ଜେଟ୍‌ରେ ତାଲା ପଡ଼ିଲା, ପାଣ୍ଠି ଦେବାକୁ ବ୍ୟାଙ୍କ ମନା କଲେ

ବୁଧବାର ରାତିରେ ଉଡ଼ିଲା ଶେଷ ବିମାନ

ନୂଆଦିଲ୍ଲୀ: ଯାହା ଆଶଙ୍କା କରାଯାଉଥିଲା ତାହା ହୋଇଛି। ପାଣ୍ଠି ଅଭାବ ଯୋଗୁ ‌ଜେଟ୍ ଏୟାରୱେଜ୍‌କୁ ବନ୍ଦ କରିଦିଆଯାଇଛି। ଆଜିଠାରୁ କଂପାନିରେ ତାଲା ପକାଇ ଦିଆଯାଇଛି। କଂପାନି ଏହାର ସମସ୍ତ ଆନ୍ତର୍ଜାତିକ ଓ ଘରୋଇ ବିମାନଗୁଡ଼ିକର ଉଡ଼ାଣ ବାତିଲ କରିଦେଇଛି। କଂପାନିର ଶେଷ ବିମାନ ଆଜି ଉଡ଼ିବ। ଆସନ୍ତାକାଲି ଠାରୁ କୌଣସି ବିମାନ ବନ୍ଦରରୁ ଜେଟ୍‌ର ବିମାନ ଉଡ଼ିବ ନାହିଁ। ପାଣ୍ଠି ଦେବାକୁ ବ୍ୟାଙ୍କଗୁଡ଼ିକ ମନା କରିବା ପରେ ଜେଟ୍‌ ଏହି ନିଷ୍ପତ୍ତି ନେଇଛି। ଏ ବିଷୟରେ କଂପାନି ଷ୍ଟକ ଏକ୍ସଚେଞ୍ଜ୍‌କୁ ମଧ୍ୟ ସୂଚନା ପ୍ରଦାନ କରିଛି। ବ୍ୟାଙ୍କଗୁଡ଼ିକ ପାଣ୍ଠି ଦେବାକୁ ମନା କରିଦେବା ପରେ କଂପାନିରେ ତାଲା ପକାଇବା ବ୍ୟତୀତ ଜେଟ୍ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିଲା। ବିଜୟ ମାଲ୍ୟାଙ୍କ କିଙ୍ଗଫିସର ଏୟାରଲାଇନ୍ସ ମଧ୍ୟ ଏହିଭଳି ବନ୍ଦ ହୋଇଥିଲା। କିନ୍ତୁ ସେହି ତାଲା ଆଉ ଖୋଲିନଥିଲା। ଜେଟ୍‌ର ଅବସ୍ଥା ସେଭଳି ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଚଳିତ ବର୍ଷ ଜାନୁଆରି ପରଠାରୁ ପାଣ୍ଠି ଅଭାବ ଯୋଗୁ ଜେଟ୍‌ ସଂଘର୍ଷ କରୁଥିଲା। ବିମାନ ଚଳାଚଳ ‌କ୍ଷେତ୍ରରେ ଦୀର୍ଘ ୨୫ ବର୍ଷର ଅଭିଜ୍ଞତା ଥିବା ସତ୍ତ୍ବେ କଂପାନି ନିଜକୁ ସଙ୍କଟ ସମୟରୁ ବାହାର କରିପାରିନଥିଲା। ଗତ ତିନି ଦିନ ହେଲାଣି ଏହା ବ୍ୟାଙ୍କ ଠାରୁ ଟଙ୍କା ହାସଲ କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରି ବିଫଳ ହୋଇଛି। ବ୍ୟାଙ୍କଗୁଡ଼ିକୁ କଂପାନି ୪୦୦ କୋଟି ଟଙ୍କା ମାଗିଥିଲା। ସେହି ପ୍ରସ୍ତାବକୁ ବ୍ୟାଙ୍କଗୁଡ଼ିକ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ବ୍ୟାଙ୍କ କିମ୍ବା ଅନ୍ୟ କୌଣସି ଉତ୍ସରୁ କଂପାନି ଟଙ୍କା ଯୋଗାଡ଼ କରିପାରିନଥିଲା। ତେଣୁ ବିମାନରେ ତେଲ ପକାଇବା ଓ ଅନ୍ୟାନ୍ୟ ଜରୁରୀକାଳୀନ ସେବା ପାଇଁ କଂପାନି ପେମେଣ୍ଟ୍‌ କରିପାରୁନାହିଁ। ତେଣୁ କିଛି ଦିନ ପାଇଁ କଂପାନିକୁ ବନ୍ଦ କରିଦେବାକୁ ଏହାର କର୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। କଂପାନିର ଶେଷ ବିମାନ ଆଜି ରାତି ୧୦ଟା ୩୦ ମିନିଟ୍‌ରେ ଅମୃତସର ବିମାନ ବନ୍ଦରରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବ। ଗତକାଲି କଂପାନିର ବୋର୍ଡ ବୈଠକରେ ସ୍ଥିତି ସମୀକ୍ଷା କରାଯାଇଥିଲା। ଏହା ପରେ ସିଇଓ ବିନୟ ଦୁବେ ଶେଷ ପ୍ରୟାସ ଭାବେ ବ୍ୟାଙ୍କଗୁଡ଼ିକୁ ୪୦୦ କୋଟି ଟଙ୍କା ମାଗିଥିଲେ। ତାଙ୍କ କଥା ରହିଲା ନାହିଁ। ଟଙ୍କା ଦେବାକୁ ବ୍ୟାଙ୍କଗୁଡ଼ିକ ମନା କରିଦେଲେ।

ଏକ ସମୟରେ ଜେଟ୍ ପାଖରେ ୧୨୩ଟି ବିମାନ ଥିଲା ଏବଂ ଏହାକୁ ଦେଶର ଅନ୍ୟତମ ଶ୍ରେଷ୍ଠ ପ୍ରିମିୟମ ବିମାନ କଂପାନି କୁହାଯାଉଥିଲା। ଗତବର୍ଷ ଯେତେବେଳେ କଂପାନି ଏହାର ଆର୍ଥିକ ଫଳାଫଳକୁ ଅଚାନକ ଅଟକାଇଦେଲା, ଏହା ପରେ ଜେଟ୍‌ର ସ୍ଥିତି ଖରାପ ଥିବା କଥା ଜଣାପଡ଼ିଥିଲା। ସେହିଦିନ ଠାରୁ ପ୍ରତିଦିନ କଂପାନିର ସ୍ଥିତିକୁ ନେଇ ଅନେକ ଖବର ସାମ୍ନାକୁ ଆସୁଥିଲା। ୨୦୧୯ରେ କଂପାନିର ସ୍ଥିତି ଆହୁରି ଖରାପ ହୋଇଗଲା। ଏହାର ଗୋଟିଏ ପରେ ଗୋଟିଏ ବିମାନକୁ ଲିଜ୍‌ରେ ବିମାନ ଦେଇଥିବା କଂପାନିଗୁଡ଼ିକ ଫେରାଇ ନେଇଥିଲେ। କଂପାନି ନିଜ ୨୦ ହଜାର ପାଖାପାଖି ଷ୍ଟାଫ୍‌ଙ୍କୁ ଦରମା ଦେଇପାରୁନଥିଲା। ସେଥିପାଇଁ କର୍ମଚାରୀମାନେ ଘୋର ଦୁର୍ଦ୍ଦିନରେ ଜୀବନ କାଟୁଛନ୍ତି। କଂପାନିକୁ ବଞ୍ଚାଇବା ପାଇଁ କର୍ମଚାରୀମାନେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ମଧ୍ୟ ନିଜ ଆଡ଼ୁ ଯେତିକି ସମ୍ଭବ ‌ସେତିକି ଉଦ୍ୟମ କରିଥିଲେ। କିନ୍ତୁ, ଜେଟ୍‌ରେ ତାଲା ପଡ଼ିବା ସ୍ଥିତି କେହି ଅଟକାଇ ପାରିଲେ ନାହିଁ। ଯେହେତୁ ନିର୍ବାଚନ ଚାଲିଛି ତେଣୁ ଜେଟ୍‌କୁ କୌଣସି ମତେ ବଞ୍ଚାଇ ରଖିବା ପାଇଁ ସରକାର ଉଦ୍ୟମ କରିବେ ବୋଲି ଆକଳନ କରାଯାଉଥିଲା। ମାତ୍ର ସେଭଳି କିଛି ଚମତ୍କାର ହୋଇନାହିଁ। ଜେଟ୍‌କୁ ନରେଶ ଗୋୟଲ୍ ୧୯୯୩ ମସିହା ମେ’ ୫ରେ ସ୍ଥାପନ କରିଥିଲେ। ଏହାର ପ୍ରଥମ ବିମାନ ସେହିଦିନ ମୁମ୍ବାଇରୁ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରିଥିଲା। ନରେଶ ଗୋୟଲ କଂପାନିରୁ ବିଦାୟ ନେଇସାରିଛନ୍ତି। ଏବେ କଂପାନିକୁ ୮୦୦୦ କୋଟି ଟଙ୍କାର ଋଣ ଦେଇଥିବା ୨୬ଟି ବ୍ୟାଙ୍କ ପାଖରେ ଜେଟ୍‌ର ମାଲିକାନା ରହିଛି। କଂପାନିର ୭୫% ଅଂଶଧନ କିଣିବାକୁ ଗ୍ରାହକମାନଙ୍କ ଠାରୁ ବ୍ୟାଙ୍କଗୁଡ଼ିକ ଆବେଦନ ଆହ୍ବାନ କରିଛନ୍ତି। ୟୁଏଇର ବିମାନ କଂପାନି ଏତିହାଦ୍‌, ଟିପିଜି କ୍ୟାପିଟାଲ୍ ଭଳି ସଂସ୍ଥା ଜେଟ୍‌ର ଅଂଶଧନ କିଣିବାକୁ ଆଗ୍ରହ ଦେଖାଇଛନ୍ତି।

ସମ୍ବନ୍ଧିତ ଖବର