ଆମେରିକାର ବାଣିଜ୍ୟ କଟକଣା ପରେ, ଭାରତର ସହଯୋଗ ଲୋଡ଼ିଲା ଚୀନ୍

ବେଜିଂ: ଦ୍ବିପାକ୍ଷିକ ବାଣିଜ୍ୟ କ୍ଷେତ୍ରରେ ଚୀନ୍ ସହିତ ଭାରତର ଥିବା ନିଅଣ୍ଟକୁ ସମାଧାନ କରିବା ପାଇଁ ଏହି ଦେଶ ରାଜି ଅଛି। ଏପରିକି ନୂଆ ଆଭିମୁଖ୍ୟ ଗ୍ରହଣ କରି ଏହି ସମସ୍ୟାର ସମାଧାନ କରିବାକୁ ପ୍ରସ୍ତୁତ ରହିଛି। ତେବେ ଆମେରିକା ସହିତ ଚୀନର ବାଣିଜ୍ୟ ଯୁଦ୍ଧ ପରିପ୍ରେକ୍ଷୀରେ ଏହି ଦେଶ ବାଣିଜ୍ୟ କଟକଣା ବିରୋଧରେ ମିଳିତ ଭାବେ ଲଢ଼େଇ କରିବା ପାଇଁ ଭାରତର ସହଯୋଗ ଲୋଡ଼ିଛି। ଭାରତ ପାଇଁ ନିଯୁକ୍ତ ଚୀନର ନୂଆ ଆମ୍ବାସାଡର ସନ୍ ୱିଡଙ୍ଗ ଏହା କହିଛନ୍ତି। ଚୀନ ସହିତ ଭାରତର ରହିଥିବା ବାଣିଜ୍ୟ ଅସମତାକୁ ନେଇ ତାଙ୍କ ଦେଶ ଚିନ୍ତିତ ଅଛି। ଚୀନ୍ ଜାଣିଶୁଣି ଏହା କରି ନଥିଲେ ମଧ୍ୟ ସନ୍ କହିଛନ୍ତି, ଭାରତରୁ ଚିନି ଏବଂ ଚାଉଳ ଆମଦାନୀ ବୃଦ୍ଧି ପାଇଁ ପଦକ୍ଷେପ ନିଆଯାଇଛି। ଏଥିସହିତ ଭାରତରୁ ଔଷଧ ଏବଂ କୃଷି ସାମଗ୍ରୀର ଆମଦାନୀ ମଞ୍ଜୁରି ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି। ଚୀନ ସରକାରଙ୍କ ହିସାବ ଅନୁଯାୟୀ, ଚୀନ ସହ ଭାରତର ବାଣିଜ୍ୟ ନିଅଣ୍ଟ ୫୭ ବିଲିଅନ ଡଲାର ରହିଛି। ଉଲ୍ଲେଖଯୋଗ୍ୟ ଯେ, ଗତବର୍ଷ ଚୀନ ବିରୋଧରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାଣିଜ୍ୟ ଯୁଦ୍ଧ ଘୋଷଣା କରିଛନ୍ତି। ଚୀନର ୨୫୦ ବିଲିଅନ ଡଲାରରୁ ଅଧିକ ମୂଲ୍ୟର ଆମଦାନୀ ଉପରେ ଅଧିକ ଶୁଳ୍କ ଲାଗୁ କରିଛନ୍ତି।

ସମ୍ବନ୍ଧିତ ଖବର