ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗତକାଲି ରେପୋ ହାର ହ୍ରାସ ସମେତ ଅନ୍ୟାନ୍ୟ ପଦକ୍ଷେପ ନିଆଯିବା ପରେ ଆଜି ଏହା ଉପରେ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍। ଚିଦମ୍ବରମ୍ ଏଥିରେ ସିଧାସଳଖ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଶକ୍ତିକାନ୍ତଙ୍କୁ ମଧ୍ୟ ବୁଲେଇ ବଙ୍କେଇ ସମାଲୋଚନା କରିଛନ୍ତି। ଅର୍ଥନୀତିରେ ଯଦି ଚାହିଦା ହ୍ରାସ ପାଇଛି ତାହେଲେ ସେ ସରକାରଙ୍କୁ ସିଧାସଳଖ ବିତ୍ତୀୟ ପଦକ୍ଷେପ ନେବାପାଇଁ କୁହନ୍ତି ବୋଲି ଚିଦମ୍ବରମ୍ କହିଛନ୍ତି। ଦେଶର ଅଭିବୃଦ୍ଧି ଯଦି ଋଣାତ୍ମକ ଦିଗକୁ ଅଗ୍ରସର ହେଉଛି ତାହେଲେ ସରକାର ବର୍ତ୍ତମାନ ସମୟରେ ତାଙ୍କ ଦାୟିତ୍ବ ସମ୍ପାଦନ କରନ୍ତୁ। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ବିବୃତି ପରେ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଘୋଷଣା କରିଥିବା ବିତ୍ତୀୟ ପ୍ୟାକେଜ୍ ଯାହାକି ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୧ ପ୍ରତିଶତରୁ ବି କମ୍ ସେଥିପାଇଁ ନିଜ ନିଜକୁ ପ୍ରଶଂସା କରିବା ଉଚିତ୍ କି ବୋଲି ଚିଦମ୍ବରମ୍ ପ୍ରଶ୍ନ କରିଛନ୍ତି।
ସରକାର ଅର୍ଥନୀତିକୁ ଋଣାତ୍ମକ ସ୍ଥିତିକୁ ନେଇ ଯାଇଥିବାରୁ ଆର୍ଏସ୍ଏସ୍ ଏଥିପାଇଁ ଲଜ୍ଜିତ ହେବା ଉଚିତ ବୋଲି ସେ କହିଛନ୍ତି। ଶକ୍ତିକାନ୍ତଙ୍କୁ ଚିଦମ୍ବରମ୍ କହିଛନ୍ତି, ଅର୍ଥନୀତିରେ ଚାହିଦା ପୂରା କମିଯାଇଛି। ୨୦୨୦-୨୧ ଆର୍ଥିକ ବର୍ଷର ଅଭିବୃଦ୍ଧି ଋଣାତ୍ମକ ହେବାକୁ ଯାଉଛି। ଯଦି ଏହା ହେଉଛି ତାହେଲେ ରିଜର୍ଭ ବ୍ୟାଙ୍କ କାହିଁକି ଅର୍ଥନୀତିକୁ ଅଧିକ ପରିମାଣର ନଗଦ ଅର୍ଥର ପ୍ରବାହ କରୁଛନ୍ତି? ଏହା କରିବା ପରିବର୍ତ୍ତେ ବରଂ ସେ ସରକାରଙ୍କୁ ସିଧାସଳଖ କହିବା ଆବଶ୍ୟକ ଯେ ସରକାର ତାଙ୍କର ଦାୟିତ୍ବ ନିର୍ବାହ କରି ବିତ୍ତୀୟ ପଦକ୍ଷେପ ନିଅନ୍ତୁ। ଉଲ୍ଲେଖଯୋଗ୍ୟ, ସରକାର ଅତୀତରେ ପ୍ୟାକେଜ୍ ଘୋଷଣା କରିବା ସମୟରେ ମଧ୍ୟ ଚିଦମ୍ବରମ୍ ସମାଲୋଚନା କରିଥିଲେ। ଆର୍ଥିକ ସଂକଟ ଯେଉଁ ମାତ୍ରାରେ ଦେଖାଦେଇଛି ତାହା ତୁଳନାରେ ପ୍ୟାକେଜ୍ ପର୍ଯ୍ୟାପ୍ତ ନୁହେଁ ଏବଂ ଏହା ନିରାଶାଜନକ ବୋଲି କହିଥିଲେ। ଅର୍ଥନୀତି ଉପରେ କୋଭିଡ୍-୧୯ର ପ୍ରଭାବ ଯାହା ରହିବ ବୋଲି ଆଶଙ୍କା କରାଯାଉଥିଲା ତାହାଠାରୁ ଅଧିକ ପ୍ରଭାବ ପଡ଼ିବ। ସେହିଭଳି ମୁଦ୍ରାସ୍ଫୀତିର ଦୃଶ୍ୟପଟ ମଧ୍ୟ ଅତ୍ୟନ୍ତ ଅନିଶ୍ଚିତ ରହିଛି। ଲକ୍ଡାଉନ୍ ସମୟରେ ରିଜର୍ଭ ବ୍ୟାଙ୍କ ଗତକାଲି ଦ୍ବିତୀୟ ଥର ପାଇଁ ରେପୋ ହାର ହ୍ରାସ କରିଛନ୍ତି। ଗତ ମାର୍ଚ୍ଚ ୨୭ରେ ରିଜର୍ଭ ବ୍ୟାଙ୍କ ରେପୋ ହାରରେ ୦.୭୫ ପ୍ରତିଶତ ହ୍ରାସ ଘୋଷଣା କରିଥିବାବେଳେ ଗତକାଲି ୦.୪୦ ପ୍ରତିଶତ ହ୍ରାସ ଘୋଷଣା କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/p-chidambaram-1583481075.jpg)