ପାୱାର ପ୍ଲାଣ୍ଟ୍‌ରେ କୋଇଲା ସଙ୍କଟ, ଦରକାର ୪୦, ମିଳୁଛି ୧୫ ନିୟୁତ ଟନ୍

ଭୁବନେଶ୍ବର: ରାଜ୍ୟରେ କାରଖାନା ସ୍ଥାପନ କରିଥିବା କମ୍ପାନି ଗୁଡ଼ିକ ଗୁରୁତର କୋଇଲା ସଙ୍କଟ ଦେଇ ଗତି କରୁଛନ୍ତି। ରାଜ୍ୟରେ ବର୍ଷକୁ ୧୪୦ ନିୟୁତ ଟନ୍ କୋଇଲା ଉତ୍ପାଦନ ହେଉଛି। ଏଥିରୁ ସ୍ବାଧୀନ ବିଦ୍ୟୁତ୍ ଉତ୍ପାଦନକାରୀ(ଆଇପିପି)କୁ ୪୦ ନିୟୁତ ଟନ୍ ଏବଂ କ୍ୟାପ୍ଟିକ ପାୱାର ପ୍ଲାଣ୍ଟ (ସିପିପି)ଗୁଡ଼ିକୁ ୪୦ ନିୟୁତ ଟନ୍ କୋଇଲା ଯୋଗାଇଦେବାର ଆବଶ୍ୟକତା ରହିଛି। କିନ୍ତୁ ସିପିପି ଗୁଡ଼ିକୁ ମାତ୍ର ୧୫ ନିୟୁତ ଟନ କୋଇଲା ମିଳୁଛି। ଅବଶିଷ୍ଟ ୨୫ ନିୟୁତ ଟନ୍ କୋଇଲାକୁ ରାଜ୍ୟ ବାହାରେ ବିକ୍ରି କରି ଦିଆଯାଉଛି। ଫଳରେ ରାଜ୍ୟରେ କାରଖାନା ସ୍ଥାପନ କରିଥିବା ଛୋଟବଡ଼ କମ୍ପାନି ଗତ କିଛିମାସ ହେଲା କୋଇଲା ଅଭାବ ଦେଇ ଗତି କରୁଛନ୍ତି। କେବଳ କୋଇଲା ଉତ୍ପାଦନକାରୀଠାରୁ ଯେ କୋଇଲା ମିଳୁନାହିଁ ତାହା ନୁହେଁ, ଠିକ୍ ସମୟରେ ରେଳ ବିଭାଗ ରେକ୍ ଯୋଗାଇ ଦେଇ ନପାରିବାରୁ କାରଖାନାକୁ କୋଇଲା ଆସିପାରୁ ନାହିଁ। ଫଳରେ କମ୍ପାନି ଗୁଡ଼ିକୁ ବିଦେଶରୁ ଦୁଇ ଗୁଣ ଅଧିକ ଅର୍ଥରେ କୋଇଲା ଆମଦାନି କରିବାକୁ ପଡ଼ୁଛି। ଏଭଳି ପରିସ୍ଥିତି ଲାଗି ରହିଲେ ରାଜ୍ୟର ଶିଳ୍ପାୟନ ଉପରେ ଖରାପ ପ୍ରଭାବ ପଡ଼ିବ ବୋଲି ମତ ପ୍ରକାଶ ପାଇଛି। ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରିଜ୍ (ୟୁସିସିଆଇ) ପକ୍ଷରୁ ଆଜି ହୋଟେଲ ସ୍ବସ୍ତି ପ୍ରିମିୟମ ପରିସରରେ ଓଡ଼ିଶା ଭିତ୍ତିକ ଶିଳ୍ପ ପାଇଁ କୋଇଲା ସୁରକ୍ଷା ଶୀର୍ଷକ ଆଲୋଚନାଚକ୍ରରେ ରାଜ୍ୟର ପ୍ରମୁଖ ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକର ପ୍ରତିନିଧିମାନେ କୋଇଲା ଅଭାବ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି।

କୋଇଲା ଅଭାବ ଯୋଗୁ ‌ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକର ବିଦ୍ୟୁତ୍ କାରଖାନା ସେମାନଙ୍କ ମୋଟ ଉତ୍ପାଦନ କ୍ଷମତାର ୬୦ରୁ ୭୦% ମଧ୍ୟରେ ବିଦ୍ୟୁତ୍ ଉତ୍ପାଦନ କରିବାକୁ ସକ୍ଷମ ହେଉଛନ୍ତି। ଏହା କେବଳ ସେମାନଙ୍କ କାରଖାନାର ବ୍ୟବସାୟକୁ ପ୍ରଭାବିତ କରୁନାହିଁ, ରାଜ୍ୟ ଏବଂ ଦେଶର ସ୍ବାର୍ଥକୁ ମଧ୍ୟ କ୍ଷତି ପହଞ୍ଚାଉଛି ବୋଲି ବେଦାନ୍ତ ଲିମିଟେଡର ସିଇଓ ଅଭିଜିତ ପତି ମତବ୍ୟକ୍ତ କରିଥିଲେ। ଏହି ସମସ୍ୟାର ସମାଧାନ ପାଇଁ ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକ ଏକତ୍ର ହୋଇ ପଦକ୍ଷେପ ନେବାକୁ ସେ କହିଥିଲେ। ଜିନ୍ଦଲ ଷ୍ଟେନ୍‌ଲେସ୍ ଲିମିଟେଡ (ଜେଏସ୍‌ଏଲ୍)ର ମୁଖ୍ୟ ଆବାସିକ ପ୍ରତିନିଧି ଶିଶିଭୂଷଣ ଉପାଧ୍ୟାୟ କହିଥିଲେ, କେବଳ ରାଜ୍ୟରେ ସେମାନଙ୍କୁ କୋଇଲା ମିଳୁନାହିଁ ତାହା ନୁହେଁ, ସେମାନେ ବିଦେଶରୁ ଆମଦାନି କରୁଥିବା କୋଇଲା ରେଳ ରେକ୍ ଅଭାବରୁ କାରଖାନାରେ ଠିକ୍ ସମୟରେ ପହଞ୍ଚି ପାରୁନାହିଁ। ପାରାଦୀପ, ଧାମରା ଆଦି ବନ୍ଦରରେ ଦୀର୍ଘଦିନ ଧରି କୋଇଲା ପଡ଼ି ରହୁଛି। ଫଳରେ କାରଖାନା ଚଳାଇବା ପାଇଁ ସେମାନଙ୍କ ନିକଟରେ ମାତ୍ର ୩ରୁ ୪ ଦିନ ପାଇଁ କୋଇଲା ଉପଲବ୍ଧ ହେଉଛି।

ୟୁସିସିଆଇ ସଭାପତି ରମେଶ ମହାପାତ୍ର କୋଇଲା ସମସ୍ୟାକୁ ଉପଯୁକ୍ତ ଫୋରମ୍‌ରେ ଉପସ୍ଥାପନ କରିବା ପାଇଁ ମତ ଦେବା ସହିତ ସଂଘ ଏଥିପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବ ବୋଲି ମତ ଦେଇଥିଲେ। ପୂର୍ବରୁ ମୁଖ୍ୟ ଶାସନ ସଚିବଙ୍କ ସହିତ ଏ ନେଇ ଆଲୋଚନା କରାଯିବା ସହିତ ସରକାରଙ୍କୁ ସମସ୍ୟାରେ ହସ୍ତକ୍ଷେପ କରି ସମାଧାନ କରିବାକୁ କୁହାଯାଇଥିଲା। ଆବଶ୍ୟକ ହେଲେ ଏ ନେଇ କେନ୍ଦ୍ର କୋଇଲା ମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ୟୁସିସିଆଇ ପ୍ରସ୍ତୁତ ବୋଲି ସେ କହିଥିଲେ। ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶାରେ ମୋଟ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ୧୬୮୦୦ ମେଗାୱାଟ ହୋଇଥିବାବେଳେ ଏଥିରୁ ୭୮୦୦ ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ ସିପିପି ଗୁଡ଼ିକ କରିଥାନ୍ତି। ଅନ୍ୟମାନଙ୍କ ମଧ୍ୟରେ ୟୁସିସିଆଇର ଡିଜି ରାଜେନ ପାଢ଼ୀ, ଉପସଭାପତି (ବାଣିଜ୍ୟ) ଏ. କେ. ସାରଦା, ସମ୍ପାଦକ ଧୀରେନ ଧଳ ଓ ସଞ୍ଜୀବ ମହାପାତ୍ରଙ୍କ ସମେତ ନାଲକୋ, ହିଣ୍ଡାଲକୋ, ଟାଟା ସ୍ପଞ୍ଜ, ଜେକେ ପେପର, ଫାକର ପାୱାର ଆଦି କମ୍ପାନିର ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର