ୱାସିଂଟନ/ବେଜିଂ: ଚୀନ୍ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଆରମ୍ଭ ହୋଇଥିବା ବାଣିଜ୍ୟ ଯୁଦ୍ଧ ତୀବ୍ର ହେବାରେ ଲାଗିଛି। କେହି କାହାକୁ ଛାଡ଼ିବା ପରିସ୍ଥିତିରେ ନାହାଁନ୍ତି। ଆମେରିକା ରାଷ୍ଟ୍ରପତି ନିକଟରେ ଚୀନର ୩୦୦ ବିଲିଅନ ଡଲାର ମୂଲ୍ୟର ଆମଦାନି ଉପରେ ନୂଆ ଶୁଳ୍କ ଲଗାଇବେ ବୋଲି ଘୋଷଣା କରିଥିଲେ। ଏହାର କିଛିଦିନ ପରେ ଚୀନ୍ ଜବାବୀ କାର୍ଯ୍ୟାନୁଷ୍ଠାନ ନେଇଛି। ଆମେରିକାର ୭୫ ବିଲିଅନ ଡଲାର ମୂଲ୍ୟର ଆମଦାନି ଉପରେ ଚୀନ ଅତିରିକ୍ତ ୧୦ ପ୍ରତିଶତ ଶୁଳ୍କ ଲାଗୁ କରିବ ବୋଲି ଶୁକ୍ରବାର କହିଛି।
ଗତବର୍ଷ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଆରମ୍ଭ ହୋଇଛି। ପରସ୍ପର ପରସ୍ପର ଦେଶର ଆମଦାନି ଉପରେ ଅତିରିକ୍ତ ଶୁଳ୍କ ଲାଗି କରୁଛନ୍ତି। ଏଥିଯୋଗୁ କେବଳ ଏହି ଦୁଇ ଦେଶ ଅସୁବିଧାରେ ପଡ଼ି ନାହାନ୍ତି ବିଶ୍ବ ବାଣିଜ୍ୟ ଉପରେ ମଧ୍ୟ ଏହାର ଗୁରୁତର ପ୍ରଭାବ ପଡ଼ିଛି। ବିଶ୍ବର ମୁକ୍ତ ବାଣିଜ୍ୟ ପ୍ରଭାବିତ ହୋଇଛି। ଆମେରିକା ସହିତ ଚୀନର ବାଣିଜ୍ୟ ବଳକା ଗତ ବର୍ଷ ୫୩୯ ବିଲିଅନ ଡଲାରରେ ପହଞ୍ଚିଛି। ଏହାକୁ ହ୍ରାସ ଦାବି କରିବା ସହିତ ଆମେରିକୀୟ କମ୍ପାନିଙ୍କ ପାଇଁ ଚୀନ ବଜାରକୁ ଅଧିକ ଖୋଲିବା ଲାଗି ଦାବି କରୁଛନ୍ତି। ଏସବୁ ଦାବି ପୂରଣ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍ ସହିତ ବାଣିଜ୍ୟ ଯୁଦ୍ଧ ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ଚୀନ୍ର ସୀମା ଶୁଳ୍କ କମିସନ ଶୁକ୍ରବାର କହିଛନ୍ତି, ଆମେରିକାର ପ୍ରାୟ ୭୫ ବିଲିଅନ ଡଲାର ମୂଲ୍ୟର ଆମଦାନି ଉପରେ ଚୀନ ଅତିରିକ୍ତ ୧୦ ପ୍ରତିଶତ ଶୁଳ୍କ ଲାଗୁ କରିବ। ଚୀନର ସରକାରୀ ସମ୍ବାଦ ସରବରାହ ସଂସ୍ଥା ଜିନୁଆରେ ଏହି ସମ୍ବାଦ ପ୍ରକାଶ ପାଇଛି। କେବଳ ସେତିକି ନୁହେଁ, ଆସନ୍ତା ଡିସେମ୍ବର ୧୫ ତାରିଖ ରାତି ୧୨ଟା ୧ ମିନିଟରୁ ଆମେରିକା ନିର୍ମିତ ଯାନ ଏବଂ ଅଟୋ ଉପକରଣ ଉପରେ ଚୀନ ଅତିରିକ୍ତ ଶୁଳ୍କ ଲାଗୁ କରିବ ବୋଲି କମିସନ କହିଛନ୍ତି। ଚଳିତମାସ ୧୫ ତାରିଖରେ ଆମେରିକା ପ୍ରଶାସନ ଘୋଷଣା କରିଥିଲା ଚୀନର ୩୦୦ ବିଲିଅନ ଡଲାର ମୂଲ୍ୟର ଆମଦାନି ଉପରେ ଅତିରିକ୍ତ ୧୦ ପ୍ରତିଶତ ଶୁଳ୍କ ଲାଗୁ ହେବ। ଆସନ୍ତା ସେପ୍ଟମ୍ବର ୧ ତାରିଖ ଏବଂ ଡିସେମ୍ବର ୧୫ ତାରିଖରୁ ପର୍ଯ୍ୟାୟକ୍ରମେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ଆମେରିକା କହିଛି। ତେବେ ଚୀନ୍ ପକ୍ଷରୁ ଶୁକ୍ରବାର ନୂଆ ପଦକ୍ଷେପ ଘୋଷଣା ହେବା ମାତ୍ରେ ଆମେରିକା ଯେସାକୁ ତେସା ନୀତି ଅବଲମ୍ବନ କରିଛି। ଚୀନର ମୋଟ ୫୫୦ ବିଲିଅନ ଡଲାର ମୂଲ୍ୟର ଆମଦାନୀ ଉପରେ ଆମେରିକା ଅତିରିକ୍ତ ୫ ପ୍ରତିଶତ ଶୁଳ୍କ ଲଗାଇବ ବୋଲି ଘୋଷଣା କରିଛି। ୨୫୦ ବିଲିଅନ ଡଲାର ମୂଲ୍ୟର ସାମଗ୍ରୀ ଉପରେ ଶୁଳ୍କ ୨୫ ପ୍ରତିଶତରୁ ୩୦ ପ୍ରତିଶତକୁ ଆସନ୍ତା ଅକ୍ଟୋବର ପହିଲାରୁ ବୃଦ୍ଧି କରିବ। ଏତଦବ୍ୟତୀତ ୩୦୦ ବିଲିଅନ ଡଲାର ମୂଲ୍ୟର ଆମଦାନି ଉପରେ ଶୁଳ୍କ ୧୦ ପ୍ରତିଶତରୁ ୧୫ ପ୍ରତିଶତକୁ ବୃଦ୍ଧି କରିବ ବୋଲି କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/sdavavavadsvavavv.jpg)