ବଦଳିବ ୫୦ ବର୍ଷରୁ ଅଧିକ ପୁରୁଣା ଟିକସ ନିୟମ

ନୂଆଦିଲ୍ଲୀ: ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ଜରିଆରେ ପରୋକ୍ଷ ଟିକସ କ୍ଷେତ୍ରରେ ସଂସ୍କାର ଆଣିିଥିବା କେନ୍ଦ୍ର ସରକାର ଆଗାମୀ ଦିନରେ ପ୍ରତ୍ୟକ୍ଷ ଟିକସ କ୍ଷେତ୍ରରେ ବଡ଼ ଧରଣର ସଂସ୍କାର ଆଣିବା ଉପରେ କାମ ଆରମ୍ଭ କରିଦେଇଛନ୍ତି।

ସରକାର ଏକ ନୂତନ ପ୍ରତ୍ୟକ୍ଷ ଟିକସ ନିୟମ ପ୍ରସ୍ତୁତ କରିବେ। ସେଥିପାଇଁ ୬ ଜଣିଆ ଟାସ୍କଫୋର୍ସ ଗଠନ କରାଯାଇଛି। ଏହି ନୂଆ ନିୟମ ବର୍ତ୍ତମାନ ପ୍ରଚଳିତ ଥିବା ୫୦ ବର୍ଷ ପୁରୁଣା ଆୟକର ନିୟମ ସ୍ଥାନରେ ଲାଗୁ ହେବ। ସାମ୍ପ୍ରତିକ ଅର୍ଥନୀତିର ଆବଶ୍ୟକତା ଅନୁସାରେ ଏହି ନିୟମ ପ୍ରସ୍ତୁତ କରାଯିବ।

କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି)ର ସଦସ୍ୟ ଅରବିନ୍ଦ ମୋଦିଙ୍କ ନେତୃତ୍ୱରେ ଏହି ଟାସ୍କଫୋର୍ସ ଗଠନ କରାଯାଇଛି। ଏହାର ଅନ୍ୟ ସଦସ୍ୟମାନେ ହେଉଛନ୍ତି ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ ଗିରିଶ ଆହୁଜା, ଇଓ୍ଵାଇର ଅଧ୍ୟକ୍ଷ ରାଜୀବ ମେମାନି ଏବଂ ଆଇସିଆରଇଆଇଆର୍‌ର ଉପଦେଷ୍ଟା ମାନ୍‌ସି କେଡିଆ।

ଚଳିତ ବର୍ଷ ସେପ୍ଟେମ୍ବରେ ହୋଇଥିବା ଆୟକର ଅଧିକାରୀଙ୍କ ବାର୍ଷିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ଆୟକର ନିୟମ, ୧୯୬୧ ଇତି ମଧ୍ୟରେ ୫୦ ବର୍ଷରୁ ଅଧିକ ପୁରୁଣା ହୋଇଗଲାଣି ଏବଂ ସେଥିରେ ପରିବର୍ତ୍ତନର ଆବଶ୍ୟକତା ରହିଛି। ସେହି ପୁରୁଣା ନିୟମକୁ ପରିବର୍ତ୍ତନ କରିବା ଲକ୍ଷ୍ୟ ନେଇ ଏବଂ ନୂତନ ଚିଠା ନିୟମ ପ୍ରସ୍ତୁତ କରିବା ନିମନ୍ତେ ଟାସ୍କଫୋର୍ସ ଗଠନ କରାଯାଇଛି ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହି ଟାସ୍କଫୋର୍ସ ୬ ମାସ ଭିତରେ ଏହାର ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବ। ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଅରବିନ୍ଦ ସୁବ୍ରମଣିଅନ୍‌ ସ୍ଥାୟୀ ଆମନ୍ତ୍ରିତ ସଦସ୍ୟ ଭାବେ କାମ କରିବେ।

ବିଭିନ୍ନ ରାଷ୍ଟ୍ରରେ ପ୍ରଚଳିତ ଥିବା ପ୍ରତ୍ୟକ୍ଷ ଟିକସ ନିୟମ, ଆନ୍ତର୍ଜାତିକ ସ୍ତରର ଶ୍ରେଷ୍ଠ ନିୟମକୁ ଅନୁଧ୍ୟାନ କରିବା ଏବଂ ସାମ୍ପ୍ରତିକ ଅର୍ଥନୀତିର ଯାହା ଆବଶ୍ୟକତା ରହିଛି ତାହା ବିଚାରକୁ ନେଇ ଚିଠା ପ୍ରତ୍ୟକ୍ଷ ଟିକସ ନିୟମ ପ୍ରସ୍ତୁତ କରିବାକୁ ଟାସ୍କଫୋର୍ସକୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ପ୍ରତ୍ୟକ୍ଷ ଟିକସ କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ଉପା ସରକାର ୨୦୦୯ରେ ପ୍ରତ୍ୟକ୍ଷ ଟିକସ କୋଡ୍‌ ଆଣିଥିଲେ। ୨୦୧୦ରେ ପ୍ରତ୍ୟକ୍ଷ ଟିକସ କୋଡ୍‌ ବିଲ୍‌ ସଂସଦରେ ଉପସ୍ଥାପନ କରାଯାଇଥିଲା। ମାତ୍ର ତାହା ସଂସଦରେ ପାସ୍‌ ହୋଇପାରିନଥିଲା। ପ୍ରତ୍ୟକ୍ଷ ଟିକସ କୋଡ୍‌ରେ ବ୍ୟକ୍ତିବିଶେଷ ଏବଂ କର୍ପୋରେଟ୍‌ ଟିକସଦାତାଙ୍କ ପାଇଁ ଅନେକ ପ୍ରକାର କୋହଳ ଟିକସ ସ୍ଲାବ୍‌ର ପ୍ରସ୍ତାବ ରହିିଥିଲା। ପ୍ରତ୍ୟକ୍ଷ ଟିକସ କୋଡ୍‌ କାର୍ଯ୍ୟକାରୀ ହୋଇଥିଲେ ଟିକସ ପ୍ରଦାନ କରିବା ସହଜ ହୋଇଥାନ୍ତ ଏବଂ କମ୍‌ ଟିକସ ମଧ୍ୟ ଦେବାକୁ ପଡ଼ୁଥାନ୍ତା ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏବେ ପ୍ରଚଳନରେ ଥିବା ନିୟମ ଅନୁସାରେ ବ୍ୟକ୍ତିବିଶେଷଙ୍କ ପାଇଁ ବାର୍ଷିକ ଆୟକର ଛାଡ଼ ସୀମା ଅଢ଼େଇ ଲକ୍ଷ ଟଙ୍କା ରହିଛି।

ସମ୍ବନ୍ଧିତ ଖବର