ଏୟାର୍‌ଟେଲ୍‌ ଆଣିଲା ମାତ୍ର ୧,୩୪୯ଟଙ୍କା ମୂଲ୍ୟରେ ଆଉ ଏକ ଶସ୍ତା ୪ଜି ସ୍ମାର୍ଟଫୋନ୍‌!

ଜାଣନ୍ତୁ ଏନେଇ କ’ଣ ରହିଛି ସର୍ତ୍ତ..

ମୁମ୍ବାଇ: ଭାରତୀୟ ଟେଲିକମ୍‌ କଂପାନି ଭାରତୀ ଏୟାର୍‌ଟେଲ୍‌ ପକ୍ଷରୁ ଏବେ ଆଉ ଏକ ଶସ୍ତା ୪ଜି ସ୍ମାର୍ଟଫୋନ୍‌କୁ ଲଞ୍ଚ୍‌ କରାଯାଇଛି। ତେବେ ଏନେଇ କଂପାନି ପକ୍ଷରୁ ସେଲ୍‌କାନ୍‌ ମୋବାଇଲ୍‌ କଂପନି ସହିତ ବୁଝାମଣା ହୋଇଛି। ଯେଉଁଥିରେ କି ଗ୍ରାହକମାନେ ଏବେ ମାତ୍ର ୧,୩୪୯ଟଙ୍କା ଦେଇ ଏହି ଶସ୍ତା ସ୍ମାର୍ଟଫୋନ୍‌କୁ କିଣିପାରିବେ। ଏୟାର୍‌ଟେଲ୍‌ କଂପାନି କାର୍ବନ୍‌ ପରେ ସେଲ୍‌କାନ୍‌ ମୋବାଇଲ୍‌କୁ ଗ୍ରାହକମାନଙ୍କ ଲାଗି ଲଞ୍ଚ୍‌ କରିଛି।

ତେବେ ଆପଣଙ୍କ ସୂଚନା ଲାଗି ଜଣାଉଅଛୁକି, ଏୟାର୍‌ଟେଲ୍‌ କଂପାନି ଏହା ପୂର୍ବରୁ କାର୍ବନ୍‌ ମୋବାଇଲ୍‌ କଂପାନି ସହିତ ମିଶି ଉପଭୋକ୍ତାମାନଙ୍କ ଲାଗି କେବଳ ୧,୩୯୯ଟଙ୍କାରେ A40 Indian ସ୍ମାର୍ଟଫୋନ୍‌କୁ ଲଞ୍ଚ୍‌ କରିଥିଲା। ତେବେ ଏବେ ପୁଣିଥରେ କଂପାନି ପକ୍ଷରୁ କାର୍ବନ୍‌ ପରେ ସେଲ୍‌କାନ୍‌ ମୋବାଇଲ୍‌କୁ ଲଞ୍ଚ୍‌ କରାଯାଇଛି। ଯେଉଁ ଫୋନ୍‌ରେ କି ୪ ଇଂଞ୍ଚ୍‌ ଡିିସ୍‌ପ୍ଲେ, ୧.୩ GHz କ୍ୱାଡ୍‌କୋର୍‌ ପ୍ରୋସେସର୍‌, ୧ଜିବି ର‍୍ୟାମ୍‌ ଏବଂ ୮ ଜିବି ଷ୍ଟୋରେଜ୍‌ କ୍ଷମତା ରହିଛିା ଯାହାକୁକି ୩୨ଜିବି ପର୍ଯ୍ୟନ୍ତ ମଧ୍ୟ ବଢ଼ାଯାଇପାରେ! ଏଥିସହିତ ଏହି ଫୋନ୍‌ରେ ୩.୨ ମେଗାପିକ୍ସଲର ରିଅର୍‌ କ୍ୟାମେରା ଏବଂ ୨ ମେଗାପିକ୍ସଲ୍‌ର ଫ୍ରଣ୍ଟ୍‌ କ୍ୟାମେରା ମଧ୍ୟ ରହିଛି। ଏତଦ୍‌ବ୍ୟତୀତ ଏଥିରେ ୧,୫୦୦ mAh ବ୍ୟାଟେରି ଏବଂ ଏଣ୍ଡ୍ରୋଏଡ୍‌ ମାର୍ଶାମୈଲୋ ୬.୦ ଅଛି। ଏଥିସହ କନେକ୍ଟିଭିଟି ଲାଗି ସେଲ୍‌କାନ୍‌ ୪ଜି ସ୍ମାର୍ଟଫୋନ୍‌ରେ ଡୁଆଲ୍‌ ସିମ୍‌, 4G VoLTE, Wi-Fi,Bluetooth, GPS ଏବଂ FM Radioର ମଧ୍ୟ ସୁବିଧା ରହିଛି।

ତେବେ ଏହି ସ୍ମାର୍ଟଫୋନ୍‌କୁ କିଣିବାକୁ ହେଲେ ଉପଭୋକ୍ତାଙ୍କୁ ୨,୮୪୯ଟଙ୍କାର ଡାଉନ୍‌ପେମେଣ୍ଟ୍‌ କରିବାକୁ ହେବ। ଏହାପରେ ୩୬ ମାସ ପର୍ଯ୍ୟନ୍ତ ଲଗାତାର୍‌ ୧୬୯ ଟଙ୍କାର ରିଚାର୍ଜ କରିବାକୁ ହେବ। ଯାହାଦ୍ୱାରା କି ଉପଭୋକ୍ତାଙ୍କୁ ୨୮ ଦିନ ପର୍ଯ୍ୟନ୍ତ ଅସୀମିତ ମାଗଣା କଲିଙ୍ଗ୍‌ ସେବା ସାଂଗକୁ ୫୦୦ ଏମ୍‌ବି ଡାଟା ମଧ୍ୟ ମିଳିବ। ତେବେ ଏହି ଫୋନ୍‌କୁ କିଣିବାର ୧୮ମାସ ପରେ ଏନେଇ ଉପଭୋକ୍ତାଙ୍କୁ ୫୦୦ଟଙ୍କାର କ୍ୟାସ୍‌ବ୍ୟାକ୍‌ ମିଳିବା। ଏହାପରେ ପୁଣିଥରେ ୩୬ ମାସର ବ୍ୟବଧାନ ପରେ ଗ୍ରାହକଙ୍କୁ ୧,୦୦୦ ଟଙ୍କାର କ୍ୟାସ୍‌ବ୍ୟାକ୍‌ ମିଳିବ। ଏହିପରି ଭାବରେ ଉପଭୋକ୍ତାମାନଙ୍କୁ ସେମାନଙ୍କର ବକେୟା ୧,୫୦୦ ଟଙ୍କା ମିଳିଯିବ ଏବଂ ଉକ୍ତ ଫୋନ୍‌ର ପ୍ରକୃତ ମୂଲ୍ୟ ୧,୩୪୯ଟଙ୍କା ହୋଇଯିବ।

ସମ୍ବନ୍ଧିତ ଖବର