍ମାତାମାନେ ଏହି ସୂଚୀରେ ହେଉଥିବା ପରିବର୍ତ୍ତନ ଅନୁଯାୟୀ ଦର ବଦଳାଇବା ଅନୁମତି ପାଇବେ। ଏହି ପ୍ରସ୍ତାବ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଚଳିତ ମାସରେ ଏ ନେଇ ବିଜ୍ଞପ୍ତି ଜାରି ହେବ ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି। ଦେଶରେ ଔଷଧର ବଜାର ଆକାର ପ୍ରାୟ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଥିବାବେଳେ ବର୍ତ୍ତମାନ ବ୍ୟବସ୍ଥାରେ କେବଳ ୧୭ ପ୍ରତିଶତ ଔଷଧର ମୂଲ୍ୟ ସରକାରଙ୍କ ନିୟନ୍ତ୍ରଣରେ ରହିଛି। ତେବେ ପରିମାଣ ଦୃଷ୍ଟିରେ ଏହା ସମୁଦାୟ ଔଷଧର ୨୪ ପ୍ରତିଶତ ହେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର