ଆସିବ ଲକ୍ଷେ କୋଟିର ଦ୍ବିତୀୟ ପ୍ୟାକେଜ୍, କ୍ଷୁଦ୍ର ସଂସ୍ଥା ଓ ବ୍ୟବସାୟୀ ଉପକୃତ ହେବେ

ନୂଆଦିଲ୍ଲୀ: କରୋନା ଭୂତାଣୁର ମୁକାବିଲା ଲାଗି କେନ୍ଦ୍ର ସରକାର ଦ୍ବିତୀୟ ପ୍ରୋତ୍ସାହନ ପ୍ୟାକେଜ୍ ଉପରେ କାର୍ଯ୍ୟ କରୁଛନ୍ତି। ପ୍ରାୟ ଲକ୍ଷେ କୋଟି ଟଙ୍କାର ପ୍ୟାକେଜ୍ ପ୍ରସ୍ତୁତ ହେଉଛି। କ୍ଷୁଦ୍ର ବ୍ୟବସାୟ, ସଂସ୍ଥାଗୁଡ଼ିକୁ ସାହାଯ୍ୟ କରିବା ଲାଗି ସରକାର ବ୍ୟବସ୍ଥା କରୁଛନ୍ତି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିବା ପ୍ରଥମ ପ୍ୟ‌ାକେଜ୍‌ର ପରିମାଣ ୧.୭ ଲକ୍ଷ କୋଟି ଟଙ୍କା ଥିଲା। ମହିଳା ଜନ ଧନ ଖାତାର ଗ୍ରାହକଙ୍କ ଖାତାରେ ତିନି ମାସ ପାଇଁ ୫୦୦ ଟଙ୍କା ଲେଖାଏଁ ଜମା କରିବା, ଗରିବଙ୍କୁ ମାଗଣାରେ ଖାଦ୍ୟଶସ୍ୟ ସେବା, ଉଜ୍ଜ୍ବଳା ହିତାଧିକାରୀମାନଙ୍କୁ ତିନି ମାସର ଗ୍ୟାସ ମାଗଣାରେ ପ୍ରଦାନ କରିବା ଭଳି ପଦକ୍ଷେପ ଗ୍ରହଣ କରାଯାଇଥିଲା। ଦ୍ବିତୀୟ ପ୍ୟାକେଜ୍‌ରେ ସମ୍ପୂର୍ଣ୍ଣ ରୂପେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍‌ଏମ୍‌ଇ)କୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଉଛି। ଏହା ପରେ ବଡ଼ କଂପାନିଗୁଡ଼ିକ ଲାଗି ପ୍ୟାକେଜ୍ ପ୍ରସ୍ତୁତ କରାଯିବାର ସମ୍ଭାବନା ରହିଛି। ଭାରତୀୟ ଅର୍ଥନୀତି ପ୍ରତି ଏମ୍ଏସ୍‌ଏମ୍ଇ କ୍ଷେତ୍ରର ଅବଦାନ ଏକ ତୃତୀୟାଂଶ ପାଖାପାଖି ରହିଛି। ଏହି କ୍ଷେତ୍ରରେ ୫୦ କୋଟିରୁ ଅଧିକ ଲୋକ ନିୟୋଜିତ ଅଛନ୍ତି। କରୋନା ଭୂତାଣୁ ପ୍ରଭାବରେ ଏହି କ୍ଷେତ୍ର ଗୁରୁତର ଭାବେ ପ୍ରଭାବିତ ହୋଇଥିବା ବେଳେ ହଜାର ହଜାର ଅଣ ସଂଗଠିତ କ୍ଷେତ୍ରର ଶ୍ରମିକ ଜୀବିକା ହରାଇଛନ୍ତି। ସେମାନଙ୍କୁ ସାହାଯ୍ୟ କରିବା ଲାଗି ସରକାର ଦ୍ବିତୀୟ ପ୍ୟାକେଜ୍‌ରେ ବ୍ୟବସ୍ଥା କରୁଛନ୍ତି। କ୍ଷୁଦ୍ର ସଂସ୍ଥାଗୁଡ଼ିକ ପାଇଁ ବ୍ୟାଙ୍କର ଋଣର ସୀମାକୁ ବଢ଼ାଇବା, ଟିକସରେ ରିହାତି ଦେବା ଏବଂ ଟିକସ ଓ ଅନ୍ୟାନ୍ୟ ଦେୟ ପଇଠ କରିବା ଲାଗି ସେମାନଙ୍କୁ ଅଧିକ ସମୟ ଦିଆଯାଇପାରେ।

କ୍ଷୁଦ୍ର ବ୍ୟାବସାୟିକ ସଂସ୍ଥା ଓ ବ୍ୟବସାୟିକଙ୍କ ପାଇଁ ୧୮ ହଜାର କୋଟି ଟଙ୍କାର ଟିକସ ଫେରସ୍ତ ବ୍ୟବସ୍ଥା ଘୋଷଣା କରାଯିବାର ସମ୍ଭାବନା ରହିଛି। ସରକାର ଏବଂ ସରକାରୀ ସଂସ୍ଥାଗୁଡ଼ିକ ପାଖରେ କ୍ଷୁଦ୍ର ସଂସ୍ଥାର ଯେଉଁ ବକେୟା ରହିଛି ତାହା ତୁରନ୍ତ ଜାରି କରିବା ଲାଗି ସରକାର ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସର୍ବଭାରତୀୟ ମାନୁଫାକଚରର୍ସ ସଂଘର ପୂର୍ବତନ ସଭାପତି କେ ଇ ରଘୁନାଥନ କହିଛନ୍ତି। ବିଭିନ୍ନ ସରକାର ଓ ସଂସ୍ଥାଗୁଡ଼ିକ ଉପରେ ଏମ୍ଏସ୍‌ଏମ୍‌ଇଗୁଡ଼ିକର ୬୬୦୦ କୋଟି ଡଲାର ବକେୟା ରହିଛି।

ସମ୍ବନ୍ଧିତ ଖବର