ଫେରିଲା ରୟାଲ୍‌ ଏନ୍‌ଫିଲ୍ଡର ପ୍ରତିଦ୍ବନ୍ଦ୍ବୀ ‘ଜାୱା’

ନୂଆଦିଲ୍ଲୀ: ପଚାଶରୁ ଓ ସତୁରି ଦଶକ ମଧ୍ୟରେ ଭାରତୀୟଙ୍କ ହୃଦସ୍ପନ୍ଦନ ସାଜିଥିବା ବାଇକ୍‌ ‘ଜାୱା’ ପୁଣି ଥରେ ଭାରତ ଆସିଛି। ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରାର ମୁଖ୍ୟ ଆନନ୍ଦ ମହିନ୍ଦ୍ରାଙ୍କ ଉଦ୍ୟମରେ ‘କ୍ଲାସିକ୍‌ ଲିଜେଣ୍ଡସ୍‌’ ନାମକ ସଂସ୍ଥା ଦ୍ବାରା ଭାରତ ଆସିଛି ‘ଜାୱା‌’। ସେହି ପୁରୁଣା ରୂପ, ଷ୍ଟାଇଲ୍‌ ଓ ବାଇକ୍‌ ଚାଲିବା ବେଳର ଶବ୍ଦ ଅତୁଟ ରହିଛି। ଆଜିର ଯୁଗ ପାଇଁ ଏଥିରେ କେବଳ ଆଧୁନିକ ପ୍ରଯୁକ୍ତିକୁ ବ୍ୟବହାର କରାଯାଇଛି। ଦେଖିବା ପାଇଁ ଏହା ଠିକ୍ ପୁରୁଣା ଦିନର ଜାୱା ଭଳି ଦେଖାଯାଉଛି। କଂପାନି ପକ୍ଷରୁ ଜାୱା ଓ ଜାୱା ୪୨ ନାମରେ ଦୁଇଟି ମଡେଲ୍‌କୁ ଉନ୍ମୋଚନ କରାଯାଇଛି। ରୟାଲ୍‌ ଏନ୍‌ଫିଲ୍ଡକୁ ଏହା ଭାରତରେ କଡ଼ା ଟକ୍କର ଦେବ ବୋଲି କୁହାଯାଉଛି। କାରଣ ରୟାଲ୍‌ ଏନ୍‌ଫିଲ୍ଡକୁ ଭାରତରେ ନୂତନ ଜୀବନଦାନ ଦେଇଥିବା ବ୍ୟକ୍ତି ‘ଅନୁପମ ଥ୍ରେଜା’ ହିଁ ଜାୱା ପଛରେ ଅଛନ୍ତି। ଅତୀତର ବାଇକ୍‌କୁ ନୂଆ ପିଢ଼ିର ଗ୍ରାହକଙ୍କ ପାଇଁ କିଭଳି ଉପସ୍ଥାପନ କରାଯାଏ ତାହା ଅନୁପମଙ୍କୁ ବହୁତ ଭଲ ଭାବେ ଜଣା। ଜାୱାର ମୂଲ୍ୟକୁ ଅତି ଚତୁରତାର ସହିତ ରୟାଲ୍‌ ଏନ୍‌ଫିଲ୍ଡର ମୂଲ୍ୟ ପାଖାପାଖି ରଖାଯାଇଛି। ରେଟ୍ରୋ ବାଇକ୍ କିଣିବା ବେଳେ ଦ୍ବନ୍ଦ୍ବରେ ରହୁଥିବା ଗ୍ରାହକଙ୍କ ପାଇଁ ଜାୱା ହେବ ନୂଆ ବିକଳ୍ପ। ଜାୱା ହେଉଛି ଚେକ୍‌ ଗଣରାଜ୍ୟର ବାଇକ୍। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଏହା ଭାରତ ଆସିଥିଲା। ୧୯୫୦ ମସିହା ବେଳକୁ ଏହାକୁ ସମ୍ପୂର୍ଣ୍ଣ ଆମଦାନି କରାଯାଉଥିଲା। ରୁସ୍ତମ ଓ ଫାରୁକ୍ ଇରାନି ନାମକ ଦୁଇ ଜଣ ବ୍ୟକ୍ତି ଚେକ୍‌ କଂପାନିର ଲାଇସେନ୍ସ ଆଣି ମହୀଶୂର ଠାରେ ଏକ କାରଖାନା ସ୍ଥାପନ କରି ‘ଜାୱା’ ଉତ୍ପାଦନ ଆରମ୍ଭ କଲେ। ଏହା ପରେ ଜାୱାର ବିକ୍ରି ବହୁତ ବଢ଼ିଯାଇଥିଲା। ୧୯୭୧ ମସିହାରେ ଉଭୟ ସଂସ୍ଥା ମଧ୍ୟରେ ଲାଇସେନ୍ସ ବୁଝାମଣା ଶେଷ ହୋଇଯିବା ପରେ ରୁସ୍ତମ ଓ ଫାରୁକ୍ ନିଜର ବ୍ରାଣ୍ଡ୍‌ ‘ୟେଜ୍‌ଦି’ ନାମରେ ବାଇକ୍ ନିର୍ମାଣ କରି ବିକ୍ରି କରିଥିଲେ।

ସମ୍ବନ୍ଧିତ ଖବର