ଇଣ୍ଡିଗୋ ସିଓଓଙ୍କ ବିରୋଧରେ ତଥ୍ୟ ଚୋରି ଅଭିଯୋଗ

ମୁମ୍ବାଇ: ସୁଲଭ ମୂଲ୍ୟରେ ବିମାନ ସେବା ଯୋଗାଇ ଦେଉଥିବା କଂପାନି ଇଣ୍ଡିଗୋର ସିଓଓ ଓ୍ଵଲ୍‌ଫଗ୍ୟାଙ୍ଗ୍‌ ପ୍ରୋକ୍‌ ସାଉଏର୍‌ଙ୍କ ବିରୋଧରେ ତଥ୍ୟ ଚୋରି କରିଥିବା ଅଭିଯୋଗ ହୋଇଛି। ତାଙ୍କର ପୂର୍ବ କଂପାନି ଏହି ଅଭିଯୋଗ କରିଛି। ଇଣ୍ଡିଗୋରେ ଯୋଗ ଦେବା ପୂର୍ବରୁ ସାଉଏର୍‌ ଗୋଏୟାରରେ କାମ କରୁଥିଲେ।
ଗୋଏୟାର ପକ୍ଷରୁ ସାଉଏର୍‌ଙ୍କ ନାମରେ ବମ୍ବେ ହାଇକୋର୍ଟରେ ମାମଲା ଦାୟର କରାଯାଇଛି। ୨୦୧୮ ଫେବ୍ରୁଆରିରେ ସେ ଇଣ୍ଡିଗୋରେ ଯୋଗ ଦେଇଥିଲେ। ସେ ଅନେକ ସମ୍ବେଦନଶୀଳ ତଥ୍ୟ ଚୋରି କରିନେଇଛନ୍ତି ଓ ପ୍ରତିଦ୍ୱନ୍ଦୀ କଂପାନିରେ ଯୋଗ ଦେଇଥିବାରୁ ତାହାର ବ୍ୟବହାର କରିପାରନ୍ତି ବୋଲି ଗୋଏୟାର ପକ୍ଷରୁ ଆଶଙ୍କା ପ୍ରକଟ କରାଯାଇଛି।
ଅଷ୍ଟ୍ରିଆରେ ଜନ୍ମ ନେଇଥିବା ଏହି ବ୍ୟକ୍ତି ହେଉଛନ୍ତି ଭାରତୀୟ ବିମାନ ଚଳାଚଳ କ୍ଷେତ୍ରର ଜଣେ ଚର୍ଚିତ ଚେହେରା। ୨୦୧୫ରେ ଗୋଏୟାରର ସିଇଓ ଭାବେ ଯୋଗ ଦେଇଥିଲେ। ୨୦୧୬ରେ ତାଙ୍କୁ କଂପାନିର ପରିଚାଳନା ନିର୍ଦେଶକ ଭାବେ ପଦୋନ୍ନତି ମିଳିଥିଲା। ଏହା ପୂର୍ବରୁ ସାଉଏର୍‌ ଜେଟ୍‌ ଏୟାରେଓ୍ଵଜ୍‌ ପାଇଁ କାମ କରୁଥିଲେ।
ଇଣ୍ଡିଗୋରେ ଯୋଗ ଦେବାର ସପ୍ତାହକ ଭିତରେ ତାଙ୍କ ନାମରେ ଗୋଏୟାର ପକ୍ଷରୁ ତଥ୍ୟ ଚୋରି ଅଭିଯୋଗ ଅଣାଯାଇଥିଲା। ଓ୍ଵାଡ଼ିଆ ପରିବାର ଦ୍ୱାରା ଗୋଏୟାର ପରିଚାଳିତ ହେଉଛି। କୁହାଯାଉଛି ଯେ ସାଉଏର ନିକଟରେ ଏଭଳି କିଛି ନିଷ୍ପତ୍ତି ନେଇଥିଲେ ଯାହାକୁ ଓ୍ଵାଡ଼ିଆ ପରିବାର ପସନ୍ଦ କରିନଥିଲେ। ସେ ଏଭଳି କିଛି ନୂଆ ରୁଟ୍‌ରେ ଗୋଏୟାରର ବିମାନ ଉଡ଼ାଣ ଆରମ୍ଭ କରିଥିଲେ ଯେଉଁଥିରୁ କୌଣସି ପ୍ରକାର ଲାଭ ମିଳୁନଥିଲା। ଏହା ବ୍ୟତୀତ କଂପାନିରେ ବିଦେଶୀ ପାଇଲଟ୍‌ ନିଯୁକ୍ତିକୁ ନେଇ ମଧ୍ୟ ଓ୍ଵାଡ଼ିଆ ପରିବାର ଓ ସାଉଏର୍‌ଙ୍କ ମଧ୍ୟରେ ମତାନ୍ତର ରହିଥିଲା। ବିଦେଶୀ ପାଇଲଟ୍‌ମାନଙ୍କୁ ଦୁଇ ଗୁଣା ଅଧିକ ଦରମାରେ ନିଯୁକ୍ତି ଦିଆଯାଇଥିଲା।
ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ଇଣ୍ଡିଗୋର ସଭାପତି ଆଦିତ୍ୟ ଘୋଷ ହଠାତ୍‌ ନିଜ ପଦରୁ ଇସ୍ତଫା ଦେଇଥିଲେ। ସେହି ଘଟଣାକୁ ଲୋକମାନେ ଆଜି ପର୍ଯ୍ୟନ୍ତ ସହଜରେ ଗ୍ରହଣ କରିପାରୁନାହାନ୍ତି। ତାଙ୍କର ଏଭଳି ହଠାତ୍‌ ଇସ୍ତଫାରେ ବଜାର ବିଶେଷଜ୍ଞମାନେ ବିସ୍ମିତ ହୋଇଯାଇଛନ୍ତି। ସେହି ଘଟଣା ମନରୁ ଲିଭି ନଥିବା ବେଳେ ପୁଣି ଜଣେ ବରିଷ୍ଠ ଅଧିକାରୀଙ୍କୁ ନେଇ ଇଣ୍ଡିଗୋ ଚର୍ଚାର ପରିସରକୁ ଫେରିଛି।

ସମ୍ବନ୍ଧିତ ଖବର