ଚୀନ କମ୍ପାନି ପାଇଲା ତାଳଚେର ସାର କାରଖାନାର ନିର୍ମାଣ କଣ୍ଟ୍ରାକ୍ଟ

ଭୁବନେଶ୍ୱର : ତାଳଚେର ସାର କାରଖାନାର ପୁନରୁଦ୍ଧାର କରିବାକୁ ଗଠିତ ଯୁଗ୍ମ ଉଦ୍ୟୋଗ ତାଳଚେର ଫର୍ଟିଲାଇଜର୍ସ ଲିଃ ( ଟିଏଫଏଲ) ପକ୍ଷରୁ ଏହି ପ୍ରକଳ୍ପର ନିର୍ମାଣ କାମ ଚୀନର ଉହୁଆନ ଇଂଜିନିୟରିଂ କମ୍ପାନିକୁ ପ୍ରଦାନ କରାଯାଇଛି । ଏହି ଚୀନ କମ୍ପାନି କୋଲ ଗ୍ୟାସିଫିକେସନ ପ୍ରକଳ୍ପ ଓ ଆମୋନିଆ/ୟୁରିଆ ପ୍ୟାକେଜ ପ୍ରକଳ୍ପ ନିର୍ମାଣ କରିବ । ୨୦୨୨-୨୩ ର ୩ୟ ତିନିମାସରେ ଏହି ପ୍ରକଳ୍ପଟି କାର୍ଯ୍ୟକ୍ଷମ ହେବାର ସମ୍ଭାବନା ରହିଛି ।
ଦେଶରେ ୟୁରିଆ ଉତ୍ପାଦନ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ଭାରତୀୟ ସାର ନିଗମ(ଏଫସିଆଇ)ର ବିଭିନ୍ନ ସାର କାରଖାନାର ପୁନରୁଦ୍ଧାର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ତାଳଚେର ସାର କାରଖାନାର ପୁନରୁଦ୍ଧାର କରିବାକୁ କମ୍ପାନି ତାଳଚେର ଫର୍ଟିଲାଇଜର୍ସ ଲିଃ ( ଟିଏଫଏଲ) ହେଉଛି କୋଲ ଇଣ୍ଡିଆ, ଏଫସିଆଇ, ରାଷ୍ଟ୍ରୀୟ କେମିକାଲ୍ସ ଏଣ୍ଡ ଫର୍ଟିଲାଇଜର୍ସ ଓ ଗେଲ ଇଣ୍ଡିଆ ମଧ୍ୟରେ ଏକ ଯୁଗ୍ମ ଉଦ୍ୟୋଗ । ଏହି ପ୍ରକଳ୍ପ ପାଇଁ ୧୩,୨୭୭ କୋଟି ବ୍ୟୟ ହେବ ଓ ଏଥିରୁ ବର୍ଷକୁ ୧.୨୭ ନିୟୁତ ଟନ ନିମ କୋଟେଡ ୟୁରିଆ ଉତ୍ପାଦନ ହେବ ।

ସମ୍ବନ୍ଧିତ ଖବର