କୋଲ୍‌ ଇଣ୍ଡିଆର ବିଭାଜନ ହେବ

ସହଯୋଗୀ ସଂସ୍ଥାଗୁଡ଼ିକୁ ଅଲଗା କରାଯିବ

ନୂଆଦିଲ୍ଲୀ: ଦେଶରେ କୋଇଲା ଉତ୍ପାଦନ କରୁଥିବା ସବୁଠୁ ବଡ଼ ସରକାରୀ ସଂସ୍ଥା କୋଲ୍‌ ଇଣ୍ଡିଆର ବିଭାଜନ କରିବା ଉପରେ ସରକାର ବିଚାର କରୁଛନ୍ତି। ବର୍ତ୍ତମାନ କୋଲ୍ ଇଣ୍ଡିଆ ଅଧୀନରେ ଏହାର ଅନେକ ସହଯୋଗୀ ସଂସ୍ଥା ରହିଛି। ସେଗୁଡ଼ିକୁ କୋଲ୍ ଇଣ୍ଡିଆ ଠାରୁ ପୃଥକ କରି ସ୍ବତନ୍ତ୍ର ସଂସ୍ଥା ଭାବେ ନୂଆ ପରିଚୟ ପ୍ରଦାନ କରାଯିବ। ‌ସେହି ସବୁ ସଂସ୍ଥା ଅଲଗା ଅଲଗା ହୋଇ କାରବାର କରିବେ। ଏହା ଦ୍ବାରା ଭଲ ପ୍ରଦର୍ଶନ ପାଇଁ କଂପାନିଗୁଡ଼ିକ ଭିତରେ ପ୍ରତିଦ୍ବନ୍ଦ୍ବିତା ଦେଖାଦେବ ଓ କୋଇଲାକୁ ନେଇ ଦେଶରେ ରହିଥିବା ଅଭାବ ଦୂର ହୋଇପାରିବ ବୋଲି ସରକାର ଭାବୁଛନ୍ତି।
କୋଲ୍‌ ଇଣ୍ଡିଆର ବିଭାଜନ କରିବା ପାଇଁ ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା ‘ନିବେଶ ଓ ସରକାରୀ ସମ୍ପତ୍ତି ପରିଚାଳନା ବିଭାଗ’ ପ୍ରସ୍ତାବ ଦେଇଛି। ସେହି ପ୍ରସ୍ତାବକୁ କୋଲ୍‌ ଇଣ୍ଡିଆ ଓ କୋଇଲା ମନ୍ତ୍ରଣାଳୟ ଅନୁଧ୍ୟାନ କରୁଥିବା ଜଣାପଡ଼ିଛି। ଦିଆଯାଇଥିବା ପ୍ରସ୍ତାବରେ ମହାନଦୀ କୋଲ୍‌ଫିଲ୍ଡସ୍‌ ଲିମିଟେଡ୍‌, ସାଉଥ୍‌ ଇଷ୍ଟର୍ଣ୍ଣ କୋଲ୍‌ଫିଲ୍ଡସ୍‌, ନର୍ଦନ କୋଲ୍‌ଫିଲ୍ଡସ୍‌ ଓ ସେଣ୍ଟ୍ରାଲ୍ କୋଲ୍‌ଫିଲ୍ଡସ୍‌ର ତାଲିକା ପ୍ରଦାନ କରାଯାଇଛି। କୋଲ୍ ଇଣ୍ଡିଆର ମୋଟ ଉତ୍ପାଦନର ତିନି ଚତୁର୍ଥାଂଶ କୋଇଲା ଏହି ଚାରିଟି ସହଯୋଗୀ ସଂସ୍ଥା ଉତ୍ପାଦନ କରୁଛନ୍ତି। କିନ୍ତୁ ଏହି ସଂସ୍ଥାଗୁଡ଼ିକ ପାଖରେ କୋଲ୍‌ ଇଣ୍ଡିଆର ଅଧାରୁ କମ୍ କର୍ମଚାରୀ କାମ କରୁଛନ୍ତି। ସେଣ୍ଟ୍ରାଲ୍ ମାଇନ୍ ପ୍ଲାନିଂ ଆଣ୍ଡ୍ ଡିଜାଇନ୍ ଇନଷ୍ଟିଚ୍ୟୁଟ୍‌କୁ ମଧ୍ୟ ଏକ ନୂଆ ସଂସ୍ଥା ଭାବେ ପ୍ରତିଷ୍ଠା କରାଯିବାର ପ୍ରସ୍ତାବ ରହିଛି।
ତେବେ କୋଲ୍‌ ଇଣ୍ଡିଆ ବିଭାଜନ ପାଇଁ କେତେ ସମୟ ଲାଗିବ ତାହା ଏବେ ଠାରୁ କହିବା ଅତ୍ୟନ୍ତ କଷ୍ଟକର ବୋଲି ଜଣାପଡ଼ିଛି।
ଦେଶରେ ଉତ୍ପାଦନ କରାଯାଉଥିବା ୮୩% କୋଇଲାକୁ କୋଲ୍‌ ଇଣ୍ଡିଆ ଉତ୍ପାଦନ କରୁଛି। ଏହା ସତ୍ତ୍ବେ କୋଇଲା ବ୍ୟବହାର କରୁଥିବା କଂପାନିଗୁଡ଼ିକର ଆବଶ୍ୟକତାକୁ ଏହି ସଂସ୍ଥା ଠିକ୍ ଭାବେ ପୂରଣ କରିପାରୁନାହିଁ। ଉତ୍ପାଦନ ପାଇଁ କଂପାନି ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରୁଛି ତାହା ହାସଲ କରିପାରୁନାହିଁ। କୋଲ୍ ଇଣ୍ଡିଆର ବିଭାଜନ ହେଲେ ଏହି ସବୁ ସମସ୍ୟାର ସମାଧାନ ହୋଇଯିବ ବୋଲି ଆଶା କରାଯାଉଛି। କୋଲ୍ ଇଣ୍ଡିଆର ବିଭାଜନ କରିବା ପାଇଁ ୨୦୧୭ରେ ନିତି ଆୟୋଗ ପ୍ରସ୍ତାବ ଦେଇଥିଲା। ସେହି ସମୟରେ କୋଇଲା ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ପୀୟୂଷ ଗୋୟଲ ଉକ୍ତ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ।

ସମ୍ବନ୍ଧିତ ଖବର