ଚୀନ୍‌ ସାମଗ୍ରୀ ମହଙ୍ଗା ହେବ, କରୋନା ପାଇଁ ଭାରତର ଆମଦାନି ୨୮% ପ୍ରଭାବିତ ଆଶଙ୍କା

ନୂଆଦିଲ୍ଲୀ: ଚୀନରୁ ଆରମ୍ଭ ହୋଇ ବିଶ୍ବର ବିଭିନ୍ନ ଦେଶକୁ ବ୍ୟାପିଥିବା କରୋନା ଭାଇରସ୍‌ର ପ୍ରଭାବ ବାଣିଜ୍ୟ ଉପରେ ମଧ୍ୟ ପଡ଼ିଛି। ଏଥିଯୋଗୁ ଭାରତର ଆମଦାନି ୨୮ ପ୍ରତିଶତ ପ୍ରଭାବିତ ହେବାର ଆଶଙ୍କା ରହିଛି। ଭାରତ ଚୀନରୁ ମୁଖ୍ୟତଃ ବୈଦ୍ୟୁତିକ ଉପକରଣ, ଯାନ୍ତ୍ରିକ ଉପକରଣ, ଅର୍ଗାନିକ କେମିକାଲ, ପ୍ଲାଷ୍ଟିକ୍ ଏବଂ ସର୍ଜିକାଲ ଉପକରଣ ବହୁଳମାତ୍ରାରେ ଆମଦାନି କରିଥାଏ। ଭାରତର ମୋଟ ରପ୍ତାନିରେ ଏହାର ଯୋଗଦାନ ପ୍ରାୟ ୨୮ ପ୍ରତିଶତ। ବିଶ୍ବସ୍ତରରେ କରୋନା ଯୋଗୁ ଏବେ ଏସବୁ ସାମଗ୍ରୀର ଯୋଗାଣ ପ୍ରଭାବିତ ହେଉଥିବାରୁ ଭାରତର ଆମଦାନି ପ୍ରଭାବିତ ହେବା ନିଶ୍ଚିତ ବୋଲି କୁହାଯାଉଛି। ଆମଦାନି ପ୍ରଭାବିତ ହେବା କାରଣରୁ ଏସବୁ ସାମଗ୍ରୀ ମହଙ୍ଗା ମଧ୍ୟ ହେବ।

ଭାରତ ଏହାର ମୋଟ ଅର୍ଗାନିକ କେମିକାଲ ମଧ୍ୟରୁ ୪୦ ପ୍ରତିଶତ ଚୀନରୁ ଆମଦାନି କରିଥାଏ। ବୈଦ୍ୟୁତିକ ଯନ୍ତ୍ରାଂଶ କ୍ଷେତ୍ରରେ ମଧ୍ୟ ଚୀନରୁ ସମାନ ପ୍ରତିଶତର ସାମଗ୍ରୀ ଭାରତ ଆମଦାନି କରିଥାଏ। ତେଣୁ ଏସବୁ ସାମଗ୍ରୀର ଆମଦାନି ପ୍ରଭାବିତ ହେଲେ ଅଟୋ‌, କେମିକାଲ ଏବଂ ଫାର୍ମା କ୍ଷେତ୍ର ଉପରେ ନକାରାତ୍ମକ ପ୍ରଭାବ ପଡ଼ିବ। ୨୦୧୭-୧୮ ଆର୍ଥିକ ବର୍ଷରେ ଭାରତର ମୋଟ ଆମଦାନି ୫୦୭ ବିଲିଅନ ଡଲାର ଥିବାବେଳେ ଏଥିରେ ଚୀନର ଯୋଗଦାନ ୭୩ ବିଲିଅନ ଡଲାର ବା ପାଖାପାଖି ୧୪ ପ୍ରତିଶତ ରହିଥିଲା। ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଜଣାଯାଏ ଚୀନରେ କଳକାରଖାନା ଗୁଡ଼ିକ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ପରିସ୍ଥିତି ସ୍ବାଭାବିକ ନହେବା ପର୍ଯ୍ୟନ୍ତ ଉତ୍ପାଦନ ଯଥେଷ୍ଟ ମାତ୍ରାରେ କମ୍ ରହିବ। ଏ ବାବଦ କ୍ଷତିର ପ୍ରଭାବକୁ ମଧ୍ୟ ଚୀନ୍ ସମେତ ବିଶ୍ବର ଅନ୍ୟ ଦେଶକୁ ବହନ କରିବାକୁ ପଡ଼ିବ। କାରଣ ଏସବୁ ସାମଗ୍ରୀର ବଡ଼ ରପ୍ତାନିକାରୀ ଚୀନ। ତେବେ ରପ୍ତାନି କ୍ଷେତ୍ରରେ କରୋନା ଭାଇରସ୍‌ର ପ୍ରଭାବ ଭାରତ ଉପରେ ସେତେଟା ପଡ଼ିବ ନାହିଁ। କାରଣ ଭାରତ ଏହାର ମୋଟ ରପ୍ତାନିର ମାତ୍ର ୫ ପ୍ରତିଶତ ଚୀନକୁ କରିଥାଏ।

ସମ୍ବନ୍ଧିତ ଖବର