ପରଖିବ ଡିଜିସିଏ ‘ଜେଟ୍‌’ ଅବସ୍ଥା କେତେ ଖରାପ?

ନୂଆଦିଲ୍ଲୀ: ଏକଦା ଦେଶର ଏକ ନମ୍ବର ବିମାନ କଂପାନି କୁହାଯାଉଥିବା ଜେଟ୍‌ ଏୟାରେଓ୍ଵଜ୍‌ର ସ୍ଥିତି ସଙ୍ଗିନ ହୋଇପଡ଼ିଛି। ଏହା ଘୋର ଆର୍ଥିକ ସଙ୍କଟରେ ପଡ଼ିଯାଇଛି। ତେବେ କଂପାନିର ସ୍ଥିତି ବାସ୍ତବରେ କେତେ ଖରାପ ତାହା ଜଣାପଡ଼ୁନାହିଁ। ପାଣ୍ଠି ଅଭାବ ଯୋଗୁ ଏହି ବିମାନ କଂପାନି ଯାତ୍ରୀଙ୍କ ନିରାପତ୍ତା ପ୍ରତି ସାଲିସ କରୁନାହିଁ ତ? ଏହା ଜାଣିବା ପାଇଁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ବେସାମରିକ ବିମାନ ଚଳାଚଳ କ୍ଷେତ୍ରର ନିୟାମକ ସଂସ୍ଥା ଡିଜିସିଏ ପକ୍ଷରୁ ଜେଟ୍‌ ଏୟାରେଓ୍ଵଜ୍‌ର ଅଡିଟ୍‌ କରିବାକୁ ନିଷ୍ପତ୍ତି ନିଆଯାଇଛି। ଡିଜିସିଏର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ଯେ, ବିମାନ କଂପାନିଗୁଡ଼ିକର ନିରାପତ୍ତା ଅଡିଟ୍‌ ଏକ ନିୟମିତ ପ୍ରକ୍ରିୟା। କିନ୍ତୁ ଜେଟ୍‌ର ଆର୍ଥିକ ସ୍ଥିତି ଭଲ ନଥିବା ଜଣାପଡ଼ିବା ପରେ ଆମେ ତୁରନ୍ତ ଏହାର ଅଡିଟ୍‌ କରିବାକୁ ନିଷ୍ପତ୍ତି ନେଇଛୁ। ଅଗଷ୍ଟ ୨୭ରୁ ଏହି ଅଡିଟ୍‌ ଆରମ୍ଭ ହେବ। ତେଲ କଂପାନି, ଭେଣ୍ଡର୍‌ ଓ ବିମାନ ଲିଜ୍‌ ପ୍ରଦାନ କରିଥିବା ସଂସ୍ଥାକୁ ପେମେଣ୍ଟ୍‌ କରିବାରେ ଜେଟ୍‌ ଖିଲାପ କରୁଛି ନା ନାହିଁ ତାହା ଜାଣିବାକୁ ଡିଜିସିଏ ପ୍ରୟାସ କରିବ। ବିମାନ ଇନ୍ଧନ ମୂଲ୍ୟ ବୃଦ୍ଧି ଜେଟ୍‌ର ମେରୁଦଣ୍ଡ ଭାଙ୍ଗି ଦେଇଛି। ନିତିଦିନିଆ ଖର୍ଚ ତୁଲାଇବା ପାଇଁ କଂପାନି ପାଖରେ ପାଣ୍ଠି ନାହିଁ। କଂପାନିର ଅବସ୍ଥା ବିଷୟରେ କିଛି ଦିନ ତଳେ ଜଣାପଡ଼ିଥିଲା। ନିଜର ଆର୍ଥିକ ଫଳାଫଳ ଘୋଷଣା କରିବାରେ ବିଳମ୍ବ କରିବାରୁ ଜେଟ୍‌ର ସ୍ଥିତି ଭଲ ନାହିଁ ବୋଲି ଅନେକ ସନ୍ଦେହ କରିଥିଲେ। କିଛି ଦିନ ପରେ ଏହା ସତ ପ୍ରମାଣିତ ହୋଇଥିଲା। ନିଜର ବରିଷ୍ଠ ଅଧିକାରୀଙ୍କ ସମେତ ପାଇଲଟ୍‌ ଓ ଇଞ୍ଜିନିୟରମାନଙ୍କ ଦରମା କମ୍‌ କରିବାକୁ କଂପାନି ଘୋଷଣା କରିଥିଲା। ଏହାକୁ ପାଇଲଟ୍‌ ଓ ଇଞ୍ଜିନିୟରମାନେ ପ୍ରବଳ ବିରୋଧ କରିଥିଲେ। ଫଳରେ ନିଷ୍ପତ୍ତିକୁ ଶେଷ ସମୟରେ ଟାଳି ଦିଆଯାଇଥିଲା। ଜେଟ୍‌ ଏୟାରେଓ୍ଵଜ୍‌ ଉପରେ ୮୧୪୯ କୋଟି ଟଙ୍କାର ଋଣ ବୋଝ ରହିଛି। ସୁଧ ଦେବା ପାଇଁ ଏହାକୁ ଋଣ କରିବାକୁ ପଡୁଛି। ଗତ ସପ୍ତାହରେ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା ଯେ ଜେଟ୍‌ ଋଣ ଖିଲାପ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ବ୍ୟାଙ୍କ ପକ୍ଷରୁ କଂପାନି ଖାତାକୁ ‘ଓ୍ଵାଚ୍‌ ଲିଷ୍ଟ୍‍’ରେ ସାମିଲ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ବିମାନ ଇନ୍ଧନ ମୂଲ୍ୟରେ ହୋଇଥିବା ବୃଦ୍ଧି ଜେଟ୍‌ର ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି। ଛୋଟ ବିମାନ କଂପାନିଗୁଡ଼ିକ ଅଧିକ ଯାତ୍ରୀ ପରିବହନ କରୁଥିବା ବେଳେ ଜେଟ୍‌ ଭଳି ବଡ଼ କଂପାନି ଯାତ୍ରୀଙ୍କୁ ଆକର୍ଷିତ କରିବାକୁ ସଂଘର୍ଷ କରୁଛି।

ସମ୍ବନ୍ଧିତ ଖବର