ଚିଦମ୍ବରମ-ନିର୍ମଳା ମୁହାଁମୁହିଁ: ଅନୁଧ୍ୟାନ ପରେ ପ୍ୟାକେଜ୍ ଘୋଷଣା ହୋଇଛି, କହିଲେ ନିର୍ମଳା

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗତକାଲି ରେପୋ ହାର ହ୍ରାସ ଘୋଷଣା ପରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍ ସରକାରଙ୍କୁ ଆଜି ଜୋରଦାର ସମାଲୋଚନା କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚିଦମ୍ବରମ୍‌ଙ୍କ ଏହି ସମାଲୋଚନାର ସିଧାସଳଖ ଉତ୍ତର ଦେଇନାହାନ୍ତି। କିନ୍ତୁ ପୂର୍ବରୁ ପ୍ୟାକେଜକୁ ଅତି ସ୍ବଳ୍ପ ଓ ବିଳମ୍ବିତ ବୋଲି ଯାହା କୁହାଯାଉଛି ତାହାର ଜବାବ ରଖିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି, ଆମ ଚିନ୍ତାଧାରା ହେଉଛି ଅର୍ଥନୀତିକୁ ପୁନଃକାର୍ଯ୍ୟଶୀଳ କରିବା, ଲୋକଙ୍କ ହତାରେ କିଛି ଟଙ୍କା ଦେବା ଏବଂ ଆର୍ଥିକ ବ୍ୟବସ୍ଥାରେ ନଗଦ ଅର୍ଥ ପ୍ରବାହ କରିବା। ଦଳୀୟ ନେତା ନଳିନୀ କୋହଲିଙ୍କ ସହିତ ଆଲୋଚନା ବେଳେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଅର୍ଥମନ୍ତ୍ରୀ ଏହା କହିଛନ୍ତି।

ପ୍ୟାକେଜ୍ ଘୋଷଣା ପୂର୍ବରୁ ଅନ୍ୟ ଦେଶଗୁଡ଼ିକ ଦ୍ବାରା ଘୋଷିତ ପ୍ୟାକେଜର ଅନୁଧ୍ୟାନ କରାଯାଇଛି। ଏ ନେଇ ଆମେ ଦ୍ବନ୍ଦ୍ବରେ ରହିବା ଉଚିତ ନୁହେଁ। ପ୍ରତ୍ୟେକ ଦେଶ ଆର୍ଥିକ, ବିତ୍ତୀୟ ଓ ଅନ୍ୟାନ୍ୟ ‌ପଦକ୍ଷେପ ନେଇଛନ୍ତି। ସେମାନେ ମଧ୍ୟ ଅର୍ଥନୀତିରେ ନଗଦ ଅର୍ଥର ପ୍ରବାହ କରିଛନ୍ତି। ଆମେ ସେସବୁ ଦେଶ ତୁଳନାରେ ଭିନ୍ନ ନୁହେଁ। ତେବେ ଅନୁପାତରେ ପାର୍ଥକ୍ୟ ଥାଇପାରେ। ଆମେ ଏଭଳି ପଦକ୍ଷେପ ନେଇଛୁ ଯାହାଦ୍ବାରା ଅର୍ଥନୀତିରେ ନଗଦ ଅର୍ଥର ପ୍ରବାହ ହେବ। ଲୋକମାନଙ୍କ ହାତରେ ଟଙ୍କା ପହଞ୍ଚିବ ଓ ଚାହିଦାରେ ଉନ୍ନତି ଆସିବ । ସରକାର ସମସ୍ତଙ୍କ କଥା ଶୁଣି ସାରିବା ପରେ ଅର୍ଥନୀତି ପାଇଁ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିଛନ୍ତି। ଅଟୋମୋବାଇଲ, ରିଟେଲ, ଆମୋଦପ୍ରମୋଦ ଆଦି କ୍ଷେତ୍ରକୁ ବାଦ୍ ଦିଆଯାଇଛି ବୋଲି ଯାହା କୁହାଯାଉଛି ‌ସେ ସମ୍ପର୍କରେ ଅର୍ଥମନ୍ତ୍ରୀ କହିଥିଲେ, କାହାରିକୁ ବାଦ୍ ଦିଆଯାଇ ନାହିଁ। ଯେକୌଣସି କ୍ଷେତ୍ରର ଲୋକ ଋଣ ପାଇଁ ବ୍ୟାଙ୍କକୁ ଆବେଦନ କରିପାରିବେ। ବ୍ୟାଙ୍କ ଗୁଡ଼ିକ ମଧ୍ୟ ସିବିଆଇ, ସିଭିସି ଓ ସିଏଜିକୁ ଭୟ ନକରି ଋଣ ପ୍ରଦାନ କରିବା ଉଚିତ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଆର୍ଥିକ ପ୍ୟାକେଜରେ ଉଦ୍ୟୋଗ ଜଗତର ସମସ୍ତେ ଖୁସି ନଥିବା ବିଷୟରେ ସେ କୁହନ୍ତି, ପ୍ୟାକେଜ ଘୋଷଣା ଦ୍ବାର ବନ୍ଦ ହୋଇନାହିଁ। ଉଦ୍ୟୋଗଜଗତରୁ ସେ ମତାମତ ନେବା ଜାରି ରଖିବେ। ସେ ଯେଉଁସବୁ ଘୋଷଣା କରିଛନ୍ତି ସେଗୁଡ଼ିକୁ କାର୍ଯ୍ୟକାରୀ କରାଯିବ। ଆଗକୁ ସ୍ଥିତି କ’ଣ ରହିବ ତାହା ଅନୁସାରେ ପଦକ୍ଷେପ ନିଆଯିବ। ବର୍ତ୍ତମାନ ଆର୍ଥିକ ବର୍ଷର ୨ ମାସ ପୂରିବାକୁ ଯାଉଛି, ଆହୁରି ୧୦ ମାସ ବାକି ଅଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର