ଜାତିସଂଘ: ଦାରିଦ୍ର୍ୟ ହଟାଇବାରେ ଭାରତ ଓ ଚୀନ୍ର ସଫଳତାକୁ ନେଇ ଜାତିସଂଘ ଏହାର ରିପୋର୍ଟରେ ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରିଛି। ଜାତିସଂଘର ‘ବିଶ୍ବରେ ଖାଦ୍ୟ ନିରାପତ୍ତା ଓ ପୁଷ୍ଟିର ସ୍ଥିତି-୨୦୧୯’ ରିପୋର୍ଟରେ କୁହାଯାଇଛି ଯେ, ୧୯୯୦ରୁ ୨୦୧୭ ମଧ୍ୟରେ ଉଭୟ ଭାରତ ଓ ଚୀନ୍ର ଅର୍ଥନୀତି ଦ୍ରୁତ ଗତିରେ ଆଗକୁ ବଢ଼ିଥିଲା। କିନ୍ତୁ ଦାରିଦ୍ର୍ୟ ହଟାଇବାରେ ଏହି ଅଭିବୃଦ୍ଧି ଚୀନ୍ରେ ଅଧିକ ପ୍ରଭାବଶାଳୀ ଥିଲା। ୧୯୮୧ରେ ଚୀନ୍ର ଦାରିଦ୍ର୍ୟ ହାର ୮୮% ଥିଲା। ୨୦୧୫ ସୁଦ୍ଧା ତାହା ୦.୭% ଭଳି ନିମ୍ନ ସ୍ତରକୁ ଖସିଯାଇଥିଲା। ଅର୍ଥନୈତିକ ବିକାଶ ଯୋଗୁ ଚୀନ୍ର ଅନେକ ଲୋକ ଦାରିଦ୍ର୍ୟ କବଳରୁ ମୁକ୍ତି ପାଇଥିଲେ। ଏହାର ଏକ ପ୍ରମୁଖ କାରଣ ହେଉଛି ଚୀନ୍ର ସେହି କ୍ଷେତ୍ରଗୁଡ଼ିକରେ ଅଧିକ ବିକାଶ ହୋଇଥିଲା ଯାହା ଉପରେ ଗରିବ ଲୋକମାନେ ଅଧିକ ନିର୍ଭରଶୀଳ ଥିଲେ। କିନ୍ତୁ ଭାରତରେ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଏଠାରେ କୃଷି କ୍ଷେତ୍ର ତୁଳନାରେ ଶିଳ୍ପ ଓ ସେବା କ୍ଷେତ୍ରରେ ଅଧିକ ବିକାଶ ହୋଇଥିଲା। ସେଥିପାଇଁ ଭାରତର ଦାରିଦ୍ର୍ୟ ହାର ଯାହା ୧୯୮୭ରେ ୪୮.୯% ଥିଲା ତାହା ୨୦୧୧ ବେଳକୁ ୨୧.୨%କୁ ହ୍ରାସ ପାଇଥିଲା। ଦାରିଦ୍ର୍ୟ ହଟାଇବାରେ ଭାରତକୁ ମଧ୍ୟମ ଧରଣର ସଫଳତା ମିଳିଥିଲା। ରିପୋର୍ଟରେ କୁହାଯାଇଛି ଯେ, ଭାରତରେ ମେଦବହୁଳ ଲୋକଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଅପପୁଷ୍ଟିର ଶିକାର ଲୋକଙ୍କ ସଂଖ୍ୟା କମୁଛି। ଭାରତରେ ୧୮ ବର୍ଷରୁ ଅଧିକ ବୟସର ଲୋକମାନେ ଅଧିକ ମୋଟା ହେଉଛନ୍ତି। ୨୦୧୨ରେ ସେଭଳି ଲୋକଙ୍କ ସଂଖ୍ୟା ୨.୪୧ କୋଟି ଥିଲା। ୨୦୧୬ ସୁଦ୍ଧା ସେମାନଙ୍କ ସଂଖ୍ୟା ୩.୨୮ କୋଟିକୁ ବୃଦ୍ଧି ପାଇଛି। ପାଞ୍ଚ ବର୍ଷରୁ କମ୍ ବୟସର ୨୯ ଲକ୍ଷ ଶିଶୁଙ୍କ ଓଜନ ମଧ୍ୟ ଅଧିକ ରହିଥିବା ଜଣାପଡ଼ିଛି। ଭାରତରେ ଗୋଟିଏ ପଟେ ମୋଟା ଲୋକଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଅପପୁଷ୍ଟିର ଶିକାର ଥିବା ଲୋକଙ୍କ ସଂଖ୍ୟା କମିଛି। ୨୦୦୪-୦୬ ମଧ୍ୟରେ ଏଭଳି ଲୋକଙ୍କ ସଂଖ୍ୟା ୨୫.୩୯ କୋଟି ଥିଲା। ୨୦୧୬-୧୮ ସୁଦ୍ଧା ସେମାନଙ୍କ ସଂଖ୍ୟା ୧୯.୪୪ କୋଟିକୁ ହ୍ରାସ ପାଇଛି ବୋଲି ରିପୋର୍ଟ କୁହାଯାଇଛି।
ଦାରିଦ୍ର୍ୟ ହଟାଇବାରେ ଭାରତଠୁ ଚୀନ୍ ଆଗରେ
ଜାତିସଂଘ ରିପୋର୍ଟ
/sambad/media/post_attachments/wp-content/uploads/2019/07/united.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)