ଟିକସ ଅଧିକାରୀଙ୍କଠୁ ସୁରକ୍ଷା ଦିଅ, ପ୍ରଧାନମନ୍ତ୍ରୀଙ୍କୁ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ଙ୍କ ଅନୁରୋଧ

ମୁମ୍ବାଇ: ପ୍ରତ୍ୟକ୍ଷ ଟିକସ ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଥିବା କେନ୍ଦ୍ର ସରକାର ଟିକସ ଅଧିକାରୀମାନଙ୍କୁ ଅଧିକ କଠୋର ହେବାକୁ ନିର୍ଦେଶ ଦେବା ପରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ (ସିଏ)ମାନଙ୍କ ମନରେ ସଂଶୟ ସୃଷ୍ଟି ହୋଇଛି। ଟିକସ ଅଧିକାରୀମାନଙ୍କ ଠାରୁ ଟିକସଦାତାଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ଦେଶର କିଛି ପ୍ରମୁଖ ସିଏ ସଂଘ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଅର୍ଥ ମନ୍ତ୍ରଣାଳୟକୁ ଅନୁରୋଧ କରିଛନ୍ତି। ଅହମ୍ମଦାବାଦ, କର୍ଣ୍ଣାଟକ, ସୁରଟ, ଲକ୍ଷ୍ନୌର ସିଏ ସଂଘଗୁଡ଼ିକ ଏଭଳି ଅନୁରୋଧ କରିଛନ୍ତି। ଗତ ୨୬ ତାରିଖରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଦେଶର ସବୁ ପ୍ରମୁଖ ମୁଖ୍ୟ ଆୟକର ଆୟୁକ୍ତମାନଙ୍କୁ ‘ସବୁ ପ୍ରକାର ସମ୍ଭବ ପଦକ୍ଷେପ’ ଗ୍ରହଣ କରି ଟିକସ ଆଦାୟ ବଢ଼ାଇବାକୁ ନିର୍ଦେଶ ଦିଆଯାଇଥିଲା। ସିଏ ସଂଘଗୁଡ଼ିକ କହିଛନ୍ତି ଯେ, ଟିକସକୁ ନେଇ ଅନେକ ମାମଲା ବିଚାରଧୀନ ରହିଛି। କେତେକ ମାମଲାରେ ଟିକସଦାତା ବିଜୟୀ ହେବାର ସମ୍ଭାବନା ମଧ୍ୟ ଅଧିକ ରହିଛି। ଏଭଳି ପରିସ୍ଥିତିରେ ଯଦି ଟିକସ ଅଧିକାରୀମାନେ କୌଣସି ପ୍ରକାରର କଠୋର ପଦକ୍ଷେପ ଗ୍ରହଣ କରିବେ ତେବେ ଟିକସଦାତାମାନଙ୍କ ସ୍ବାର୍ଥ ପ୍ରଭାବିତ ହେବ। ଚଳିତ ଆର୍ଥିକ ବର୍ଷରେ ୧୨ ଲକ୍ଷ କୋଟି ଟଙ୍କାର ପ୍ରତ୍ୟକ୍ଷ କର ଆଦାୟ କରିବାକୁ ସରକାର ଲକ୍ଷ୍ୟ ରଖିଥିଲେ। ମାତ୍ର ସେଥି ମଧ୍ୟରୁ ୧୦ ଲକ୍ଷ କୋଟି ଟଙ୍କା ଆଦାୟ ହୋଇପାରିଛି ଯାହା ଧାର୍ଯ୍ୟ ଲକ୍ଷ୍ୟର ୮୫.୧% ସହ ସମାନ।

ସମ୍ବନ୍ଧିତ ଖବର