ରାଜ୍ୟରେ ପୁଞ୍ଜିନିବେଶ କରିବ ଚୀନ୍‌ କଂପାନି

ଭୁବନେଶ୍ବର: ଚୀନ୍‌ର ଏକ ବଡ଼ କଂପାନି ଓଡ଼ିଶାରେ ମୋଟା ଅଙ୍କର ପୁଞ୍ଜିନିବେଶ କରିବାକୁ ଯାଉଛି। ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି। ତେବେ ଉକ୍ତ କଂପାନିର ନାମ ଏବଂ ପୁଞ୍ଜିନିବେଶର ପରିମାଣ ବିଷୟରେ ସେ କିଛି କହିନାହାନ୍ତି। ଅଧିକାରୀ ଜଣକ କହିଛନ୍ତି, ଆସନ୍ତା ମାସରେ ଚୀନ୍‌ ଶିଳ୍ପ ଜଗତର ଏକ ପ୍ରତିନିଧି ଦଳ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ସେହି ସମୟରେ ଏହି ପୁଞ୍ଜିନିବେଶ ବିଷୟରେ ଘୋଷଣା ହୋଇପାରେ। ତାହା ବଡ଼ ଧରଣର ପୁଞ୍ଜିନିବେଶ ହେବ। ଓଡ଼ିଶା ମାଟିରେ ପ୍ରଥମ ଥର ପାଇଁ ଏକ ଚୀନ୍ କଂପାନି ପୁଞ୍ଜିନିବେଶ କରିବାକୁ ଯାଉଛି ବୋଲି ସେ କହିଛନ୍ତି। ମେକ୍ ଇନ୍ ଓଡ଼ିଶାର ଦ୍ବିତୀୟ ସଂସ୍କରଣ ସଫଳତା ସହ ଶେଷ ହେବା ପରେ ନୂତନ ପୁଞ୍ଜିନିବେଶ ଆକୃଷ୍ଟ କରିବା ଲାଗି ରାଜ୍ୟ ସରକାରଙ୍କ ଇନ୍‌ଭେଷ୍ଟ୍‌ ଓଡ଼ିଶାର ପ୍ରତିନିଧିମାନେ ବିଭିନ୍ନ ପ୍ରଦେଶ ପରିଦର୍ଶନ କରି ରୋଡ୍‌ ସୋ’ ଆୟୋଜନ କରୁଛନ୍ତି। ଗତ ମାସରେ ଚୀନ୍‌ର ଗୁଆଙ୍ଗଝୋ ସହରରେ ଏକ ରୋଡ୍ ସୋ’ ଆୟୋଜନ କରାଯାଇଥିଲା। ସେହି ସମୟରେ ଚୀନ୍‌ର ବିଭିନ୍ନ କଂପାନି ସହିତ ଆଲୋଚନା ହୋଇଥିଲା। ସେଥି ମଧ୍ୟରୁ ଗୋଟିଏ କଂପାନି ଓଡ଼ିଶାରେ ପୁଞ୍ଜିନିବେଶ କରିବାକୁ ଆଗ୍ରହ ଦେଖାଇଥିବା ସେ କହିଛନ୍ତି।

ଓଡ଼ିଶାର ଶିଳ୍ପାୟନ ପରିବେଶର ଅନୁଭୂତି ହାସଲ କରିବା ଲାଗି ଚୀନ୍‌ର ପ୍ରତିନିଧିମାନଙ୍କୁ ଓଡ଼ିଶା ଆମନ୍ତ୍ରଣ କରାଯାଇଛି। ଏକ ବଡ଼ ପ୍ରତିନିଧି ଦଳ ଆସନ୍ତା ମାସରେ ରାଜ୍ୟକୁ ଆସିବେ। ସେହି ସମୟରେ ଚୀନ୍‌ର ଆଉ କିଛି କଂପାନି ସେମାନଙ୍କ ଓଡ଼ିଶା ଯୋଜନା ବିଷୟରେ ଘୋଷଣା କରିପାରନ୍ତି ବୋଲି ଅଧିକାରୀ ଜଣକ କହିଛନ୍ତି।

ସମ୍ବନ୍ଧିତ ଖବର