ସିବିଆଇ ପରେ ଚନ୍ଦାଙ୍କ ପଛରେ ଇଡି

ନୂଆଦିଲ୍ଲୀ: ଭିଡିଓକନ୍ ଋଣ ବିବାଦରେ ଛନ୍ଦି ହୋଇପଡ଼ିଥିବା ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ଏମ୍‌ଡି ଓ ସିଇଓ ଚନ୍ଦା କୋଚ୍ଚରଙ୍କ ନାମରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ମାମଲା ଦାୟର କରାଯାଇଛି। ପୂର୍ବରୁ ଚନ୍ଦାଙ୍କ ନାମରେ ସିବିଆଇ ପକ୍ଷରୁ ଏତଲା ଦାୟର କରାଯାଇସାରିଛି। ତାହାକୁ ନଜରରେ ରଖି ଇଡି ଏକ ମନି ଲଣ୍ଡରିଂ ମାମଲା ରୁଜୁ କରିଛି। ମନି ଲଣ୍ଡରିଂରେ ଚନ୍ଦାଙ୍କ ସଂପୃକ୍ତି ଥାଇପାରେ ବ‌ୋଲି ଇଡି ଭାବୁଛି। ସେଥିପାଇଁ ଏହାର ତଦନ୍ତ କରିବାକୁ ଚାହୁଁଛି। ୨୦୧୨ରେ ଭିଡିଓକନ୍‌କୁ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଯେଉଁ ଋଣ ଆବଣ୍ଟନ କରାଯାଇଥିଲା, ସେଥିରେ ଚନ୍ଦା ବ୍ୟକ୍ତିଗତ ଭାବେ ଲାଭବାନ ହୋଇଛନ୍ତି ନା ନାହିଁ ତାହା ଜାଣିବାକୁ ଇଡି ପ୍ରଥମେ ପ୍ରୟାସ କରିବ। ଭିଡିଓକନ୍‌ ଗ୍ରୁପ୍‌ ପକ୍ଷରୁ ଚନ୍ଦାଙ୍କ ସ୍ବାମୀ ଦୀପକ କୋଚ୍ଚରଙ୍କୁ ପ୍ରଦାନ କରାଯାଇଥିବା ୬୪ କୋଟି ଟଙ୍କା ଉପରେ ଇଡିର ସନ୍ଦେହ ହେଉଛି। ଭିଡିଓକନ୍‌ ମାମଲାରେ ସିବିଆଇ ପକ୍ଷରୁ ଦାୟର କରାଯାଇଥିବା ଏତଲାରେ ଚନ୍ଦାଙ୍କ ବ୍ୟତୀତ ତାଙ୍କ ସ୍ବାମୀ ଦୀପକ ଓ ଭିଡିଓକନ୍‌ ଗ୍ରୁପ୍‌ର ମୁଖ୍ୟ ବେଣୁଗୋପଳ ଧୁତ୍‌ଙ୍କ ନାମ ରହିଛି। ସିବିଆଇ ମାମଲା ଦାୟର କରିବା ପରଠାରୁ ଚନ୍ଦାଙ୍କ ସମସ୍ୟା ବହୁତ ବଢ଼ିଯାଇଛି। ଏହାର କିଛି ଦିନ ପରେ ଜଷ୍ଟିସ୍‌ ଶ୍ରୀକୃଷ୍ଣ କମିଟି ରିପୋର୍ଟରେ ଚନ୍ଦାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏହି ରିପୋର୍ଟ ମିଳିବା ପରେ ଆଇସିଆଇସିଆଇ ପକ୍ଷରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତାଙ୍କୁ ବରଖାସ୍ତ କରାଯିବା‌ ସହ ସେ ପାଇବାକୁ ଥିବା ସବୁ ପ୍ରାପ୍ୟକୁ ଅଟକାଇ ଦିଆଯାଇଛି। ଏହା ବ୍ୟତୀତ ୨୦୦୯ ପରଠାରୁ ସେ ଯେତେ ସବୁ ବୋନସ୍‌ ନେଇଥିଲେ ତାହା ଫେରାଇବାକୁ ବ୍ୟାଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି।

‌ଉଲ୍ଲେଖଯୋଗ୍ୟ, ୨୦୧୨ରେ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଭିଡିଓକନ୍‌କୁ ୩୨୫୦ କୋଟି ଟଙ୍କାର ଋଣ ଦିଆଯାଇଥିଲା। ଷ୍ଟେଟ୍‌ ବ୍ୟାଙ୍କ ନେତୃତ୍ବରେ ୨୦ଟି ବ୍ୟାଙ୍କ ଦ୍ବାରା ଭିଡିଓକନ୍‌କୁ ମଞ୍ଜୁର କରାଯାଇଥିବା ୪୦ ହଜାର କୋଟି ଟଙ୍କା ଋଣର ଏହା ଏକ ଅଂଶ ଥିଲା। ଏହି ଋଣ ଜରିଆରେ ଚନ୍ଦା ବ୍ୟକ୍ତିଗତ ଭା‌ବେ ଲାଭବାନ ହୋଇଛନ୍ତି ବୋଲି ଅରବିନ୍ଦ ଗୁପ୍ତା ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ସେହି ଅଭିଯୋଗକୁ ପ୍ରତି ବ୍ୟାଙ୍କ ଗୁରୁତ୍ବ ଦେଇନଥିଲା। କିନ୍ତୁ ବିଭିନ୍ନ ମହଲରୁ ଚାପ ପଡ଼ିବା ପରେ ମାମଲାର ସ୍ବାଧୀନ ତଦନ୍ତ କରାଯାଇଥିଲା ଓ ଚନ୍ଦାଙ୍କୁ ଛୁଟିରେ ପଠାଇ ଦିଆଯାଇଥିଲା। କିଛି ଦିନ ପରେ ଚନ୍ଦା ନିଜ ପଦରୁ ଇସ୍ତଫା ଦେଇଥିଲେ।

ସମ୍ବନ୍ଧିତ ଖବର