ଚୀନ୍‌ ବଜାରକୁ ବାଟ ଫିଟିଲା:ଭାରତୀୟ ଔଷଧ ଉପରୁ ଟିକସ କମାଇଲା

ବେଜିଂ: ଭାରତୀୟ ଔଷଧ ନିର୍ମାତାଙ୍କ ପାଇଁ ଚୀନ୍‌ ବଜାରକୁ ବାଟ ଫିଟିଛି। ଭାରତରୁ ଶସ୍ତା ଔଷଧ ଆମଦାନୀ ନେଇ ଦୁଇ ଦେଶ ମଧ୍ୟରେ ଏକ ରାଜିନାମା ହୋଇଛି। ବିଶେଷକରି କର୍କଟ ରୋଗର ଚିକିତ୍ସା ଲାଗି ବ୍ୟବହୃତ ଔଷଧ ଏହି ରାଜିନାମାରେ ରହିଛି। ଚୀନ୍‌ର ସିନେମା ହଲ୍‌ ଗୁଡ଼ିକରେ କର୍କଟ ରୋଗ ଉପରେ ପ୍ରଦର୍ଶିତ ହେଉଥିବା ଏକ ସିନେମା ଚୀନ୍‌ କର୍ତ୍ତୃପକ୍ଷଙ୍କୁ ଏ ପ୍ରକାର ନିଷ୍ପତ୍ତି ନେବାକୁ ପ୍ରେରଣା ଯୋଗାଇଛି ବୋଲି କୁହାଯାଉଛି। ‘ଡାଇଂ ଟୁ ସର୍ଭାଇଭ୍‌’ ନାମରେ ଆସିଥିବା ସିନେମାରେ କର୍କଟ ରୋଗର ଚିକିତ୍ସା ପାଇଁ ଭାରତରୁ କମ୍‌ ମୂଲ୍ୟର ଔଷଧ ଆମଦାନୀକୁ ଅନମୁତି ଦିଆଯିବା ଆବଶ୍ୟକ ବୋଲି କୁହାଯାଇଛି। ଚୀନ୍‌ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ତେବେ ଟିକସ କମ୍‌ କରାଯାଇଥିଲେ ମଧ୍ୟ ଚୀନ୍‌ର ବିଶାଳ ବଜାରରେ ଭାରତୀୟ କମ୍ପାନିଙ୍କୁ କର୍କଟ ରୋଗର ଔଷଧ ବିକ୍ରି କରିବା ଲାଗି ଲାଇସେନ୍ସ ପ୍ରଦାନ ପାଇଁ ଚୀନ୍‌ ରାଜି ହୋଇଛି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଚୀନ୍‌ରେ ବର୍ଷକୁ ପ୍ରାୟ ୪୩ ଲକ୍ଷ ଲୋକ କର୍କଟ ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଏତଦ୍‌ବ୍ୟତୀତ କର୍କଟ ରୋଗର ଚିକିତ୍ସା ପାଇଁ ପାଶ୍ଚାତ୍ୟ ଦେଶରେ ପ୍ରସ୍ତୁତ ଔଷଧ ତୁଳନାରେ ଭାରତରେ ପ୍ରସ୍ତୁତ ଔଷଧର ମୂଲ୍ୟ କମ୍‌ ରହୁଛି।
ଚୀନ୍‌ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ପ୍ରବକ୍ତା ହୁଆ ଚୁନ୍‌ୟିଙ୍ଗ୍‌ ଆଜି କହିଛନ୍ତି ଯେ, ଔଷଧ ଉପରୁ ଶୁଳ୍କ ବା ଟିକସ ହ୍ରାସ କରିବା ଲାଗି ଚୀନ୍‌ ଏବଂ ଭାରତ ଏକ ଚୁକ୍ତି କରିଛନ୍ତି। ଆମଦାନୀ ବୃଦ୍ଧି ଏବଂ କର୍କଟ ରୋଗର ଚିକିତ୍ସା ଲାଗି ପ୍ରସ୍ତୁତ ଔଷଧ ଉପରୁ ଶୁଳ୍କ ହ୍ରାସ ଦ୍ୱାରା ଭାରତ ଏବଂ ଅନ୍ୟ ଦେଶ ପାଇଁ ବଡ଼ ସୁଯୋଗ ସୃଷ୍ଟି ହେବ ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଗତ ମେ ମାସରେ ଚୀନ୍‌ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଔଷଧ ଉପରୁ ଶୁଳ୍କ ହଟାଇଥିଲା।
ଏବେବି ୫୧ ବିଲିଅନ୍‌ ଡଲାର୍‌ର ନିଅଣ୍ଟ
ଭାରତ ଏବଂ ଚୀନ୍‌ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ପରିମାଣ ୮୪ ବିଲିଅନ ଡଲାରରେ ରହିଛି। ତେବେ ଚୀନ୍‌ ସହିତ ଭାରତର ବାଣିଜ୍ୟ ନିଅଣ୍ଟ ୫୧ ବିଲିଅନ ଡଲାରରୁ ଅଧିକ ରହିଛି। ଚୀନ୍‌ ସହିତ ଥିବା ବାଣିଜ୍ୟ ନିଅଣ୍ଟକୁ କମାଇବାକୁ ହେଲେ ଚୀନ୍‌ ତାହାର ବଜାରକୁ ଭାରତ ପାଇଁ ଅଧିକ ଉନ୍ମୁକ୍ତ କରିବାର ଆବଶ୍ୟକତା ରହିଛି। ବିଶେଷକରି ସୂଚନା ପ୍ରଯୁକ୍ତି (ଆଇଟି) ଏବଂ ଔଷଧ ବଜାରକୁ ଉନ୍ମୁକ୍ତ କରିବା ପାଇଁ ଭାରତ ଦାବି କରି ଆସୁଛି।

ସମ୍ବନ୍ଧିତ ଖବର